ନୂଆ ଅଫିସ ପାଇଁ ବିଜେଡିର ଭୂମିପୂଜା, ଜମି ଆବଣ୍ଟନକୁ ନେଇ ଚର୍ଚ୍ଚା  

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ସରକାରୀ କୋଠାରେ ଚାଲିଥିବା ଦଳୀୟ ଅଫିସକୁ ଶାସକ ବିଜେଡି ଏବେ ନିଜସ୍ୱ ମାଲିକାନାକୁ ସ୍ଥାନାନ୍ତର କରିଛି। ସାଧାରଣ ପ୍ରଶାସନ ବିଭାଗର ପ୍ରାୟ ଅଢ଼େଇ ଏକର ଜମିରେ ବିଜେଡି ନିଜର ୪ମହଲା ବିଶିଷ୍ଟ ଦଳୀୟ ଅଫିସ୍ କରିବା ନିମନ୍ତେ ଆଜି ଭୂମିପୂଜା କରିଛି। ତେବେ ଯେଉଁ ପ୍ରକ୍ରିୟା ବା ନୀତିକୁ ଆପଣାଇ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଏହି ମୂଲ୍ୟବାନ ଜମି ବିଜେଡିକୁ ଦିଆଯାଇଛି ତାକୁ ନେଇ ସାଧାରଣରେ ଚର୍ଚ୍ଚା ଜୋର ଧରିଛି।

ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ଦଳର ବରିଷ୍ଠ ନେତାମାନଙ୍କ ଉପସ୍ଥିତିରେ ବିଜେଡି ପାର୍ଟି ଅଫିସ୍ ପାଇଁ ଭୂମିପୂଜା ହୋଇଥିବାବେଳେ ୨୦୨୨ ଡିସେମ୍ବର ପୂର୍ବରୁ ଏହି କୋଠା ନିର୍ମାଣ ଶେଷ ହେବାକୁ ଲକ୍ଷ୍ୟ ରଖାଯାଇଛି।  ୟୁନିଟ୍ -୬ ସ୍ଥିତ ସରକାରୀ କ୍ୱାର୍ଟର୍ସ- ୬ଆର/୩ର ନିଜସ୍ୱ ଦଳୀୟ ମୁଖ୍ୟାଳୟ ସମେତ ଏହାର ପଛ ପାଶ୍ୱର୍ରେ ଥିବା ଅନ୍ୟ ଦୁଇଟି ସରକାରୀ କ୍ୱାର୍ଟର୍ସକୁ ଭାଙ୍ଗି ଦିଆଯାଇ ମୋଟ୍ ପ୍ରାୟ ଅଢ଼େଇ ଏକର ଜମି ବିଜେଡିକୁ ହସ୍ତାନ୍ତର ହୋଇଛି। ସେଠାରେ ଦଳ ନିଜର ଭବ୍ୟ କାର୍ଯ୍ୟାଳୟ କରିବ। ୧୯୯୯ ମସିହା ଅଗଷ୍ଟ ୭ତାରିଖରେ ୟୁନିଟ-୬ ଅଂଚଳସ୍ଥିତ ୬ଆର/୩ ସରକାରୀ କ୍ୱାର୍ଟର୍ସକୁ ଦଳୀୟ କାର୍ଯ୍ୟାଳୟ ଭାବେ ଉପଯୋଗ ପାଇଁ ବିଜେଡିକୁ ରାଜ୍ୟ ସାଧାରଣ ପ୍ରଶାସନ ବିଭାଗ ଅନୁମତି ଦେଇଥିଲା।
ବିଜେଡି ସୁପ୍ରିମୋ ଶ୍ରୀ ପଟ୍ଟନାୟକ ଆଜି ପବିତ୍ର ରଥଯାତ୍ରାରେ ବିଜେଡିର ନୂଆ କାର୍ଯ୍ୟାଳୟ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିବା ସହ ଏହା ଓଡ଼ିଶାର ଲୋକଙ୍କ ପାଇଁ ସେବା ଓ ସମର୍ପଣର ପ୍ରତୀକ ତଥା ଓଡ଼ିଆ ସ୍ୱାଭିମାନର ଜାଗ୍ରତ ପ୍ରହରୀ ଭାବେ କାର୍ଯ୍ୟ କରିବ ବୋଲି କହିଛନ୍ତି। ଓଡ଼ିଶାବାସୀଙ୍କ ସେବା ପାଇଁ ଏଠାରେ ରକ୍ତଦାନ ଓ ଅନ୍ୟାନ୍ୟ ସାମାଜିକ କଲ୍ୟାଣ କାର୍ଯ୍ୟକ୍ରମ ଜାରି ରହିବ। ଦଳର ଯୁବ ଓ ଛାତ୍ର ଶ୍ରମଦାନ କରି ନିଜ ଘରର କାମ ଭାବି ଏହି କୋଠା ନିର୍ମାଣ କାର୍ଯ୍ୟରେ ସାମିଲ ହେବେ। ଏହା ମାଧ୍ୟମରେ ସାଢ଼େ ଚାରି କୋଟି ଓଡ଼ିଶାବାସୀଙ୍କ ସେବା ପାଇଁ ସମର୍ପିତ ହୋଇ କାର୍ଯ୍ୟ କରିବାକୁ ଶ୍ରୀ ପଟ୍ଟନାୟକ ଆହ୍ୱାନ କରିଛନ୍ତି।

ବିଜେଡିର ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ମଧ୍ୟ ଏହି ନୂଆ କାର୍ଯ୍ୟାଳୟ କୋଠାରେ ଦଳର ସବୁ ଛାମୁଆ ସଂଗଠନ ପାଇଁ ପ୍ରକୋଷ୍ଠ, ସଭାପତିଙ୍କ ପାଇଁ ପ୍ରକୋଷ୍ଠ ରହିବା ସହ କନଫରେନ୍ସ ହଲ ଓ ରକ୍ତଦାନ ଓ ଅନ୍ୟାନ୍ୟ ସାମାଜିକ କଲ୍ୟାଣ କାର୍ଯ୍ୟକ୍ରମ ନିମନ୍ତେ ବ୍ୟବସ୍ଥା ହେବ। ଏହା କେବଳ ଦଳୀୟ କାର୍ଯ୍ୟାଳୟ ହେବନି, ରାଜ୍ୟର ଲୋକଙ୍କ ପାଇଁ ସେବା ଓ ସମର୍ପଣର ପ୍ରତୀକ ହେବ ବୋଲି କହିଛନ୍ତି।

ବିଜେଡିର ଏହି ଭୂମିପୂଜା ଉତ୍ସବରେ ଦଳର ବରିଷ୍ଠ ନେତା ସାଂସଦ ପ୍ରସନ୍ନ ଆଚାର୍ଯ୍ୟ, ପ୍ରସନ୍ନ ପାଟ୍ଟଶାଣୀ, ଦେବୀ ମିଶ୍ର, ସଞ୍ଜୟ ଦାସବର୍ମା, ଅତନୁ ସବ୍ୟସାଚୀ ନାୟକ, ଉଷା ଦେବୀ, ପ୍ରମିଳା ମଲ୍ଲିକ, ଶ୍ରୀମୟୀ ମିଶ୍ର, ବଦ୍ରି ପାତ୍ର, ପ୍ରଦୀପ ଅମାତ୍ ଓ ବିଜୟ ନାୟକ ପ୍ରମୁଖ ଉପସ୍ଥିତ ଥିଲେ।

ସେହିପରି  ରାଜ୍ୟ ବିଜେପି ମଧ୍ୟ ଖୁବଶୀଘ୍ର ନିଜସ୍ୱ କାର୍ଯ୍ୟାଳୟ କୋଠା ନିର୍ମାଣ କରିବ। ରାଜଧାନୀ ଭୁବନେଶ୍ୱରର ୟୁନିଟ-୩ ଜନପଥସ୍ଥିତ ୪ଆର-୩/୨ ସରକାରୀ କ୍ୱାର୍ଟର୍ସରେ ନିଜ କାର୍ଯ୍ୟାଳୟ ସମେତ ଅନ୍ୟ ଦୁଇଟି ସରକାରୀ କ୍ୱାର୍ଟର୍ସର ମାଲିକାନା ବିଜେପିକୁ ମିଳିଛି। ସାଧାରଣ ପ୍ରଶାସନ ବିଭାଗରୁ ନେଇଥିବା ମୋଟ୍ ପ୍ରାୟ ଦେଢ଼ ଏକର ଜମିରେ ରାଜ୍ୟ ବିଜେପି ନିଜର କାର୍ଯ୍ୟାଳୟ କୋଠା ନିର୍ମାଣ କରିବ ବୋଲି ଜଣାପଡ଼ିଛି।

ତେବେ ଏହି ଦୁଇ ନିର୍ଦ୍ଦିଷ୍ଟ ଦଳକୁ ରାଜ୍ୟ ସରକାର କେଉଁ ନିୟମ ବଳରେ ଏତେ ପରିମାଣର ମୂଲ୍ୟବାନ ଜମି ରାଜଧାନୀର ଗୁରୁତ୍ୱପୂର୍ଣ୍ଣ ଅଂଚଳରେ ଟେକି ଦେଇଛନ୍ତି ତାକୁ ନେଇ ସାଧାରଣରେ ଚର୍ଚ୍ଚା ଜୋର ଧରିଛି। ଯେଉଁ ନିୟମ ବଳରେ ରାଜ୍ୟ ସରକାର ଏହି ଜମି ସମ୍ପୃକ୍ତ ଦୁଇ ରାଜନୀତିକ ଦଳକୁ ଦେଇଛନ୍ତି ସେହି ସମାନ ନୀତିରେ ବେଂଚମାର୍କ ଭାଲ୍ୟୁରେ ଟଙ୍କା ଦେଇ ଅନ୍ୟ ସଂସ୍ଥା, ସଂଗଠନ ଓ ବ୍ୟକ୍ତିବିଶେଷ ରାଜଧାନୀର ମୂଲ୍ୟବାନ ଜମି ଦାବି କରିବାର ଯଥେଷ୍ଟ ସମ୍ଭାବନା ରହିଛି । ସରକାରୀ କ୍ୱାର୍ଟର୍ସକୁ ଭାଙ୍ଗି ଏହି ଦୁଇ ଦଳକୁ ଜମି ଦେଇ ରାଜ୍ୟ ସାଧାରଣ ପ୍ରଶାସନ ବିଭାଗ ଏକ ନୂଆ ପରମ୍ପରା ସୃଷ୍ଟି କରିଥିବାବେଳେ ଅନ୍ୟ ସଂସ୍ଥା ଓ ସଂଗଠନ ଯଦି ରାଜଧାନୀର ପ୍ରାଇମ୍ ଅଂଚଳରେ ଜମି ଦାବି କରନ୍ତି ତା’ହେଲେ ସରକାର କି ପଦକ୍ଷେପ ନେବେ ତାକୁ ନେଇ ଚର୍ଚ୍ଚା।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।