ନିର୍ବାଚନ ପୂର୍ବରୁ ଅର୍ଥ ବ୍ୟବସ୍ଥା କରି ପରେ ଭୁଲିଯିବା ବିଜେଡିର ଷ୍ଟାଇଲ୍‌: ଅପରାଜିତା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଚଳିତ ବର୍ଷ ବଜେଟ୍‌ରେ ‘ବିଜୁ ଯୁବ ବାହିନୀ’ ପାଇଁ ଅର୍ଥ ବ୍ୟବସ୍ଥା ହୋଇନି। ଯାହାକୁ ନେଇ ଶାସକ ବିଜେଡିକୁ ଟାର୍ଗେଟ କରିଛନ୍ତି ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ। ସେ କହିଛନ୍ତି, ସାଧାରଣ ନିର୍ବାଚନ ପୂର୍ବରୁ ‘ବିଜୁ ଯୁବ ବାହିନୀ’ ପାଇଁ ଅର୍ଥ ବ୍ୟବସ୍ଥା କରି ପରେ ଭୁଲିଯିବା ବିଜେଡିର ଷ୍ଟାଇଲ୍‌। ଏହାଦ୍ୱାରା ଯୁବକଙ୍କୁ ବୋକା ବନାଯାଉ ନାହିଁ କି ବୋଲି ଅପରାଜିତା ଷଡଙ୍ଗୀ ପ୍ରଶ୍ନ କରିଛନ୍ତି।

ସୂଚନାରୁ ପ୍ରକାଶ, ଯୁବକମାନଙ୍କୁ ଆକୃଷ୍ଟ କରିବା ପାଇଁ ୨୦୧୮ ମସିହା ମାର୍ଚ୍ଚ ୧୪ ତାରିଖରେ ‘ବିଜୁ ଯୁବବାହିନୀ’ ଗଠନ ପ୍ରସ୍ତାବକୁ ମଞ୍ଜୁରି ଦେଇଥିଲେ ରାଜ୍ୟ କ୍ୟାବିନେଟ। ଆଉ ତା’ପରେ ଉଦ୍‌ଘାଟନ କରାଯାଇଥିଲା। ଏଥିପାଇଁ ବିଭିନ୍ନ କାର୍ଯ୍ୟକ୍ରମ ବାବଦକୁ ୩ ବର୍ଷରେ ୪୫୦ କୋଟି ଟଙ୍କା ଖର୍ଚ୍ଚ କରିବାକୁ ଲକ୍ଷ୍ୟ ରଖାଯାଇଥିଲା। ସବୁ ପଞ୍ଚାୟତ ଓ ପୌର ସଂସ୍ଥାରେ ୮ ହଜାର ଗ୍ରୁପ୍‌ ଗଠନ ଲାଗି ବ୍ୟବସ୍ଥା ହୋଇଥିଲା। ସାଧାରଣ ନିର୍ବାଚନ ପୂର୍ବରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଭିନ୍ନ ଜିଲ୍ଲାକୁ ଯାଇ ‘ବିଜୁ ଯୁବ ବାହିନୀ’ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ। ‘ମୁଁ ହିରୋ’ କାର୍ଯ୍ୟକ୍ରମ ମାଧ୍ୟମରେ ଯୁବକମାନଙ୍କୁ ଆକୃଷ୍ଟ କରିବା ପାଇଁ ଉଦ୍ୟମ କରାଯାଇଥିଲା।

ହେଲେ ନିର୍ବାଚନ ସରିବା ପରେ ବନ୍ଦ ହୋଇଗଲା ‘ବିଜୁ ଯୁବବାହିନୀ’। ଏହି ଯୋଜନାକୁ ଆଉ ଆଗକୁ ନେବେ ନାହିଁ ବୋଲି ବିଧାନସଭାରେ ବିଜେପି ବିଧାୟକ ଭବାନି ଶଙ୍କର ଭୋଇଙ୍କ ପ୍ରଶ୍ନ ଉପରେ କ୍ରୀଡା ଓ ଯୁବ କଲ୍ୟାଣ ମନ୍ତ୍ରୀ ତୁଷାରକାନ୍ତି ବେହେରାଙ୍କ ଉତ୍ତରରୁ ଏହା ସ୍ପଷ୍ଟ ଭାବେ ଜଣାପଡ଼ିଛି। ସେପଟେ ୨୦୨୧-୨୨ ବଜେଟ୍‌ରେ ‘ବିଜୁ ଯୁବ ବାହିନୀ’ ପାଇଁ ଅର୍ଥ ବ୍ୟବସ୍ଥା ହୋଇନଥିବା ମନ୍ତ୍ରୀ କହିଛନ୍ତି। ଏହାର ଅର୍ଥ ଯୁବ ବାହିନୀ ପୋଥିରେ ଡୋରି ବାନ୍ଧିଛନ୍ତି ସରକାର। ଏହାକୁ ନେଇ ବର୍ଷିଛନ୍ତି ବିରୋଧୀ ବିଜେପି ଓ କଂଗ୍ରେସ। ବିଜୁ ଯୁବବାହିନୀ ନାଁରେ ରାଜ୍ୟ ରାଜକୋଷରୁ ଟଙ୍କା ଲୁଟ୍‌ କରିଥିବା ବିଜେପି ଅଭିଯୋଗ କରିଥିବା ବେଳେ ଏହା ନିର୍ବାଚନ ବୈତରଣୀ ପାର ହେବା ଚାଲ୍‌ ଥିଲା ବୋଲି କହିଛି କଂଗ୍ରେସ।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।