ସାନିଟାଇଜର ପିଇ ଆତ୍ମହତ୍ୟା ଉଦ୍ୟମ କଲେ ବିଜେପି ବିଧାୟକ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟର ମଣ୍ଡିରେ ଚାଷୀମାନେ ଧାନ ବିକ୍ରି କରିପାରୁନଥିବାରୁ ଉଦବେଗ ବ୍ୟକ୍ତ କରି ବିଜେପିର ଦେବଗଡ଼ ବିଧାୟକ ସୁବାସ ପାଣିଗ୍ରାହୀ ଆଜି ବିଧାନସଭା ଗୃହ ଭିତରେ ସାନିଟାଇଜର ପିଇ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ତେବେ ବିଭିନ୍ନ ଦଳର ବିଧାୟକମାନଙ୍କ ହସ୍ତକ୍ଷେପ ଯୋଗୁ ସେ ଅଳ୍ପକେ ରକ୍ଷା ପାଇଛନ୍ତି ଓ ଏବେ ସୁସ୍ଥ ଅଛନ୍ତି ବୋଲି ଜଣାପଡ଼ିଛି । ଓଡ଼ିଶା ବିଧାନସଭା ଇତିହାସରେ ଏହା ପ୍ରଥମ ଘଟଣା।

ମିଳିଥିବା ସୂଚନା ଅନୁସାରେ ଆଜି ଦ୍ୱିତୀୟ ପର୍ଯ୍ୟାୟ ବିଧାନସଭା ଅଧିବେଶନର ଦ୍ୱିତୀୟାର୍ଦ୍ଧ ଅପରାହ୍ନ ୪ଟାରେ ଆରମ୍ଭ ହେବାପରେ ବିଜେପି ବିଧାୟକ ଶ୍ରୀ ପାଣିଗ୍ରାହୀ ମଣ୍ଡି ସମସ୍ୟାକୁ ନେଇ ଉଦବେଗ ବ୍ୟକ୍ତ କରିବା ସହ ପୋଡ଼ିୟମ ନିକଟକୁ ଆସି ମଣ୍ଡିରୁ ଧାନ କିଣିବା  ପାଇଁ ତୁରନ୍ତ ପଦକ୍ଷେପ ନେବାକୁ ଦାବି କରିଥିଲେ। ଏପରିକି ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ରଙ୍କ ନିର୍ଦ୍ଦେଶରେ ଯୋଗାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଧାନବିକ୍ରି ପ୍ରସଙ୍ଗରେ ଗୃହରେ ଉତ୍ତର ରଖୁଥିବାବେଳେ ବିଜେପି ବିଧାୟକ ଶ୍ରୀ ପାଣିଗ୍ରାହୀ ବାଚସ୍ପତିଙ୍କ ଟେବୁଲ ସମ୍ମୁଖକୁ ଆସି ନିଜ ପକେଟ ଭିତରେ ରଖିଥିବା ସାନିଟାଇଜର ବୋତଲକୁ ଖୋଲି ପିଇବାକୁ ଉଦ୍ୟମ କରିଥିଲେ।

ତେବେ ବିଧାୟକଙ୍କ ଏଭଳି କାର୍ଯ୍ୟ ଦେଖି ବିଜେପିର ଅନ୍ୟ ବିଧାୟକଙ୍କ ସମେତ କଂଗ୍ରେସ ବିଧାୟକ ସନ୍ତୋଷସିଂ ସାଲୁଜା, ସଂସଦୀୟ ବ୍ୟାପାର ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ଓ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ ପ୍ରମୁଖ ତାଙ୍କ ନିକଟକୁ ଦୌଡ଼ିଯାଇ ତାଙ୍କୁ ସେଥିରୁ ବାରଣ କରିଥିଲେ। କଂଗ୍ରେସ ବିଧାୟକ ଶ୍ରୀ ସାଲୁଜା ତାଙ୍କ ହାତରେ ସାନିଟାଇଜର ବୋତଲକୁ ଛଡ଼ାଇ ନେଇଥିଲେ। ସହଯୋଗୀ ବିଧାୟକମାନେ ଶ୍ରୀ ପାଣିଗ୍ରାହୀଙ୍କୁ ବୁଝାସୁଝା କରୁଥିବାବେଳେ ସେ ପ୍ରକୃତରେ ସାନିଟାଇଜର ପିଇଛନ୍ତି ନା ନାହିଁ ତାହା ଜଣାପଡ଼ିନି।

ସୂଚନାଯୋଗ୍ୟ, ପ୍ରଥମ ପର୍ଯ୍ୟାୟ ବଜେଟ ଅଧିବେଶନ ସମୟରେ ମଧ୍ୟ ଶ୍ରୀ ପାଣିଗ୍ରାହୀ ମଣ୍ଡିରୁ ଧାନ ନଉଠିଲେ ଆତ୍ମହତ୍ୟା କରିବେ ବୋଲି ଧମକ ଦେଇଥିଲେ। ଆଜି ମଧ୍ୟ ସକାଳେ ସେ ଅନୁରୂପ ଭାବେ ଆତ୍ମହତ୍ୟା ଧମକ ଦେଇ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।