ବିଜେଡିରେ ଦାମ ବିରୋଧୀଙ୍କ ମେଳିକୁ ନେଇ ଚର୍ଚ୍ଚା

ଭୁବନେଶ୍ୱର: ପୁଣି ଦାମଙ୍କୁ ନେଇ ବିଜେଡି ଚର୍ଚ୍ଚାକୁ ଆସିଛି। ଏଥର ଦାମଙ୍କୁ ଚର୍ଚ୍ଚାକୁ ଆଣିଛନ୍ତି ତାଙ୍କ କଥାକଥିତ ବିରୋଧୀମାନେ। ବିରୋଧୀ ଦାମଙ୍କ ପକ୍ଷ ଚ୍ଛେଦନ ଲାଗି ମେଳି କରୁଥିବା ଚର୍ଚ୍ଚା ହେଉଛି। ଏପରି ମେଳି ବିଧାୟକ ଦେବାଶିଷ ସାମନ୍ତରାୟଙ୍କ ଘରେ ହୋଇଥିବା କୁହାଯାଉଛି। ଦେବାଶିଷଙ୍କ ଘରେ ଦାମଙ୍କ ପାରମ୍ପରିକ ବିରୋଧୀ ବିଷ୍ଣୁ ଦାସ ଓ କିଛି ମନ୍ତ୍ରୀ ଏକାଠି ହୋଇଛନ୍ତି। ହେଲେ ଏହି ବୈଠକର ଅସଲ ଉଦ୍ଦେଶ୍ୟ ସମ୍ପର୍କରେ କେହି ମୁହଁ ଖୋଲିନାହାନ୍ତି। ପ୍ରଧାନମନ୍ତ୍ରୀଙ୍କ ପାରାଦୀପ ଗସ୍ତ ପରେ ଦାମଙ୍କୁ ମନ୍ତ୍ରୀମଣ୍ଡଳରୁ ବହିଷ୍କାର ପାଇଁ ମୁଖ୍ୟମନ୍ତ୍ରୀଙ୍କ ପାଖରେ ଦାବି କରିବେ ବୋଲି ବିଷ୍ଣୁ ଖୋଲା ଖୋଲି କହିଛନ୍ତି। ହେଲେ ଦାମ ଏପରି ବିରୋଧୀ ମେଳିକୁ ଅସ୍ୱିକାର କରିଛନ୍ତି।

ବିଷ୍ଣୁଦାସଙ୍କ ସହ ମନ୍ତ୍ରୀ ପ୍ରଣବ ପ୍ରକାଶ ଦାସ ଓ ଅତନୁ ସବ୍ୟସାଚୀଙ୍କ ଫଟୋକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି। ଏହା ଦେବାଶିଷ ସାମନ୍ତରାୟଙ୍କ ବାସଭବନରୁ ବାହାରିବା ବେଳର ଫଟୋ ବୋଲି କୁହାଯାଉଛି। କିଛିଦିନ ପୂର୍ବେ ଦାମଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦେବାଶିଷ ଦାବି କରିଥିବାରୁ ଏହି ଫଟୋ ଏବେ ଦାମ ବିରୋଧୀ ମେଳିର ଚର୍ଚ୍ଚାକୁ ଖୋରାକ ଯୋଗାଇଛି। ତେବେ ଏହି ବୈଠକ ପ୍ରଧାନମନ୍ତ୍ରୀଙ୍କ ପ୍ରସ୍ତାବିତ ପାରାଦୀପ ଗସ୍ତକୁ ସଫଳ କରିବା ପାଇଁ ଥିଲା ବୋଲି ବିଷ୍ଣୁ କହିଛନ୍ତି। ହେଲେ ଦାମ ପାରାଦୀପ ବିଧାୟକ ହୋଇଥିବାରୁ ତାଙ୍କୁ କାହିଁକି ବୈଠକକୁ ଡକାଗଲା ନାହିଁ ବୋଲି ପଚରା ଯିବାରେ ବିଷ୍ଣୁ କିଛି କହି ନ ଥିଲେ। କେବଳ ଏତିକି କହିଛନ୍ତି, ପ୍ରଧାନମନ୍ତ୍ରୀଙ୍କ ଗସ୍ତ ପରେ ଦାମଙ୍କୁ ମନ୍ତ୍ରୀ ପଦରୁ କାଢିବାକୁ ସେ ମୁଖ୍ୟମନ୍ତ୍ରୀଙ୍କ ପାଖରେ ପୁଣି ଫେରାଦ ହେବେ।

ସେ ଆହୁରି କହିଛନ୍ତି ବିଶୃଙ୍ଖଳିତ ଆଚରଣ, ସରକାରଙ୍କ କାର୍ଯ୍ୟକ୍ରମ, ସଭାପତିଙ୍କ ନିଷ୍ପତ୍ତିକୁ ଦାମ ବାବୁ ବାହାରେ ପ୍ରଘଟ କରିବା ସହ ଦଳକୁ ଓ ସରକାରଙ୍କୁ ଅସୁବିଧାରେ ପକାଉଛନ୍ତି। ତାଙ୍କର ଏପରି ଆଚରଣ ପାଇଁ ସଭାପତି ପଦକ୍ଷେପ ନେବାକୁ ସେ ଦାବି କରିଛନ୍ତି।

ଦାମୋଦର ରାଉତ କହିଛନ୍ତି, ପ୍ରଧାନମନ୍ତ୍ରୀ ମୋ ନିର୍ବାଚନ ମଣ୍ଡଳୀକୁ ଆସୁଥିବାରୁ ମୋର ଦାୟୀତ୍ୱ ହେଉଛି ସବୁ ଅଞ୍ଚଳରୁ ଯେପରି ଲୋକେ ଆସିବେ ତାହା ଦେଖିବି। ଏଥିପାଇଁ ସମସ୍ତଙ୍କ ସହଯୋଗ ନେବି। ତେବେ ପ୍ରଧାନମନ୍ତ୍ରୀଙ୍କ ଗସ୍ତକୁ ନେଇ ଆଉ କିଏ କେଉଁଠି ବୈଠକ କଲେ ମୁଁ କେମିତି ଜାଣିବି ବୋଲି ସେ କହିଛନ୍ତି।

କିଛିଦିନ ତଳେ କଟକ ମେୟରଙ୍କ ଇସ୍ତଫା ପ୍ରସଙ୍ଗରେ ଦେବାଶିଷ ଓ ଦାମ ମୁହାଁମୁହିଁ ହୋଇଥିଲେ। ବିଷ୍ଣୁ ଏହି କଳହରେ ଘିଅ ଢାଳିଥିଲେ। ଗଣମାଧ୍ୟମରେ ବିଜେଡି ଭିତରେ ଏପରି ତୁ ତୁ ମେଁ ମେଁ ଖବର ମୁଖ୍ୟମନ୍ତ୍ରୀଙ୍କ ପାଖରେ ଥିବାରୁ ଶୀଘ୍ର କାର୍ଯ୍ୟାନୁଷ୍ଠାନ ହୋଇପାରେ ବୋଲି ଅନୁମାନ କରାଯାଉଛି।

ବିଜେଡି ମୁଖପାତ୍ର ସମୀର ଦାସ କହିଛନ୍ତି, ସରକାରଙ୍କୁ କ୍ଷତି ହେବା ଭଳି ବକ୍ତବ୍ୟ ସେ ସର୍ବସାଧାରଣରେ ଦେଉଛନ୍ତି। ଏପରି କରିବା ଉଚିତ ନୁହେଁ। ଏ ସମ୍ପର୍କରେ ମୁଖ୍ୟମନ୍ତ୍ରୀ ଅବଗତ ଅଛନ୍ତି। ପୂର୍ବରୁ ଠିକ ସମୟରେ ଠିକ ନିଷ୍ପତ୍ତି ନେବାର ଉଦାହରଣ ବହୁତ ଅଛି। ଅପେକ୍ଷା କରନ୍ତୁ ଯାହା ଠିକ ସେ ନେଇ ମୁଖ୍ୟମନ୍ତ୍ରୀ ଶୀଘ୍ର ନିଷ୍ପତ୍ତି ନେବେ ବୋଲି ସେ କହିଥିଲେ।