ଆଜି ବି ଗୃହ ଚଲାଇ ଦେଲାନି ବିଜେଡି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଶାସକ ବିଜେଡିର ଜିଦ୍ ଯୋଗୁ ଆଜି ତୃତୀୟ ଦିନ ପାଇଁ ଗୃହ ଚାଲିପାରିନି। ବିଜେପି ବିଧାୟକ ସୁବାସ ପାଣିଗ୍ରାହୀଙ୍କ କ୍ଷମା ପ୍ରାର୍ଥନା ଦାବିରେ ବିଜେଡି ଅଟଳ ରହିଥିବାବେଳେ ବିଜେପି ମଧ୍ୟ ମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀ ତୁରନ୍ତ କ୍ଷମା ମାଗନ୍ତୁ ବୋଲି ପାଲଟା ଦାବି କରିଛି । ଏପଟେ ବିଜେଡି ଓ ବିଜେପି ଜାଣିଶୁଣି ମିଳିତ ଭାବେ ଗୃହକୁ ଚଲାଇ ଦେଉନାହାନ୍ତି ବୋଲି କଂଗ୍ରେସ ଅଭିଯୋଗ କରିଛି। ଶାସକ ଓ ବିରୋଧୀ ଦଳ ସଦସ୍ୟଙ୍କ ହଟ୍ଟଗୋଳ ଯୋଗୁ ଆଜି ବିଧାନସଭାରେ କୌଣସି କାର୍ଯ୍ୟ ସମ୍ଭବପର ହୋଇପାରିନି।

ଆଜି ପୂର୍ବାହ୍ନ ସାଢ଼େ ୧୦ଟାରେ ଗୃହ କାର୍ଯ୍ୟ ଆରମ୍ଭ ହେବାମାତ୍ରେ କଂଗ୍ରେସ ବିଧାୟକମାନେ ମଣ୍ଡିରେ ଚାଷୀମାନେ ଧାନ ବିକ୍ରି କରିପାରୁନଥିବା ଅଭିଯୋଗ ନେଇ ତୁରନ୍ତ ପଦକ୍ଷେପ ନେବା ଦାବିରେ ହଟ୍ଟଗୋଳ କରିଥିଲେ। ବିଜେପି ସଦସ୍ୟମାନେ ଅନୁରୂପ ଦାବି ଦୋହରାଉଥିବାବେଳେ ଶାସକ ବିଜେଡି ସଦସ୍ୟମାନେ ଗୃହର ମଧ୍ୟଭାଗକୁ ଆସି ବିଜେପି ବିଧାୟକ ଶ୍ରୀ ପାଣିଗ୍ରାହୀଙ୍କ କ୍ଷମା ପ୍ରାର୍ଥନା ଦାବି ସହ ହଟ୍ଟଗୋଳ କରିଥିଲେ। ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ଗୃହକୁ ମାତ୍ର ଏକ ମିନିଟ ପରେ ଅପରାହ୍ନ ସାଢ଼େ ୧୧ଟା ପର୍ଯ୍ୟନ୍ତ ମୁଲତବୀ ଘୋଷଣା କରିଥିଲେ। ତେବେ ଏହି ଅଚଳାବସ୍ଥା ଜାରି ରହିବାପରେ ବାଚସ୍ପତି ଗୃହକୁ ୨ଥରରେ ଅପରାହ୍ନ ୪ଟା ପର୍ଯ୍ୟନ୍ତ ମୁଲତବୀ ରଖିଥିଲେ। ଦ୍ୱିତୀୟାର୍ଦ୍ଧରେ ଗୃହ କାର୍ଯ୍ୟ ଆରମ୍ଭ ହେବାମାତ୍ରେ ମଧ୍ୟ ଉଭୟ ଶାସକ ଓ ବିରୋଧୀ ନିଜ ଜିଦରେ ଅଟଳ ରହିବାରୁ ଗୃହ ୩ଥର ମୁଲତବୀ ହୋଇଥିଲା। ଓ ଆଜି ଗୃହରେ ଆଲୋଚନା ହେବାକୁ ଥିବା ବିଭାଗର ଖର୍ଚ୍ଚଦାବିକୁ ଗିଲୋଟିନରେ ପାସ୍ କରାଯିବ ବୋଲି ବାଚସ୍ପତି ଶ୍ରୀ ପାତ୍ର ଘୋଷଣା କରିଥିଲେ।

ଗୃହରେ ହଟ୍ଟଗୋଳକୁ ନେଇ ସରକାରୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ କହିଥିଲେ ଯେ, ବିଜେପି ବିଧାୟକ ସୁବାସ ପାଣିଗ୍ରାହୀ କ୍ଷମା ନମାଗିବା ପର୍ଯ୍ୟନ୍ତ ଗୃହ ଚଳାଇ ଦିଆଯିବ ନାହିଁ। ବିଧାୟକ ଆତ୍ମହତ୍ୟା ଉଦ୍ୟମ କରି ଗୃହରେ କି ପରମ୍ପରା ସୃଷ୍ଟି କରିଛନ୍ତି। ଦାବି ପୂରଣ ନହେଲେ କ’ଣ ସବୁ ବିଧାୟକ ଆତ୍ମହତ୍ୟା କରୁଛନ୍ତି କି? ତେଣୁ ବିଜେପି ବିଧାୟକ ତୁରନ୍ତ କ୍ଷମା ମାଗନ୍ତୁ ବୋଲି ବିଜେଡି ଦାବି କରୁଛି।
ଅନ୍ୟପକ୍ଷରେ ବିଜେପି ବିଧାୟକ ଦଳ ନେତା ତଥା ବିରୋଧୀ ଦଳ ନେତା ପ୍ରଦୀପ୍ତ କୁମାର ନାଏକ କହିଛନ୍ତି ଯେ, ମନ୍ତ୍ରୀମାନେ ଗୃହ ଭିତରେ ହଟ୍ଟଗୋଳ କରି ଗୃହର ମର୍ଯ୍ୟାଦା ହାନି କରିଛନ୍ତି। ପ୍ରଥମେ ସେମାନେ କ୍ଷମା ମାଗନ୍ତୁ। ମୁଖ୍ୟମନ୍ତ୍ରୀ ନବୀନ ନିବାସରେ ରହିଛନ୍ତି,ବିଧାନସଭାରୁ କାର୍ଯ୍ୟ କରୁଛନ୍ତି। କିନ୍ତୁ ରାଜନୀତିକ ଫାଇଦା ପାଇଁ ସୁନ୍ଦରଗଡ଼, ନୂଆପଡ଼ାକୁ ଯାଉଛନ୍ତି । ତେଣୁ ମୁଖ୍ୟମନ୍ତ୍ରୀ କାହିଁକି ଗୃହକୁ ଆସୁନାହାନ୍ତି ସେଥିପାଇଁ କ୍ଷମା ମାଗନ୍ତୁ।
ସେହିପରି କଂଗ୍ରେସ ମୁଖ୍ୟ ସଚେତକ ତାରାପ୍ରସାଦ ବାହିନୀପତି କହିଛନ୍ତି ଯେ, ଉଭୟ ବିଜେଡି ଓ ବିଜେପି ଆଜି ବିଧାନସଭାକୁ ଚଳାଇ ଦେଇନାହାନ୍ତି। ଗୃହରେ ଚାଷୀ ପ୍ରସଙ୍ଗରେ ଆଲୋଚନା ହେଉ ଓ ଚାଷୀଙ୍କ ସମସ୍ୟା କିଭଳି ସମାଧାନ ହେବ ସେମାନେ ଚାହୁଁନାହାନ୍ତି। କଂଗ୍ରେସ ସଦସ୍ୟମାନେ ଆଜି ପୋଷ୍ଟର ଧରି ନିଜର ପ୍ରତିବାଦ ଜଣାଇଛି। ଚାଷୀଙ୍କ ସମସ୍ୟାର ସମାଧାନ ଓ ତୁରନ୍ତ ମଣ୍ଡିରୁ ଧାନ ଉଠିବା ପାଇଁ କଂଗ୍ରେସ ଦାବି କରୁଛି।
ସୂଚନାଯୋଗ୍ୟ, ମଣ୍ଡିରୁ ଧାନ ଉଠୁନଥିବା ପ୍ରତିବାଦ ଓ ଚାଷୀମାନେ ହଇରାଣ ହେଉଥିବାରୁ ବିଜେପି ବିଧାୟକ  ସୁବାସ ପାଣିଗ୍ରାହୀ ଗୃହରେ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିବା ସହ ସାନିଟାଇଜର ପିଇ ଆତ୍ମହତ୍ୟା ଉଦ୍ୟମ କରିଥିଲେ। ଯାହାକୁ ନେଇ ବିଜେଡି ପ୍ରଥମ ଦିନ ଚୁପ୍ ରହିବାପରେ ଏବେ କ୍ରମାଗତ ଦୁଇଦିନ ଧରି ଶ୍ରୀ ପାଣିଗ୍ରାହୀଙ୍କ କ୍ଷମା ପ୍ରାର୍ଥନା ଦାବିରେ ଗୃହକୁ ଚଳାଇ ଦେଉନାହିଁ।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।