ଗୋଷ୍ଠୀକନ୍ଦଳରୁ ବଳି ପଡ଼ିଲେ ରାଜେନ୍ଦ୍ର, ମନାଇବାକୁ ବିଜେଡି ଖେଳିଲା ଶେଷ ଚାଲ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଧାମନଗର ଉପନିର୍ବାଚନ ପାଇଁ ତିହିଡ଼ି ବ୍ଲକ ଅଧ୍ୟକ୍ଷା ଅବନ୍ତୀ ଦାସଙ୍କୁ ବିଜେଡି ନିଜର ପ୍ରାର୍ଥୀ କରିବ ବୋଲି ଘୋଷଣା କରିବାର ୨୪ ଘଂଟା ନପୁରୁଣୁ ବିଜେଡିରେ ବିସ୍ଫୋରକ ପରିସ୍ଥିତି ସୃଷ୍ଟି ହୋଇଛି । ଟିକେଟ୍ ଆଶାୟୀ ଦଳର ପୂର୍ବତନ ବିଧାୟକ ରାଜେନ୍ଦ୍ର କୁମାର ଦାସ ନିଜର ସମର୍ଥକଙ୍କ ସହ ଆସନ୍ତାକାଲି ପ୍ରାର୍ଥୀପତ୍ର ଦାଖଲ କରିବା ଜିଦରେ ଅଟଳ ରହିବା ପରେ ବିଜେଡି ତା’ର ଶେଷ ଗୋଟିଚାଳନା କରିଛି । ତାଙ୍କୁ ମନାଇବାକୁ ସବୁ ଉଦ୍ୟମ ଫେଲ୍ ମାରିବା ପରେ ବିଜେଡିର ନୀତି-ନିର୍ଦ୍ଧାରକଙ୍କ ପକ୍ଷରୁ ରାଜେନ୍ଦ୍ରଙ୍କୁ କ୍ୟାବିନେଟ ମନ୍ତ୍ରୀ ପାହ୍ୟା ସହ ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷ ପଦବୀରେ ଥଇଥାନ କରାଯିବାର ଅଫର ଦିଆଯାଇଥିବା ନିର୍ଭରଯୋଗ୍ୟ ସୂତ୍ରରୁ ସୂଚନା ମିଳିଛି । ତେବେ ୨୦୦୯ରେ ବିଜେଡି ବିଧାୟକ ଭାବେ ନିର୍ବାଚିତ ହେବା ପରଠୁ ନିଜସ୍ୱ ସଂଗଠନ ରଖିଥିବା ରାଜେନ୍ଦ୍ରଙ୍କୁ ୨୦୧୪ ସାଧାରଣ ନିର୍ବାଚନ ଭଳି ଚଳିତ ଉପନିର୍ବାଚନରେ ପୁଣିଥରେ ଗୋଷ୍ଠୀକନ୍ଦଳର ଶିକାର ହୋଇଥିବା ବିଜେଡି ମହଲରୁ ସୂଚନା ମିଳିଛି ।

ନିଜର ସମର୍ଥକମାନଙ୍କ ଚାପରେ ଉପନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବା ପାଇଁ ନିଷ୍ପତ୍ତି ନେଇଥିବାରୁ ବିଜେଡି ମହଲରେ କମ୍ପନ ସୃଷ୍ଟି ହୋଇଛି । ଆଜି ଦିନତମାମ ରାଜେନ୍ଦ୍ରଙ୍କୁ ମନାଇବା ନିମନ୍ତେ ବିଜେଡି ପକ୍ଷରୁ ସବୁପ୍ରକାର ପ୍ରୟାସ ଫେଲ୍ ମାରିବା ପରେ ସନ୍ଧ୍ୟାରେ ବିଜେଡି ତା’ର ଶେଷ ଗୋଟି ଚଳାଇଛି । ନିର୍ଭରଯୋଗ୍ୟ ସୂତ୍ର ଅନୁସାରେ, ବିଜେଡିର ନୀତିନିର୍ଦ୍ଧାରକଙ୍କ ସହ ଭିଡିଓ କଲିଂ ମାଧ୍ୟମରେ କଥାବାର୍ତ୍ତା କରାଇ ରାଜେନ୍ଦ୍ରଙ୍କୁ ସନ୍ତୁଷ୍ଟ କରିବାକୁ ପ୍ରୟାସ ହୋଇଛି। ଯେଉଁଥିରେ ତାଙ୍କୁ ଧାମନଗର ନିର୍ବାଚନ ପରେ କ୍ୟାବିନେଟ୍ ମନ୍ତ୍ରୀ ପାହ୍ୟାରେ ଥଇଥାନ କରାଯିବା ସହ ଆଗାମୀ ଦିନରେ ମଧ୍ୟ ଦଳରେ ଆବଶ୍ୟକ ଗୁରୁତ୍ୱ ପ୍ରଦାନ କରାଯିବ ବୋଲି ପ୍ରତିଶ୍ରୁତି ଦିଆଯାଇଥିବା ଜଣାପଡ଼ିଛି । ଏହି ଅଫର ଉପରେ ରାଜେନ୍ଦ୍ରଙ୍କ ଆଭିମୁଖ୍ୟ କ’ଣ ରହିଛି ତାହା ଜଣାପଡ଼ିନି । ତେବେ ସେ ନିଜର ସମର୍ଥକଙ୍କ ସହ ବିଚାରବିମର୍ଶ କରି ଉଚିତ୍ ନିଷ୍ପତ୍ତି ନେବେ ଓ ଦଳୀୟ ପ୍ରାର୍ଥୀ ଅବନ୍ତୀ ଦାସଙ୍କ ସପକ୍ଷରେ କାର୍ଯ୍ୟ କରିବେ ବୋଲି ବିଜେଡି ଆଶାବାଦୀ ଅଛି ।

ମିଳିଥିବା ସୂଚନା ଅନୁସାରେ, ଧାମନଗର ବିଧାୟକ ବିଷ୍ଣୁ ସେଠୀଙ୍କ ମୃତ୍ୟୁ ପରେ ଉପନିର୍ବାଚନକୁ ଦୃଷ୍ଟିରେ ରଖି ବିଜେଡିର ପୂର୍ବତନ ବିଧାୟକ ରାଜେନ୍ଦ୍ର କୁମାର ଦାସ ନିର୍ବାଚନ ମଇଦାନକୁ ଆଗୁଆ ଓହ୍ଲାଇ ଦଳୀୟ ସଂଗଠନକୁ ସକ୍ରିୟ କରିବା ନିମନ୍ତେ ରାତିଦିନ ଏକ କରି ଦେଇଥିଲେ । ଏପରିକି ଧାମନଗର ଉପନିର୍ବାଚନ ପାଇଁ ତାରିଖ ଘୋଷଣା ହେବା ପରଠୁ ରାଜେନ୍ଦ୍ର ନିୟମିତ ଭାବେ ପ୍ରତ୍ୟେକ ଦିନ ନିର୍ବାଚନମଣ୍ଡଳୀ ବୁଲି ପ୍ରଚାର କାର୍ଯ୍ୟକୁ ଜୋରଦାର କରିଥିଲେ । ୨୦୧୯ ସାଧାରଣ ନିର୍ବାଚନରେ ସେ ମାତ୍ର ୪୬୨୫ଖଣ୍ଡ ଭୋଟରେ ପରାଜିତ ହୋଇଥିବା ରାଜେନ୍ଦ୍ର ଉପନିର୍ବାଚନରେ ଟିକେଟ୍ ପାଇବେ ବୋଲି ଦୃଢ଼ ନିଶ୍ଚିତ ଥିଲେ । ରାଜେନ୍ଦ୍ର ନିଜର ପ୍ରଚାର ଜୋରଦାର କରୁଥିବାବେଳେ ତାଙ୍କୁ ଦଳୀୟ ନେତୃତ୍ୱଙ୍କ ପକ୍ଷରୁ କୌଣସି ବିରୋଧର ସମ୍ମୁଖୀନ ହେବାକୁ ପଡ଼ିନଥିଲା ଓଲଟା ଧାମନଗରରେ ସଂଗଠନ ସୁଦୃଢ଼ କରିବାକୁ ସହଯୋଗ ମଧ୍ୟ ଯୋଗାଇ ଦିଆଯାଇଥିଲା । କିନ୍ତୁ ଗତ କିଛି ଦିନ ମଧ୍ୟରେ ସବୁକିଛି ଓଲଟପାଲଟ ହୋଇଯାଇଥିଲା । ରାଜେନ୍ଦ୍ରଙ୍କୁ ପ୍ରାର୍ଥୀ ନକରାଇ ଦେବା ନିମନ୍ତେ ତାଙ୍କ ବିରୋଧୀ ଗୋଷ୍ଠୀ ଅଚାନକ ସକ୍ରିୟ ହୋଇଯାଇଥିଲା । ଯେଉଁଥିପାଇଁ ନିଜ ପତ୍ନୀ ଭଦ୍ରକ ସାଂସଦ ଥାଇ ମଧ୍ୟ ପୂର୍ବତନ ବିଧାୟକ ମୁକ୍ତିକାନ୍ତ ମଣ୍ଡଳ ଚଳିତ ଉପନିର୍ବାଚନରେ ପ୍ରାର୍ଥୀ ହେବା ନିମନ୍ତେ ଗଣମାଧ୍ୟମ ଆଗରେ ନିଜର ଆଶା ବ୍ୟକ୍ତ କରିବାକୁ ପଛାଇ ନଥିଲେ ।

ପ୍ରାର୍ଥୀ ଚୟନ ପ୍ରକ୍ରିୟାକୁ ଅଧିକ ଜଟିଳ କରିବା ନିମନ୍ତେ ଭଦ୍ରକ ଜିଲ୍ଲାର ଜଣେ ଯୁବ ବିଧାୟକ ନିଜ ଡାକ୍ତର ବନ୍ଧୁଙ୍କୁ ପ୍ରାର୍ଥୀ କରିବା ନିମନ୍ତେ ପ୍ରସ୍ତାବ ଦେବା ସହ ଗଣମାଧ୍ୟମରେ ଚର୍ଚ୍ଚା ମଧ୍ୟ କରାଇଥିଲେ । ଏହି ଦୁଇ ‘ଡମି ପ୍ରାର୍ଥୀ’କୁ ମଇଦାନକୁ ଆଣି ରାଜେନ୍ଦ୍ରଙ୍କ ପ୍ରାର୍ଥତ୍ୱ ଉପରେ ପୂର୍ଣ୍ଣଚ୍ଛେଦ ପକାଇବାକୁ ତାଙ୍କ ବିରୋଧୀ ଗୋଷ୍ଠୀ ପୁରା ଦମରେ ଲାଗି ପଡ଼ିଥିଲା । ଆଉ ଶେଷରେ ଡାର୍କ ହର୍ସ ଭାବେ ଅବନ୍ତୀ ଦାସଙ୍କୁ ଦଳୀୟ ପ୍ରାର୍ଥୀ କରାଇ ଏହି ବିରୋଧୀ ଗୋଷ୍ଠୀ ନିଜର ଚକ୍ରାନ୍ତରେ ସଫଳ ହେବା ସହ ରାଜେନ୍ଦ୍ରଙ୍କୁ ପୁଣିଥରେ କୋଣଠେସା କରାଇବାରେ ସକ୍ଷମ ହୋଇଛନ୍ତି । ମାତ୍ର ଉପନିର୍ବାଚନ ପାଇଁ ପ୍ରଚାର କାର୍ଯ୍ୟକୁ ବହୁ ଆଗକୁ ନେଇ ଯାଇଥିବା ରାଜେନ୍ଦ୍ର ପୁଣିଥରେ ପଛକୁ ଫେରିବା ମୁଡରେ ନଥିବା ଏବଂ ନିଜ ରାଜନୀତିକ କ୍ୟାରିୟର ନିମନ୍ତେ ସମର୍ଥକମାନଙ୍କ ଚାପକୁ ଦେଖି ସ୍ୱାଧୀନ ପ୍ରାର୍ଥୀ ହୋବକୁ ଚାହୁଁଥିବାରୁ ବିଜେଡି ପାଇଁ ଅଡୁଆ ବଢ଼ିଛି ।

ବିଜେଡିର ଗୋଷ୍ଠୀକନ୍ଦଳ ମଧ୍ୟରେ ରାଜେନ୍ଦ୍ରଙ୍କ ସ୍ୱାଧୀନ ପ୍ରାର୍ଥୀ ହେବା ପରୋକ୍ଷରେ ବିଜେପି ପ୍ରାର୍ଥୀଙ୍କ ନିମନ୍ତେ ବିଜୟ ମାର୍ଗକୁ ପ୍ରଶସ୍ତ କରିବ । ଯଦିଓ ରାଜେନ୍ଦ୍ର ଉପନିର୍ବାଚନରେ ଜିତିପାରିବେ ନାହିଁ ବୋଲି ଗୁଇନ୍ଦା ରିପୋର୍ଟକୁ ଆଳ ଦେଖାଇ ତାଙ୍କୁ ଟିକେଟରୁ ବଂଚିତ କରାଯାଇଥିବା ନେଇ ବିଜେଡି ନେତୃତ୍ୱ ସଫେଇ ଦେଉଥିଲେ ମଧ୍ୟ ଭଦ୍ରକରେ ଥିବା କୁଚକ୍ରୀ ଗୋଷ୍ଠୀକୁ ଉଚିତ୍ ଶିକ୍ଷା ଦେବାକୁ ରାଜେନ୍ଦ୍ର ମଇଦାନକୁ ଓହ୍ଲାଇ ପାରନ୍ତି ବୋଲି ତାଙ୍କ ସମର୍ଥକମାନେ ଆଶା ବାନ୍ଧିଛନ୍ତି । ଏଥିପାଇଁ ରାଜେନ୍ଦ୍ରଙ୍କ ହାତଲେଖା ଏକ ଚିଠି ମଧ୍ୟ ଧାମନଗର ସାରା ଘୁରିବୁଲୁଛି । ଯେଉଁଥିରେ ସେ ତାଙ୍କ ପ୍ରତି ହୋଇଥିବା ଅନ୍ୟାୟକୁ ଉଜାଗର କରିବା ସହ ସମସ୍ତଙ୍କର ସହଯୋଗ କାମନା କରିଛନ୍ତି । ଏଥିଯୋଗୁ ରାଜେନ୍ଦ୍ରଙ୍କ ପ୍ରତି ସହାନୁଭୂତି ମଧ୍ୟ ବଢ଼ିବାରେ ଲାଗିଛି ।

ରାଜେନ୍ଦ୍ରଙ୍କ ସହଯୋଗୀ ତଥା ବିଜେଡିର ସ୍ଥାନୀୟ ବରିଷ୍ଠ ନେତା ଶଶଧର ସାମଲ ଓ ରତିକାନ୍ତ ମଲ୍ଲିକ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, କୁଚକ୍ରୀ ଗୋଷ୍ଠୀଙ୍କ ଷଡ଼ଯନ୍ତ୍ର ଯୋଗୁ ରାଜେନ୍ଦ୍ର ଦାସଙ୍କୁ ଟିକେଟ୍ ମିଳିନି । ରାଜେନ୍ଦ୍ରଙ୍କ ବିନା ଏଠାରେ ବିଜେଡି ପ୍ରାର୍ଥୀ ଜିତିବା ସମ୍ଭବପର ନୁହେଁ । ରାଜେନ୍ଦ୍ର ଦୀର୍ଘଦିନ ଧରି ସଂଗଠନ ରଖିଥିବାବେଳେ ତାଙ୍କ ପ୍ରତି ଏଭଳି ଅନ୍ୟାୟ ଠିକ୍ ହୋଇନି । ଦଳ ପୁଣିଥରେ ଏହାର ପୁନର୍ବିଚାର କରିବ ବୋଲି ସେମାନେ ଆଶାବ୍ୟକ୍ତ କରିଛନ୍ତି । ତେବେ ରାଜେନ୍ଦ୍ର କେଉଁ ଆଭିମୁଖ୍ୟ ପୋଷଣ କରୁଛନ୍ତି ତାହା ଆସନ୍ତାକାଲି ସ୍ପଷ୍ଟ ହୋଇଯିବ ।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।