ନିଜ ପାଇଁ ଓଡ଼ିଶାରେ ପ୍ରଚାର କଲେ ଖଡ଼ଗେ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଏଆଇସିସି ସଭାପତି ପ୍ରାର୍ଥୀ ତଥା କଂଗ୍ରେସ ସାଂସଦ ମଲ୍ଲିକାର୍ଜୁନ ଖଡ଼ଗେ ଆଜି ଓଡ଼ିଶା ଗସ୍ତରେ ନିଜ ସପକ୍ଷରେ ପ୍ରଚାର କରିଛନ୍ତି । ଏହାସହିତ ସଦସ୍ୟମାନଙ୍କୁ ଭୋଟ୍ ଦେବା ନିମନ୍ତେ ଅନୁରୋଧ କରିଛନ୍ତି । ସେ ଆଜି କଂଗ୍ରେସ ଭବନରେ ପିସିସି ସଦସ୍ୟମାନଙ୍କ ସହ ବୈଠକରେ ନିଜର ପ୍ରାର୍ଥୀତ୍ୱ ସମ୍ପର୍କରେ ସୂଚନା ଦେବା ସହ ତାଙ୍କୁ ସମସ୍ତେ ଭୋଟ୍ ଦେବା ନିମନ୍ତେ ନିବେଦନ କରିଛନ୍ତି । ସେ କାହିଁକି ପ୍ରାର୍ଥୀ ହୋଇଛନ୍ତି ସେ ସମ୍ପର୍କରେ ସୂଚନା ଦେଇଛନ୍ତି । ପରେ ଏକ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ଖଡ଼ଗେ ବିଭିନ୍ନ ପ୍ରଶ୍ନର ଉତ୍ତର ଦେଇଛନ୍ତି । ଶ୍ରୀ ଖଡ଼ଗେଙ୍କ ସହ ଏଆଇସିସି ପୂର୍ବତନ ମୁଖପାତ୍ର ଗୌରବ ବଲ୍ଲଭ ମଧ୍ୟ ଏହି ସାମ୍ବାଦିକ ସମ୍ମିଳନୀରେ ଉପସ୍ଥିତ ରହିଥିଲେ ।

ଶ୍ରୀ ଖଡ଼ଗେ ଗତ ୫୫ ବର୍ଷ କଂଗ୍ରେସର ବିଭିନ୍ନ ପଦପଦବୀ ଓ କଂଗ୍ରେସ ଯୋଗୁ ଲୋକସଭା ଓ ରାଜ୍ୟସଭାରେ ନେତା ଭାବେ କାର୍ଯ୍ୟ କରିବାର ସୁଯୋଗ ପାଇଥିବା କହିଛନ୍ତି । ସଭାପତି ପଦ ପାଇଁ ତାଙ୍କର ନିଜସ୍ୱ କିଛି ନୂଆ ଇସ୍ତାହାର ନାହିଁ । ରାଜସ୍ଥାନର ଉଦୟପୁର ଚିନ୍ତନ ଶିବିବରରେ ଏଆଇସିସିର ବିଭିନ୍ନ ବିଶେଷଜ୍ଞ କମିଟିର ଘୋଷଣା ହିଁ ତାଙ୍କର ଇସ୍ତାହାର । ସେହି ଘୋଷଣାନାମା ଅନୁସାରେ ସାମାଜିକ ନ୍ୟାୟ, କୃଷକ ଓ ଯୁବକମାନଙ୍କର ଅଧିକାର, ଅର୍ଥନୈତିକ ଓ ବୈଦଶିକ ନୀତି ଏବଂ ବିଶେଷ କରି କଂଗ୍ରେସ ସାଂଗଠନିକ କାର୍ଯ୍ୟକ୍ରମ ପ୍ରସ୍ତୁତ ହେବ ବୋଲି କହିଛନ୍ତି । ମୋଦି ସରକାର ବିରୁଦ୍ଧରେ ଦୁର୍ବାର ଆନ୍ଦୋଳନ କରିବାକୁ ପଡ଼ିବ । କଂଗ୍ରେସର ନିର୍ବାଚିତ ସରକାର ଯଥା କର୍ଣ୍ଣାଟକ, ମଧ୍ୟପ୍ରଦେଶ, ମହାରାଷ୍ଟ୍ର ଆଦିକୁ ସରକାରୀ କଳର ଅପବ୍ୟବହାର ଓ ଅର୍ଥବଳ ପ୍ରୟୋଗ କରି ଭାଙ୍ଗି ଦିଆଯାଇଛି । ସାରା ଦେଶରେ ଯେଉଁମାନେ ଅଣବିଜେପି ସରକାର ଗଠନ କରିଛନ୍ତି ସେମାନଙ୍କୁ ଭୟଭୀତ କରାଯାଉଛି ବୋଲି ସେ କହିଥିଲେ ।

ଏହି କାର୍ଯ୍ୟକ୍ରମରେ ପୂର୍ବତନ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ, ଜୟଦେବ ଜେନା, ଜଗନ୍ନାଥ ପଟ୍ଟନାୟକ, ବିଧାୟକ ସୁରେଶ କୁମାର ରାଉତରାୟ, ତାରା ପ୍ରସାଦ ବାହିନୀପତି, ସନ୍ତୋଷ ସିଂ ସାଲୁଜା, ଦାଶରଥି ଗମାଙ୍ଗୋ, ଅଧିରାଜ ମୋହନ ପାଣିଗ୍ରାହୀ, ପଂଚାନନ କାନୁନଗୋ, ଗଣେଶ୍ୱର ବେହେରା, ଦେବାଶିଷ ପଟ୍ଟନାୟକ, ରବିନ୍ଦ୍ର ସେଠୀ, ବିଶ୍ୱ ରଞ୍ଜନ ମହାନ୍ତି, ଶିବାନନ୍ଦ ରାୟ, ବିଶ୍ୱଜିତ ଦାଶ, ଶୁଭେନ୍ଦୁ ମହାନ୍ତି, ବିଜୟଲକ୍ଷ୍ମୀ ସାହୁ, ଅଭିଷେକ ମହାନନ୍ଦ, ରଶ୍ମି ମହାପାତ୍ର, ରଣଜିତ ପାତ୍ର, ସୁରେଶ ମହାପାତ୍ର, ଯଜେ୍ଞଶ୍ୱର ବାବୁ, ଭୁଜବଳ ମାଝୀ, ନବଜ୍ୟୋତି ପଟ୍ଟନାୟକ, ମାନସ ଚୌଧୁରୀ, ବଟକୃଷ୍ଣ ରାଉତରାୟ, ସମୀର କୁମାର ରାଉତରାୟ, ଲଲାଟେନ୍ଦୁ ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ ।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।