କଂଗ୍ରେସ ପ୍ରାର୍ଥୀ ହେଲେ ବାବା ହରେକୃଷ୍ଣ ସେଠୀ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଧାମନଗର ଉପନିର୍ବାଚନ ପାଇଁ କଂଗ୍ରେସ ଆଜି ପ୍ରାର୍ଥୀ ଘୋଷଣା କରିଛି। ବାବା ହରେକୃଷ୍ଣ ସେଠୀ ହେଲେ କଂଗ୍ରେସ ପ୍ରାର୍ଥୀ। ଏଆଇସିସି ପକ୍ଷରୁଚ ବାବା ହରେକୃଷ୍ଣଙ୍କ ନାଁ ଘୋଷଣା କରାଯାଇଛି। ପୂର୍ବରୁ ଦିବଂଗତ ବିଧାୟକ ବିଷ୍ଣୁ ସେଠୀଙ୍କ ପୁଅ ସୂରଜ ସୂର୍ଯ୍ୟବଂଶୀଙ୍କୁ ପ୍ରାର୍ଥୀ କରିଥିଛି ବିଜେପି। କିନ୍ତୁ ବର୍ତ୍ତମାନ ସୁଦ୍ଧା ଶାସକ ବିଜେଡି ପ୍ରାର୍ଥୀ ଘୋଷଣା କରିନାହିଁ।

ବାବା ହରେକୃଷ୍ଣ ସେଠୀ କହିଛନ୍ତି, କଂଗ୍ରେସ ମୋତେ ପ୍ରାର୍ଥୀ କରିଥିବାରୁ ରାଷ୍ଟ୍ରୀୟ ଉପାଧ୍ୟକ୍ଷା ଓ ରାଜ୍ୟ ସଭାପତିଙ୍କୁ କୃତଜ୍ଞତା ଜଣାଉଛି। ଜନସାଧାରଣଙ୍କ ଭଲ ପାଇବା ଓ ଆଶୀର୍ବାଦ ମୋ ଉପରେ ରହିଛି। ମୋର ଆଶା ଓ ବିଶ୍ୱାସ ଲୋକମାନେ ମୋତେ କେବେ ନିରାଶ କରିବେ ନାହିଁ। ମୋତେ ନିଶ୍ଚିତ ଜିତାଇବେ ବୋଲି ଶ୍ରୀ ସେଠୀ କହିଛନ୍ତି।

ସେ ଆହୁରି କହିଛନ୍ତି, ବିଜେପି ଓ ବିଜେଡି ଧାମନଗର ନିର୍ବାଚନମଣ୍ଡଳୀର ଜନସାଧାରଣଙ୍କୁ କେବଳ ମିଥ୍ୟା ପ୍ରତିଶ୍ରୁତି ଦେଇଆସିଛନ୍ତି। ଲୋକମାନଙ୍କ ପାଇଁ କୌଣସି କାମ କରିନାହାନ୍ତି। ଏଥର ଜନସାଧାରଣ ଉଚିତ ବିଚାର କରି ମୋତେ ଭୋଟ୍‌ ଦେବେ। କଂଗ୍ରେସକୁ ବିଜୟ ପଥରେ ନେବେ ବୋଲି ଶ୍ରୀ ସେଠୀ କହିଛନ୍ତି।

ନଭେମ୍ୱର ୩ ତାରିଖରେ ଅନୁଷ୍ଠିତ ହେବ ଧାମନଗର ଉପନିର୍ବାଚନ। ସେଥିପାଇଁ ଧାମନଗର ରାଜନୀତି ପାଣିପାଗ ଉଷ୍ମ ହେଲାଣି। ବିଜେପି ସୂରଜ ସୂର୍ଯ୍ୟବଂଶୀଙ୍କୁ ପ୍ରାର୍ଥୀ କରିଛି। ମଙ୍ଗଳବାର ସୂରଜ ନାମାଙ୍କନପତ୍ର ଦାଖଲ କରିଛନ୍ତି। ଅନ୍ୟପକ୍ଷରେ ଆଜି କଂଗ୍ରେସ ପ୍ରାର୍ଥୀ ଘୋଷଣା କରିଥିବା ବେଳେ ଶାସକ ବିଜେଡି ପ୍ରାର୍ଥୀ ଘୋଷଣା କରିପାରି ନାହିଁ। ଅଙ୍କ ଛିଡୁନଥିବାରୁ ବିଜେଡି ପ୍ରାର୍ଥୀ ଘୋଷଣା କରିପାରୁନଥିବା ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।