ଫସିଲେ ବିଜେଡି ବିଧାୟକ ବ୍ୟୋମକେଶ, ଥାନାରେ ଏତଲା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବିବାଦୀୟ ଅଡ଼ିଓ ମାମଲାରେ ଚାନ୍ଦବାଲି ବିଧାୟକ ବ୍ୟୋମକେଶ ରାୟଙ୍କ ବିରୋଧରେ ଥାନାରେ ଏତଲା ହୋଇଛି।  କ୍ୟାପିଟାଲ ଥାନାରେ ଲିଖିତ ଅଭିଯୋଗ କରିଛି ଛାତ୍ର କଂଗ୍ରେସ। ମୁଖ୍ୟମନ୍ତ୍ରୀ ଗୃହ ବିଭାଗର ମୁଖ୍ୟ ହୋଇ ମଧ୍ୟ ମୁହଁ ଖୋଲୁନଥିବା ଅଭିଯୋଗ ହୋଇଛି। ସମାଧାନ ନହେଲେ ଡିଜି ଅଫିସ ଘେରାଉ କରିବାକୁ ଚେତାବନୀ ଦିଆଯାଇଛି।

ସେପଟେ ଆଜି ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକ ବିଧାନସଭାରେ ଏହାକୁ ପ୍ରସଙ୍ଗ କରି ଘଟଣାର ନିରପେକ୍ଷ ତଦନ୍ତ ସହ ବିଧାୟକଙ୍କ ଆଚରଣରେ ଶାଳୀନତା ନେଇ ବାଚସ୍ପତିଙ୍କ ରୁଲିଂ ଦାବି କରିଥିଲେ । ଶୂନ୍ୟକାଳରେ ବିରୋଧୀ ଦଳ ନେତା ଶାସକ ଦଳକୁ ନିଶାନା କରି କହିଛନ୍ତି, ବ୍ୟୋମକେଶଙ୍କ ଏହି ଭାଇରାଲ ଅଡିଓରୁ ଜଣାପଡୁଛି, କେମିତି ଚାଲିଛି ରାଜ୍ୟରେ ଶାସନ। ଏହାର ନିରପେକ୍ଷ ତଦନ୍ତ ସହ MLAମାନେ ଯେମିତି ନିଜ ଆଚରଣରେ ଶାଳୀନତା ରଖିବେ, ସେଥିପାଇଁ ବାଚସ୍ପତି ରୁଲିଂ ଦିଅନ୍ତୁ ବୋଲି ସେ ଦାବି ରଖିଛନ୍ତି।

କଂଗ୍ରେସ ମଧ୍ୟ ସରକାରୀ କର୍ମଚାରୀଙ୍କୁ ଜନପ୍ରତିନିଧିଙ୍କ ଏଭଳି ଆଚରଣକୁ ନେଇ ପ୍ରଶ୍ନ ଉଠାଉଛି। ଏହି ବାର୍ତ୍ତାଳାପକୁ ନେଇ ଝଡ଼ ଉଠିବା ପରେ ଗୃହରେ ବିବୃତ୍ତି ରଖିଛନ୍ତି ବ୍ୟୋମକେଶ । କହିଛନ୍ତି, ପୁଲିସ ବାବୁ ଜଣକ ଗରିବଙ୍କୁ ହଇରାଣ ହରକତ କରି ଟଙ୍କା ଆଦାୟ କରୁଥିଲେ । ମୋ କଥାବାର୍ତ୍ତାକୁ ବିଭ୍ରାନ୍ତି କରି ଦେଖାଯାଉଛି। ମୁଁ ପିଏଚ୍‌ଡି କରିଛି, କାହାକୁ କେମିତି ବ୍ୟବହାର କରାଯିବ, ତାହା ମତେ ଶିଖାଇବା ଦରକାର ନାହିଁ । ବ୍ୟୋମକେଶଙ୍କ ସପକ୍ଷରେ ସରକାରୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ ତାଙ୍କ ପ୍ରତିକ୍ରିୟାରେ ଏହାକୁ ଛୋଟିଆ କଥା ବୋଲି ଅବତାରଣା କରିବା ସହ ପ୍ରସଙ୍ଗ ଗୃହରେ ଉଠିବା ଅନୁଚିତ ବୋଲି କହିଛନ୍ତି।

ସେହିପରି ଜଣେ ଜନପ୍ରତିନିଧିଙ୍କ ଏଭଳି ଆପତ୍ତିଜନକ ଆଚରଣ ବିରୋଧରେ ରାଜରାସ୍ତାକୁ ଓହ୍ଲାଇଛି ବିଜେପି । କେଉଁଠି ବିକ୍ଷୋଭ ତ ଆଉ କେଉଁଠି ପୋଷ୍ଟର ସହ କୁଶପୁତ୍ତଳିକା ଦାହ କରାଯାଇଛି । ବ୍ୟୋମକେଶଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନହେଲେ ଭୟଙ୍କର ଆନ୍ଦୋଳନ  ଚେତାବନୀ ବି ଦେଇଛି ଦଳ। ବ୍ୟୋମକେଶ ଯେଉଁ ପୁଲିସ  ଅଧିକାରୀଙ୍କୁ ଧମକ ଦେଉଛନ୍ତି, ସେ ହେଉଛନ୍ତି ଭଦ୍ରକ ଜିଲ୍ଲା ବାଂଶଡ଼ା ଥାନା ଏଏସ୍ଆଇ ଗୁରୁଚରଣ ବେହେରା । ଯାହାର ଅଡ଼ିଓ ଘୁରି ବୁଲୁଛି ଏ ମୋବାଇଲରୁ ସେ ମୋବାଇଲ୍।

ନେତାଙ୍କ ଏଭଳି ଆଚରଣ କିଛି ନୂଆ ନୁହେଁ।  ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ହୁଅନ୍ତୁ କି ସରୋଜ ମେହେର ଅବା ବିଜେଡି ନେତା ଆୟୁବ ଖାନ୍ । ଏକାଧିକ ନେତା ପୂର୍ବରୁ ଏଭଳି ନିନ୍ଦନୀୟ ଆଚରଣ କରି ବିବାଦରେ ଫସିଛନ୍ତି । ତେବେ ପୁଲିସ ବାବୁ ଭୁଲ୍ କରୁଥିଲେ ବି ଚାନ୍ଦବାଲି ବିଧାୟକ ଅଶ୍ରାବ୍ୟ ଭାଷାରେ ଗାଳିଗୁଲଜ କରି ଡିଜିଙ୍କୁ ପ୍ରଭାବିତ କରି ବଦଳିର ଧମକ ଦେବା କେତେଦୂର ଠିକ୍ ତାକୁ ନେଇ ଏବେ ବଡ଼ ପ୍ରଶ୍ନବାଚୀ ଠିଆ ହୋଇଛି।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।