ବିଜେଡିରେ ବିଭାଜନର ଆଭାସ: ମାମଲାତି ଫେଲ୍‌, ନବୀନ କ୍ଷୁବ୍ଧ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଧାମନଗର ଉପନିର୍ବାଚନରେ ବିଜେଡିର ପୂର୍ବତନ ବିଧାୟକ ରାଜେନ୍ଦ୍ର କୁମାର ଦାସ ସ୍ୱାଧୀନ ପ୍ରାର୍ଥୀ ଭାବେ ନାମାଙ୍କନ ପତ୍ର ଦାଖଲ କରିବା ପରେ ବିଜେଡି ନେତୃତ୍ୱଙ୍କୁ ଶକ୍ତ ଧକ୍କା ଲାଗିଛି । ବିଜେଡି ରାଜ୍ୟରେ କ୍ଷମତାକୁ ଆସିବା ପରଠୁ ଦୀର୍ଘ ଦୁଇ ଦଶନ୍ଧି ମଧ୍ୟରେ ପ୍ରଥମଥର ପାଇଁ କୌଣସି ଉପନିର୍ବାଚନରେ ଦଳୀୟ ପ୍ରାର୍ଥୀ ବିରୋଧରେ ଦଳର ଅସନ୍ତୁଷ୍ଟ ନେତା ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ୨୦୧୯ ସାଧାରଣ ନିର୍ବାଚନ ପରଠୁ ବିଜେଡିର ସାଂଗଠନିକ ପରିଚାଳନା ଶୈଳୀକୁ ନେଇ ଦଳ ଭିତରେ ରହିଥିବା ଚାପା ଅସନ୍ତୋଷ ଏବେ ବିସ୍ଫୋରକ ପରିସ୍ଥିତି ଆଡ଼କୁ ମୁହାଁଇଛି ଓ ଯାହାର ଫଳସ୍ୱରୂପ ବିଜେଡିର କିଛି ବରିଷ୍ଠ ନେତାଙ୍କ ପରାମର୍ଶରେ ରାଜେନ୍ଦ୍ର ଦଳୀୟ ପ୍ରାର୍ଥୀଙ୍କୁ ଚ୍ୟାଲେଞ୍ଜ କରିବାକୁ ସକ୍ଷମ ହୋଇଥିବା ଜଣାପଡ଼ିଛି । ଅନ୍ୟପକ୍ଷରେ ‘ସୁଚିନ୍ତିତ ନିର୍ବାଚନ ପରିଚାଳନା’ ମାଧ୍ୟମରେ ନିର୍ବାଚନ ଜିତୁଥିବା ବିଜେଡି ଏବେ ରାଜେନ୍ଦ୍ର ଦାସଙ୍କ ପ୍ରାର୍ଥୀତ୍ୱକୁ ନେଇ ବ୍ୟାକଫୁଟରେ ଅଛି । ବିଦ୍ରୋହୀ ପ୍ରାର୍ଥୀ ଭାବେ ରାଜେନ୍ଦ୍ର ନାମାଙ୍କନ ପତ୍ର ଦାଖଲ କରିବା ପରେ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦଳ ପାଇଁ ମାମଲାତି କରୁଥିବା ଅନଭିଜ୍ଞ ନେତାମାନଙ୍କ ଉପରେ କ୍ଷୁବ୍ଧ ଥିବା ସୂଚନା ମିଳିଛି ।

ବିଜେଡି ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ୨୦୧୯ ସାଧାରଣ ନିର୍ବାଚନ ପରଠୁ ଦଳରେ ଗୋଷ୍ଠୀକନ୍ଦଳ ତୀବ୍ର ରୂପ ନେଉଥିବା ତଥା ବିଜେଡିର ବହୁ ବରିଷ୍ଠ ଓ ଅଭିଜ୍ଞ ନେତାଙ୍କୁ କୋଣଠେସା କରି ରଖାଯାଇଥିବାର ଫଳ ଏବେ ଦଳକୁ ଭୋଗିବାକୁ ପଡ଼ିଛି । କୌଣସି ଉପନିର୍ବାଚନରେ ଦଳୀୟ ପ୍ରାର୍ଥୀଙ୍କ ବିରୁଦ୍ଧରେ ବିଦ୍ରୋହୀ ପ୍ରାର୍ଥୀ ହେବାର ସାହାସ ବିଜେଡିର କେହି ନେତା କରୁନଥିବାବେଳେ ପ୍ରଥମଥର ପାଇଁ ରାଜେନ୍ଦ୍ର ଦାସ ଧାମନଗର ଉପନିର୍ବାଚନରେ ଏହି ସାହାସ କରି ଦେଖାଇଛନ୍ତି । ରାଜେନ୍ଦ୍ରଙ୍କ ଏଭଳି ଆଭିମୁଖ୍ୟ ଓ ନିଷ୍ପତ୍ତି ପଛରେ ଦଳର ବହୁ ପୁରୁଖା ଓ ବରିଷ୍ଠ ନେତାଙ୍କ ନିରବ ସମର୍ଥନ ଥିବା ଜଣାପଡ଼ିଛି । ବିଜେଡିର ମାମଲାତକାରୀ ସାଜିଥିବା କିଛି ତୋଷାମଦକାରୀ ନେତାଙ୍କ ଚକ୍ରାନ୍ତରେ ନିଜସ୍ୱ ଦୃଢ଼ ସଂଗଠନ ଧାମନଗରରେ ଥାଇ ମଧ୍ୟ ରାଜେନ୍ଦ୍ର ଦଳୀୟ ପ୍ରାର୍ଥୀ ହେବାରୁ ବଂଚିତ ହେଲେ ବୋଲି ଖୋଲାଖୋଲି ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ।

ଧାମନଗର ଉପନିର୍ବାଚନ ପରିଚାଳନାର ଦାୟିତ୍ୱ ଏବେ ବିଧାୟକ ପ୍ରଣବ ପ୍ରକାଶ ଦାସ (ସଂଗଠନ ସମ୍ପାଦକ), ବିଧାୟକ ପ୍ରଣବ ବଳବନ୍ତରାୟ(ଭଦ୍ରକ ଜିଲ୍ଲା ପର୍ଯ୍ୟବେକ୍ଷକ)ଙ୍କ ସମେତ ବିଧାୟକ ବ୍ୟୋମକେଶ ରାୟ, ସଞ୍ଜିବ ମଲ୍ଲିକ ଆଦିଙ୍କ ଉପରେ ନ୍ୟସ୍ତ ଥିବାରୁ ସେମାନଙ୍କର ଅପରିପକ୍ୱ ଗୋଟିଚାଳନା ଯୋଗୁ ରାଜେନ୍ଦ୍ର ବିଜେଡି ପ୍ରାର୍ଥୀ ହୋଇପାରିନଥିବା ଜଣାପଡ଼ିଛି । ଅବଶ୍ୟ ରାଜେନ୍ଦ୍ରଙ୍କୁ ଭୁବନେଶ୍ୱର ଡାକି ମନାଇବାକୁ ପ୍ରୟାସ କରାଯାଇଥିଲେ ମଧ୍ୟ ୨୦୧୪ ନିର୍ବାଚନରେ ଟିକେଟରୁ ବଂଚିତ କରାଯିବା, ୨୦୧୯ ସାଧାରଣ ନିର୍ବାଚନରେ ତାଙ୍କୁ ହରାଇବାକୁ ଚକ୍ରାନ୍ତ ହେବା ଭଳି ତିକ୍ତ ଅନୁଭୂତିକୁ ଦୃଷ୍ଟିରେ ରଖି ସେ ବିଜେଡିର କିଛି ବରିଷ୍ଠ ନେତାମାନଙ୍କ ପରାମର୍ଶରେ ବିଦ୍ରୋହୀ ପ୍ରାର୍ଥୀ ଭାବେ ଉପନିର୍ବାଚନ ରଣାଙ୍ଗନକୁ ଓହ୍ଲାଇଥିବା ସୂଚନା ମିଳିଛି ।

ବିଶେଷକରି ରାଜେନ୍ଦ୍ରଙ୍କ ସହ ଗତ କିଛିବର୍ଷ ଧରି ଭଦ୍ରକ ସାଂସଦଙ୍କ ପତି ମୁକ୍ତିକାନ୍ତ ମଣ୍ଡଳ ଓ ଚାନ୍ଦବାଲି ବିଧାୟକ ବ୍ୟୋମକେଶ ରାୟଙ୍କ ଛକାପଞ୍ଝା ଚାଲିଥିବାରୁ ତାଙ୍କୁ ପ୍ରାର୍ଥୀ ନକରାଇ ଦେବାକୁ ବିରୋଧୀ ଗୋଷ୍ଠୀ ସକ୍ରିୟ ହୋଇପଡ଼ିଥିଲା । ଆଉ ତୋଷାମଦକାରୀ ଅନଭିଜ୍ଞ ନେତାମାନଙ୍କ କଥାରେ ବିଜେଡି ନେତୃତ୍ୱ ଧାମନଗର ଉପନିର୍ବାଚନରେ ରାଜେନ୍ଦ୍ରଙ୍କୁ ପ୍ରାର୍ଥୀ କରିବା ନିଷ୍ପତ୍ତିରୁ ଓହରି ଯାଇଥିଲେ । ଯଦିଓ ଏହି ଆସନରେ ପ୍ରାର୍ଥୀ ହେବା ନେଇ ରାଜେନ୍ଦ୍ରଙ୍କୁ ଗତ କିଛିଦିନ ହେଲା ଦଳ ପକ୍ଷରୁ ବାରମ୍ବାର ଆଶସ୍ତ କରାଯାଉଥିଲା ବୋଲି ଜଣାପଡ଼ିଛି ।

ବିଜେଡିର ଜଣେ ବରିଷ୍ଠ ନେତା ନିଜ ନାମ ଗୁପ୍ତ ରଖିବା ସର୍ତ୍ତରେ କହିଛନ୍ତି ଯେ, ରାଜେନ୍ଦ୍ର ଆଜି ନାମାଙ୍କନ ପତ୍ର ଦାଖଲ କରିବା ପରେ ଦଳର ମାମଲାତି କରୁଥିବା କିଛି ଅନଭିଜ୍ଞ ନେତାମାନଙ୍କୁ ଶକ୍ତ ଚାପୁଡ଼ା ଲାଗିଛି । ନିଜସ୍ୱ ଅହଙ୍କାରକୁ ପୂର୍ତ୍ତି କରିବା ନିମନ୍ତେ ୪-୫ଜଣ ହାତଗଣତି ନେତା ଏବେ ବିଜେଡି ନେତୃତ୍ୱଙ୍କୁ ବିଭ୍ରାନ୍ତ କରି ଦଳକୁ ତଳିତଳାନ୍ତ କରିବାରେ ଲାଗିଛନ୍ତି । ଉପରକୁ ସବୁ ଠିକ୍ ଦିଶୁଥିଲେ ମଧ୍ୟ ଦଳ ଏବେ ବିପର୍ଯ୍ୟୟ ଆଡ଼କୁ ମୁହାଁଇବାରେ ଲାଗିଛି। ପ୍ରଥମଥର ପାଇଁ ଗୋଟିଏ ଉପନିର୍ବାଚନରେ ମାତ୍ର ୨ଟି ଜିଲ୍ଲାର ନେତାମାନଙ୍କୁ ସାମିଲ କରାଯାଇଛି । ଯଦିଓ ଦଳ ପାଖରେ ବେଶ୍ ଅଭିଜ୍ଞ ନେତା ରହିଛନ୍ତି। ତା’ଛଡ଼ା ଦଳର ବରିଷ୍ଠ ପର୍ଯ୍ୟବେକ୍ଷକ ପ୍ରତାପ ଜେନାଙ୍କୁ ଏହି ସମସ୍ତ ନିର୍ବାଚନ ପ୍ରକ୍ରିୟାରୁ ଦୂରେଇ ରଖାଯାଇଛି।

ଭଦ୍ରକ ଜିଲ୍ଲା ପର୍ଯ୍ୟବେକ୍ଷକ ପ୍ରଣବ ବଳବନ୍ତରାୟ ନିଜକୁ ସୁହାଇବା ଭଳି ନେତାଙ୍କୁ ନେଇ ଦଳୀୟ ପ୍ରଚାର ମଇଦାନକୁ ଓହ୍ଲାଇଛନ୍ତି। ଯେଉଁଥିପାଇଁ ଦଳର ରାଜ୍ୟସ୍ତରୀୟ ନେତାମାନେ ଧାମନଗର ଉପନିର୍ବାଚନରେ ସାମିଲ ହୋଇପାରିନାହାନ୍ତି। ରାଜେନ୍ଦ୍ର ଦାସ ଦଳର ଜଣେ ଶୃଙ୍ଖଳିତ ସଦସ୍ୟ ଭାବେ ଧାମନଗରରେ ସଂଗଠନକୁ ସୁଦୃଢ଼ କରି ରଖିଥିଲେ। ତାଙ୍କୁ ଟିକେଟରୁ ବଂଚିତ କରାଯିବା ଉଚିତ୍ ହୋଇନି । ସୁପ୍ରିମୋଙ୍କ ଜାଣତରେ ଏସବୁ ହୋଇଥିଲେ ତାଙ୍କୁ ସେ ଅନ୍ୟ କିଛି ପଦପଦବୀ ଦେଇ ବୁଝାଇପାରିଥାନ୍ତେ । ମାତ୍ର ସେଭଳି ସୁଯୋଗ ଏବେ ବିଜେଡିରେ ନାହିଁ ବୋଲି ଏହି ନେତାଜଣକ କ୍ଷୋଭର ସହ କହିଛନ୍ତି।

ଚର୍ଚ୍ଚା ହେଉଛି, ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ତାଙ୍କ ପରାମର୍ଶଦାତାଙ୍କ ସହ ସିଧାସଳଖ ଯୋଗାଯୋଗ କରିବା ଦଳୀୟ ନେତାଙ୍କ ପକ୍ଷେ ସମ୍ଭବପର ନଥିବାରୁ ତା’ର ସୁଯୋଗ ନେଇ କିଛି ତୋଷାମଦକାରୀ ଅନଭିଜ୍ଞ ନେତାମାନେ ଏବେ ବିଜେଡିକୁ ତଳିତଳାନ୍ତ କରିବାରେ ଲାଗିଛନ୍ତି । ଆଉ ସେମାନଙ୍କ ଉପରେ ଭରସା କରି ବିଜେଡି ନେତୃତ୍ୱ ଯେଉଁ ନିଷ୍ପତ୍ତି ନେଉଛନ୍ତି ତାହା ଦଳ ପାଇଁ ବୁମେରାଂ ହେବାରେ ଲାଗିଛି । ଯଦି ସଂଗଠନକୁ ଚଳାଇବା ନିମନ୍ତେ ଏହି ମନମୁଖୀ ପରିଚାଳନାର ଧାରା ବଜାୟ ରୁହେ ଓ ବରିଷ୍ଠ ତଥା ଅଭିଜ୍ଞ ନେତାମାନଙ୍କୁ ଅଣଦେଖାର ସମ୍ମୁଖୀନ ହେବାକୁ ପଡ଼େ, ତା’ହେଲେ ଆଗାମୀ ୨୦୨୪ ସାଧାରଣ ନିର୍ବାଚନବେଳକୁ ବିଜେଡି ବିଭାଜନର ଦ୍ୱାରଦେଶରେ ପହଂଚି ସାରିଥିବ । ଯାହାର ଆଭାସ ଏବେ ଧାମନଗରରେ ମିଳିଛି ବୋଲି ରାଜନୀତିକ ମହଲରେ ଚର୍ଚ୍ଚା ।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।