ଇଏ ବିଜେଡିର ଯୁବନେତୃତ୍ୱ, ପୁଲିସକୁ ଦେଉଛନ୍ତି ଅଶାଳୀନ ଗାଳି

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଯୁବ ବିଜେଡି ସଭାପତି ତଥା ଚାନ୍ଦବାଲି ବିଧାୟକ ବ୍ୟୋମକେଶ ରାୟ ଭଦ୍ରକ ଜିଲ୍ଲାର ବାଂଶଡ଼ା ଥାନା ଏଏସଆଇ ଗୁରୁଚରଣ ବେହେରାଙ୍କୁ ଅଶାଳୀନ ଭାଷାରେ ଗାଳିଗୁଲଜ କରୁଥିବାର ଅଡ଼ିଓ ଏବେ ଭାଇରାଲ ହୋଇଛି। ଯାହାକି ବିଜେଡିର ଏହି ଯୁବନେତାଙ୍କ ଅସଲ ଚେହେରାକୁ ପଦାରେ ପକାଇ ଦେବା ସହ ବିଜେଡି ନେତାଙ୍କ କଥାରେ କାମ ନକଲେ ପୁଲିସକୁ କିଭଳି ହଇରାଣ ହେବାକୁ ପଡ଼େ ତା’ର ପ୍ରମାଣ ମିଳିଛି। ଏହାସହିତ ତଦନ୍ତକୁ ପ୍ରଭାବିତ ପାଇଁ ଓଡ଼ିଶାରେ ପୁଲିସ ଉପରେ ଚାପ ପଡ଼େନାହିଁ ବୋଲି ଗତ ଦୁଇଦିନ ତଳେ ଏକ କାର୍ଯ୍ୟକ୍ରମରେ ମତ ରଖିଥିବା ଆଇପିଏସ ଅରୁଣ ବୋଥ୍ରା ଦେଇଥିବା ମନ୍ତବ୍ୟ ବି ଭୁଲ୍ ପ୍ରମାଣିତ ହୋଇଛି।

ସୋଶାଲ୍‌ ମିଡିଆରେ ଏବେ ଘୁରି ବୁଲୁଥିବା ଏକ ଅଡ଼ିଓ ରେକର୍ଡିଂ ଅନୁସାରେ, ଚାନ୍ଦବାଲି ବିଧାୟକ ତଥା ଯୁବ ବିଜେଡି ସଭାପତି ଶ୍ରୀ ରାୟ, ନିଜ ନିର୍ବାଚନମଣ୍ଡଳୀରେ ଅନ୍ୟ ଦଳର ଜଣେ ବ୍ୟକ୍ତିଙ୍କୁ ଗିରଫ କରିବା ପାଇଁ ସମ୍ପୃକ୍ତ ଏଏସଆଇ ଶ୍ରୀ ବେହେରାଙ୍କ ଉପରେ ଚାପ ପକାଉଥିଲେ। ଏଥିପାଇଁ ସେ ଦୁଇ-ତିନିଥର ସମ୍ପୃକ୍ତ ଏଏସଆଇଙ୍କୁ କହିଥିଲେ ମଧ୍ୟ ପୁଲିସ ଉଭୟ ପକ୍ଷକୁ ଡାକି ଆପୋଷ-ମିଳାମିଶା କରିବା ପାଇଁ ପରାମର୍ଶ ଦେଇ ଛାଡ଼ିଦେଇଥିଲା। ବିଧାୟକ ଶ୍ରୀ ରାୟଙ୍କୁ ସୁହାଇବା ଭଳି କାର୍ଯ୍ୟ ପାଇଁ ଶ୍ରୀ ବେହେରା ରାଜି ହୋଇନଥିବାରୁ ତାଙ୍କୁ ଅଶାଳୀନ ଭାଷାରେ ଗାଳିଗୁଲଜ କରିବା ସହ ମାଲକାନଗିରିର ମୋଟୁକୁ ବଦଳି କରିଦେବାକୁ ଧମକ ଦେଇଛନ୍ତି। ଏପରିକି ପୁଲିସ ଡିଜିଙ୍କ ପାଖରେ ବସି ବୁଲେଇକି ଫୋପାଡ଼ିଦେବେ ବୋଲି କହିଛନ୍ତି। ଅବଶ୍ୟ ଏଏସଆଇ ଶ୍ରୀ ବେହେରା ମଧ୍ୟ ବିଧାୟକଙ୍କ ଏଭଳି ଧମକକୁ ବେଶ୍ ଶାଳୀନତାର ସହ ଜବାବ ଦେଇଛନ୍ତି। ବିଧାୟକଙ୍କ ବଦଳି ଧମକକୁ ସେ ସ୍ୱାଗତ କରି, ଯାହା କରିବା କଥା କରନ୍ତୁ ବୋଲି ସାହାସର ସହ କହିବାକୁ ପଛାଇ ନାହାନ୍ତି।

ତେବେ ପ୍ରଶ୍ନ ଉଠୁଛି, ପୁଲିସ ଓ ପ୍ରଶାସନ ଉପରେ ରାଜନୀତିକ ଚାପ ବିଜେଡି ନେତାମାନେ ପକାଇନଥାନ୍ତି ବୋଲି ଦୀର୍ଘବର୍ଷ ଧରି ଯେଉଁ ଧାରଣା ରହିଥିଲା, ତାହା ଏବେ ଭୁଲ୍ ପ୍ରମାଣିତ ହୋଇଛି। ପୁଲିସ ଓ ପ୍ରଶାସନ ଉପରେ ରାଜନୀତିକ ଚାପ ପକାଇ କଂଗ୍ରେସ କାମ କରୁଥିବାରୁ ରାଜ୍ୟବାସୀ ନବୀନ ପଟ୍ଟନାୟକଙ୍କ ନେତୃତ୍ୱାଧୀନ ବିଜେଡି ସରକାର ଉପରେ କ୍ରମାଗତ ଆସ୍ଥା ପ୍ରକଟ କରି ଆସୁଛନ୍ତି। କିନ୍ତୁ ‘ଭାତହାଣ୍ଡିରୁ ଗୋଟିଏ ଭାତ ଚିପିବା’ ଭଳି ବିଜେଡିର ଯୁବଚେହେରା ଶ୍ରୀ ରାୟଙ୍କ ଧମକ ଓ ଅଶାଳୀନ ଗାଳି ହିଁ ପରୋକ୍ଷରେ ଦଳର ପ୍ରଶାସନିକ କଳ ପ୍ରତି ଥିବା ଆଭିମୁଖ୍ୟରେ ପରିବର୍ତ୍ତନ ଆଣିଥିବାର ସନ୍ଦେଶ ଦେଇଛି।

ବିଜେଡି ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ଶ୍ରୀ ରାୟ ଏବେ ବରିଷ୍ଠ ନେତା ଅରୁଣ ସାହୁ ଓ ସଞ୍ଜୟ ଦାସବର୍ମାଙ୍କ କ୍ୟାମ୍ପ ଛାଡ଼ି ଏବେ ସଂଗଠନ ସମ୍ପାଦକ ପ୍ରଣବପ୍ରକାଶ ଦାସଙ୍କ କ୍ୟାମ୍ପରେ ସଦସ୍ୟ ଥିବାରୁ ତୃତୀୟ ମହଲାର ଅଫିସରମାନେ ତାଙ୍କୁ ଗୁରୁତ୍ୱ ଦେଉଛନ୍ତି। ଯେଉଁଥିପାଇଁ ସେ ଏବେ ଏଭଳି ଅଶାଳୀନ ଆଚରଣ କରିବାକୁ ସାହସ କରିପାରୁଛନ୍ତି। ତା’ଛଡ଼ା ଗ୍ୟାଙ୍ଗଷ୍ଟାର ଧଳସାମନ୍ତଙ୍କ ଘନିଷ୍ଠ ଭାବେ ପରିଚିତ ବ୍ୟକ୍ତିଙ୍କ ନାଁରେ ଥିବା ସ୍କର୍ପିଓକୁ ଶ୍ରୀ ରାୟ ଦୀର୍ଘଦିନ ଧରି ବ୍ୟବହାର କରିବା, ସରକାରୀ ତହବିଲ କେଳେଙ୍କାରୀରେ ଜଡ଼ିତ ମୋତିଲାଲ ଗୌଡ଼ଙ୍କ ସହ ଘନିଷ୍ଠତା ଏବଂ ଚାନ୍ଦବାଲି ମଦମୃତ୍ୟୁ ମାମଲାରେ ଅଭିଯୁକ୍ତ ଥିବା ସତ୍ତ୍ୱେ ତାଙ୍କ ବିରୁଦ୍ଧରେ ବିଜେଡି କୌଣସି ଆଖିଦୃଶିଆ କାର୍ଯ୍ୟାନୁଷ୍ଠାନ କରିନଥିଲା। ବରଂ ପରୋକ୍ଷରେ ତାଙ୍କୁ ଯୁବ ବିଜେଡି ସଭାପତି ଭାବେ ପୁରସ୍କୃତ କରିଛି ଓ ସେ ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କ ଛତ୍ରଛାୟାରେ ରହି ପୁଲିସକୁ ଏଭଳି ଅଶାଳୀନ ଭାଷା ପ୍ରୟୋଗ କରିପାରୁଛନ୍ତି ବୋଲି ବିଜେଡି ମହଲରେ ଚର୍ଚ୍ଚା ହେଉଛି।

ସୂଚନାଯୋଗ୍ୟ, ଗତ କିଛିଦିନ ତଳେ ଏକ ଦଳୀୟ କାର୍ଯ୍ୟକ୍ରମରେ ସେ ଭୁବନେଶ୍ୱର ଯୁବମୋର୍ଚ୍ଚାର ଜଣେ କର୍ମକର୍ତ୍ତାଙ୍କୁ ମାରିବା ଘଟଣାକୁ ନେଇ ମଧ୍ୟ ବିବାଦୀୟ ହୋଇଥିଲେ। ପରିସ୍ଥିତି ଏପରି ହୋଇଥିଲା ଯେ, ତାଙ୍କୁ ନବୀନ ନିବାସରେ ଲୁଚି ପଳାଇବାକୁ ବାଧ୍ୟ ହୋଇଥିଲେ। ଏହି ସମସ୍ତ ଘଟଣା ଉପରେ ଶ୍ରୀ ରାୟଙ୍କ ପ୍ରତିକ୍ରିୟା ନେବାକୁ ତାଙ୍କୁ ଯୋଗାଯୋଗ କରାଯାଇଥିଲେ ମଧ୍ୟ ସେ ଫୋନ୍ ଉଠାଇନଥିଲେ।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।