ଥମୁନି ଦାମ-ଦେବାଶିଷ ବିବାଦ

ଭୁବନେଶ୍ୱର: ବରିଷ୍ଠ ମନ୍ତ୍ରୀ ଦାମୋଦର ରାଉତ ଓ ବିଜେଡି ସାଧାରଣ ସମ୍ପାଦକ ଦେବାଶିଷ ସାମନ୍ତରାୟଙ୍କ ମଧ୍ୟରେ ବାକ୍ ଯୁଦ୍ଧ ଜାରି ରହିଛି। ଦାମ ବିରୋଧୀଙ୍କ ଭୂମିକା ତୁଲାଉଛନ୍ତି ବୋଲି ଅଭିଯୋଗ କରିଛନ୍ତି ଦେବାଶିଷ। ତାଙ୍କ ବିରୋଧରେ ଦଳୀୟ କାର୍ଯ୍ୟାନୁଷ୍ଠାନ ନେଇ ଧମକ ମଧ୍ୟ ଦେଇଛନ୍ତି। ଏହାକୁ ନେଇ ଦେବାଶିଷଙ୍କ ଉପରେ ପାଲଟା ଆକ୍ରମଣ କରିଛନ୍ତି ଦାମ।

ଦେବାଶିଷ କହିଛନ୍ତି, ଦାମବାବୁ ମେୟରଙ୍କ ବିରୋଧରେ ନିଷ୍ପତ୍ତି ଭୁଲ ନିଆଯାଇଛି କହି ଦଳ ବିରୋଧରେ ଯାଇଛନ୍ତି। ବିଗତ ଦିନରେ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ଦୁଇଥର ତାଙ୍କୁ ମନ୍ତ୍ରୀପଦ ହରାଇବାକୁ ପଡିଛି। ଯଦି ମୁଖ୍ୟମନ୍ତ୍ରୀ ଅନୁଭବ କରିବେ ଯେ, ସେ ଦଳ ବିରୋଧୀ କାର୍ଯ୍ୟ କରୁଛନ୍ତି ତେବେ ପୁଣି ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହୋଇପାରେ।

ଏହାର ଉତ୍ତରରେ ଦାମ କହିଛନ୍ତି, ମୁଁ କହିଲି ମୟରଙ୍କ ନାଁରେ ଯଦି ରାସନ କାର୍ଡ ଅଛି ଓ ସେ ପାଇବାକୁ ଯୋଗ୍ୟ ନୁହନ୍ତି ଜଣାପଡିବା ପରେ ଏହାକୁ ରଦ୍ଦ କରି ଦେଇଥାନ୍ତେ। ସେ ଇସ୍ତଫା ଦେଇ ଦେଲେ। ଯଦି ନୈତିକ କାରଣ ଦର୍ଶାଇ ସେ ଇସ୍ତଫା ଦେଇଛନ୍ତି, ତେବେ ଦେଇଥିବେ ବୋଲି କହିଥିଲି। ଏଥିରେ ଦଳ ବିରୋଧୀ କାର୍ଯ୍ୟ କେଉଁଠି ରହିଲା ବୋଲି ସେ ପ୍ରଶ୍ନ କରିଛନ୍ତି।

ଗତକାଲି ପରି ଆଜି ମଧ୍ୟ ଦେବାଶିଷ ଦାମବାବୁ ତାଙ୍କର ଚିକିତ୍ସା କରାନ୍ତୁ ବୋଲି କହିଛନ୍ତି। ସେ କହିଛନ୍ତି ବିଜୁ ବାବୁଙ୍କୁ ବିରୋଧ କରିବା ବେଳେ ବସନ୍ତ ବିଶ୍ୱାଳ ସେଠାରେ ମନ୍ତ୍ରୀ ଥିଲେ। ସେତେବେଳେ ମୁଁ ପାଠ ପଢୁଥିଲି ଆଉ ଓଡ଼ିଶାରେ ବି ନ ଥିଲି। ମୁଁ ଆଗରୁ ଠିକାଦାରୀ କରୁଥିଲି। ଏବେ ଆଉ କରୁନାହିଁ ବୋଲି ସେ କହିଛନ୍ତି।

ଦାମ କହିଛନ୍ତି, ସେ(ଦେବାଶିଷ) ୨୦୦୦ ମସିହା ପର୍ଯ୍ୟନ୍ତ ବିଜୁ ପଟ୍ଟନାୟକଙ୍କର ପରମ ବିରୋଧୀ ଥିଲେ। ୨୦୦୦ରେ ବିଜେଡିରେ ମିଶିବା ପରେ ବିଜୁ ବାବୁଙ୍କ ପ୍ରବକ୍ତା ସାଜିଛନ୍ତି। ପ୍ରକୃତ କଥା ହେଉଛି ସେ ବିଜୁ ବାବୁଙ୍କ ସମ୍ପର୍କରେ କିଛି ଜାଣି ନାହାନ୍ତି।

ସେହିପରି ପାରାଦୀପ ନିର୍ବାଚନ ମଣ୍ଡଳୀ କାହାର ତାକୁ ନେଇ ବି ଦୁହିଁଙ୍କ ମଧ୍ୟରେ ତୀବ୍ର ହୋଇଛି କଥା କଟାକଟି ହୋଇଛି।