ପିପିଲି ଉପନିର୍ବାଚନ ପାଇଁ ସର୍ବଦଳୀୟ ବୈଠକ, ଷ୍ଟାର ପ୍ରଚାରକ ସଂଖ୍ୟା କମିଲା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପିପିଲି ଉପନିର୍ବାଚନ ପାଇଁ ତାରିଖ ଘୋଷଣା ହେବାପରେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ଆଜି ବିଭିନ୍ନ ରାଜନୀତିକ ଦଳ ସହ ସର୍ବଦଳୀୟ ବୈଠକ କରିଛନ୍ତି। କୋଭିଡ୍ ଗାଇଡଲାଇନ ପାଳନ କରି ଅବାଧ ଓ ନିରପେକ୍ଷ ଉପନିର୍ବାଚନ ପରିଚାଳନା କରିବା ନିମନ୍ତେ ସମସ୍ତ ରାଜନୀତିକ ଦଳର ସହଯୋଗ ଏହି ବୈଠକରେ ଲୋଡ଼ିଥିଲେ।

ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶୀଲ କୁମାର ଲୋହାନୀ ସର୍ବଦଳୀୟ ବୈଠକରେ ରାଜନୀତିକ ଦଳର ପ୍ରତିନିଧିମାନଙ୍କୁ ସୂଚନା ଦେଇ କହିଥିଲେ ଯେ, ପିପିଲି ଉପନିର୍ବାଚନ ପାଇଁ ଆଦର୍ଶ ଆଚରଣ ବିଧି ଲାଗୁ ହୋଇଥିଲେ ମଧ୍ୟ ପୂର୍ବରୁ ଚାଲୁ ରହିଥିବା ସମସ୍ତ କାର୍ଯ୍ୟ ପୂର୍ବଭଳି ଚାଲିବ। ସ୍ୱୀକୃତିପ୍ରାପ୍ତ ଦଳଗୁଡ଼ିକ ନିର୍ବାଚନ ପ୍ରଚାର ନିମନ୍ତେ ୩୦ଜଣରୁ ଅଧିକ ଓ ଅନ୍ୟାନ୍ୟ ରାଜନୀତିକ ଦଳମାନେ ୧୫ଜଣରୁ ଅଧିକ ତାରକା ପ୍ରଚାରକ ଆଣିପାରିବେ ନାହିଁ। ବିଧାନସଭା ନିର୍ବାଚନ ପାଇଁ ଜଣେ ପ୍ରାର୍ଥୀ ସର୍ବାଧିକ ୩୦.୮୦ଲକ୍ଷ ଟଙ୍କା ଖର୍ଚ୍ଚ କରିପାରିବେ।

ପ୍ରାର୍ଥୀମାନେ ଦୈନନ୍ଦିନ ନିର୍ବାଚନ ଖର୍ଚ୍ଚ ରେଜିଷ୍ଟରରେ ଲେଖିବେ ଓ ଖର୍ଚ୍ଚ ପର୍ଯ୍ୟବେକ୍ଷକ ନିର୍ବାଚନ ପ୍ରକ୍ରିୟା ମଧ୍ୟରେ ଅତିକମରେ ୩ଥର ଉକ୍ତ ଖର୍ଚ୍ଚ ରେଜିଷ୍ଟର ତନଖିବେ। ମାସ୍କ, ସାନିଟାଇଜର, ସ୍କାନିଂ ଇତ୍ୟାଦିକୁ ନିର୍ବାଚନ ସମୟରେ ବାଧ୍ୟତାମୂଳକ କରାଯିବ। ଏଥର ମଧ୍ୟ ଉପନିର୍ବାଚନରେ ୮୦ବର୍ଷରୁ ଅଧିକ ବୟସର ବ୍ୟକ୍ତି, ଦିବ୍ୟାଙ୍ଗ ଓ ସନ୍ଦିଗ୍ଧ କୋଭିଡ୍ ରୋଗୀ ବା କ୍ୱାରେଣ୍ଟାଇନରେ ଥିବା ଭୋଟରଙ୍କ ନିମନ୍ତେ ପୋଷ୍ଟାଲ ବାଲାଟ୍ ବ୍ୟବସ୍ଥା କରାଯିବ। ପୋଷ୍ଟାଲ ବାଲାଟ୍ ପାଇଁ ପସନ୍ଦ କରିଥିବା ଭୋଟରମାନେ ମତଦାନ କେନ୍ଦ୍ରକୁ ଯାଇ ମତଦାନ କରିପାରିବେ ନାହିଁ ବୋଲି ଶ୍ରୀ ଲୋହାନୀ କହିଛନ୍ତି।

ଅପରାଧପ୍ରବଣ ପୃଷ୍ଠଭୂମି ଥିବା ପ୍ରାର୍ଥୀମାନେ ନିର୍ବାଚନରେ ଅଂଶଗ୍ରହଣ କରୁଥିଲେ ସେମାନେ ଉଭୟ ଛାପା ଓ ବୈଦ୍ୟୁତିକ ଗଣମାଧ୍ୟମ ଜରିଆରେ ଅତିକମରେ ୩ଥର ସେମାନଙ୍କ ଅପରାଧ ପୃଷ୍ଠଭୂମି ସମ୍ପର୍କରେ ପ୍ରଚାରପ୍ରସାର କରିବେ। ପ୍ରାର୍ଥୀ କିମ୍ବା ରାଜନୀତିକ ଦଳଗୁଡ଼ିକ ନିର୍ବାଚନ ପ୍ରଚାର କଲେ ଏବାବଦରେ ସମସ୍ତ ଖର୍ଚ୍ଚ ସମ୍ପୃକ୍ତ ପ୍ରାର୍ଥୀଙ୍କ ନିର୍ବାଚନ ଖର୍ଚ୍ଚ ଆକାଉଣ୍ଟ ଓ ଦଳର ନିର୍ବାଚନ ଖର୍ଚ୍ଚ ଆକାଉଣ୍ଟରେ ଉଲ୍ଲେଖ କରାଯିବ ବୋଲି ମୁଖ୍ୟ ନିର୍ବାଚନ ଅଧିକାରୀ ଶ୍ରୀ ଲୋହାନୀ କହିଛନ୍ତି।

ଏହି ବୈଠକରେ କଂଗ୍ରେସର ଶିବାନନ୍ଦ ରାୟ, ବିଜେପିର ଜଗନ୍ନାଥ ପ୍ରଧାନ, ବିଜେଡିର ଅନନ୍ତ ନାରାୟଣ ଜେନା,ସିପିଏମର ରମେଶ ଚନ୍ଦ୍ର ପାଢ଼ୀ, ନ୍ୟାସନାଲିଷ୍ଟ କଂଗ୍ରେସ ପାର୍ଟିର ବିକ୍ରମ ସ୍ୱାଇଁ, ସମାଜବାଦୀ ପାର୍ଟିର ମଧୁସୂଦନ ପଣ୍ଡା ପ୍ରମୁଖ ଯୋଗ ଦେଇଥିଲେ।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।