କେବଳ ବର୍ଷେ ଚାଲିଛି ‘ବିଜୁ ଯୁବ ବାହିନୀ’ଯୋଜନା, ୨୦୧୯ରେ ଫେରିଛି ୯୮କୋଟି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟର ଯୁବବର୍ଗଙ୍କ ସାମଗ୍ରିକ ବିକାଶ ଓ ସେମାନଙ୍କୁ ସଶକ୍ତ କରିବା ଉଦ୍ଦେଶ୍ୟରେ ୨୦୧୮ ମାର୍ଚ୍ଚ ୧୪ତାରିଖରେ ରାଜ୍ୟ କ୍ୟାବିନେଟର ମଞ୍ଜୁରୀ ପାଇଥିବା ‘ବିଜୁ ଯୁବ ବାହିନୀ’ ଯୋଜନାର ଗତବର୍ଷଠୁ ଅକାଳ ମୃତ୍ୟୁ ହୋଇସାରିଛି। ଏହି ୪୫୦କୋଟି ଟଙ୍କାର ୩ବର୍ଷିଆ ଯୋଜନା ମଧ୍ୟ ୨୦୧୯ ସାଧାରଣ ନିର୍ବାଚନ ସରିବା ପରେ ନିଜର ଅସ୍ତିତ୍ୱ ହରାଇ ବସିଥିଲା। ରାଜ୍ୟ ସରକାର ୨୦୧୯-୨୦ ଆର୍ଥିକ ବର୍ଷରେ ଏହାକୁ ବନ୍ଦ କରିବା ପାଇଁ ନିଷ୍ପତ୍ତି ନେଇଥିବା ସହ ସେହିବର୍ଷ ଏହି ଯୋଜନାରେ ଆବଣ୍ଟିତ ହୋଇଥିବା ୯୮କୋଟି ଟଙ୍କାକୁ ମଧ୍ୟ ଅନ୍ୟତ୍ର ସ୍ଥାନାନ୍ତର କରିଥିଲେ। ଅବଶ୍ୟ ଆଜି କ୍ରୀଡ଼ା ଓ ଯୁବସେବା ମନ୍ତ୍ରୀ ତୁଷାରକାନ୍ତି ବେହେରା ୨୦୨୦-୨୧ ଆର୍ଥିକ ବର୍ଷରେ ବିଜୁ ଯୁବ ବାହିନୀ ପାଇଁ ଅର୍ଥବରାଦ ହୋଇନାହିଁ ବୋଲି ବିଧାନସଭାକୁ ସୂଚନା ଦେଇଥିବାବେଳେ ୨୦୧୯-୨୦ରେ ବି ଟଙ୍କାଟିଏ ଏହି ଯୋଜନାରେ ଖର୍ଚ୍ଚ ହୋଇନଥିବାକୁ ଚତୁରତାର ସହ ଏଡ଼ାଇ ଯାଇଛନ୍ତି।

କ୍ରୀଡ଼ାମନ୍ତ୍ରୀ ଶ୍ରୀ ବେହେରା ଆଜି ବିଧାନସଭାରେ ଏକ ପ୍ରଶ୍ନର ଲିଖିତ ଉତ୍ତରରେ କହିଥିଲେ ଯେ ବିଜୁ ଯୁବ ବାହିନୀ ଏବେ କାର୍ଯ୍ୟକ୍ଷମ ନାହିଁ। ଚଳିତ ଆର୍ଥିକ ବର୍ଷ(୨୦୨୦-୨୧)ରେ ବିଜୁ ଯୁବ ବାହିନୀ ପାଇଁ ବଜେଟରେ କୌଣସି ଅର୍ଥ ବ୍ୟବସ୍ଥା ନାହିଁ। ତେଣୁ ଖର୍ଚ୍ଚର କୌଣସି ଅବକାଶ ନାହିଁ ବୋଲି କହିଛନ୍ତି। ତେବେ ଯୁବବର୍ଗଙ୍କ ପାଇଁ ଉଦ୍ଦିଷ୍ଟ ୪୫୦କୋଟି ଟଙ୍କାର ଏହି ୩ବଷିଆ ଯୋଜନାକୁ ସରକାର ୨୦୧୯ ସାଧାରଣ ନିର୍ବାଚନ ପରେ ବନ୍ଦ କରିବାକୁ ନିଷ୍ପତ୍ତି ନେଇଥିଲେ ଓ ଏହି ଯୋଜନାକୁ ୩ବର୍ଷ ପର୍ଯ୍ୟନ୍ତ ଚଳାଇ ରଖିବାରେ ବିଭାଗର ଅପାରଗତା ଜଳଜଳ ହୋଇ ପଦାରେ ପଡ଼ିଥିଲା।

କ୍ୟାବିନେଟ ନିଷ୍ପତ୍ତି ଅନୁସାରେ ୨୦୧୮-୧୯ରେ ୧୯୨.୭୩ କୋଟି, ୨୦୧୯-୨୦ରେ ୧୨୮.୮୭କୋଟି ଓ ୨୦୨୦-୨୧ରେ ୧୦୯.୩୦ କୋଟି ଟଙ୍କା ବ୍ୟୟ ଅଟକଳ କରି ବିଜୁ ଯୁବ ବାହିନୀ ଯୋଜନାକୁ ଚଳାଇ ରାଜ୍ୟର ଗ୍ରାମାଂଚଳର ଯୁବବର୍ଗଙ୍କୁ ସାମଗ୍ରିକ ବିକାଶ କରାଯାଇଥାନ୍ତା। ଏହି ଯୋଜନାରେ ସମସ୍ତ ପଂଚାୟତ ଓ ପୌରାଂଚଳରେ ମୋଟ ୮ହଜାର ବିଜୁ ଯୁବ ବାହିନୀ ଗଠନ କରି ପ୍ରାୟ ୪ଲକ୍ଷ ଯୁବବର୍ଗଙ୍କୁ ଯୋଡ଼ିବା ନିମନ୍ତେ ଲକ୍ଷ୍ୟ ଧାର୍ଯ୍ୟ ହୋଇଥିଲା। କିନ୍ତୁ ବିଭାଗୀୟ ଅଧିକାରୀଙ୍କ ଅପାରଗତାରୁ ଏହି ଯୋଜନାରେ ସମଗ୍ର ରାଜ୍ୟରେ ୭୧୭୪ଟି ଯୁବ ବାହିନୀ ଗଠନ ହୋଇ ମାତ୍ର ୨.୭୬ଲକ୍ଷ ଯୁବବର୍ଗଙ୍କୁ ସାମିଲ କରାଯାଇ ପାରିଥିଲା।

ବିଭାଗୀୟ ଶୀର୍ଷ ଅଧିକାରୀମାନେ ଏହି ଯୋଜନାକୁ କେବଳ ବିଜେଡିକେନ୍ଦ୍ରିକ କରିବାରୁ ଏଥିରେ ସବୁ ବର୍ଗର ଯୁବକଯୁବତୀ ସାମିଲ ହେବାକୁ କୁଣ୍ଠାବୋଧ କରିଥିଲେ। ଯେଉଁଥିପାଇଁ ୨୦୧୯ ସାଧାରଣ ନିର୍ବାଚନ ପରେ ନବୀନ ପଟ୍ଟନାୟକ ସରକାର ଆଗତ କରିଥିବା ୨୦୧୯-୨୦ ବଜେଟରେ ବିଜୁ ଯୁବ ବାହିନୀ ପାଇଁ ୯୮କୋଟି ଟଙ୍କା ବ୍ୟୟବରାଦ ହୋଇଥିଲେ ବି ସେହି ଯୋଜନାକୁ ଅଚାନକ ବନ୍ଦ କରାଯାଇ ସେହି ଟଙ୍କାକୁ ଅନ୍ୟତ୍ର ସ୍ଥାନାନ୍ତର କରାଯାଇଥିଲା । ଅର୍ଥାତ୍ ବିଜୁ ଯୁବ ବାହିନୀ ଯୋଜନାରେ ମୋଟ ୧୦୦.୯୩କୋଟି ଟଙ୍କା ଖର୍ଚ୍ଚ ହୋଇଛି, ତା’ପୁଣି କେବଳ ୨୦୧୮-୧୯ ଆର୍ଥିକ ବର୍ଷରେ । ଏହି ଟଙ୍କାକୁ କ୍ରୀଡ଼ା ବିଭାଗର ଅଧିକାରୀମାନେ ମନଇଚ୍ଛା ଖର୍ଚ୍ଚ କରିଛନ୍ତି।

କ୍ରୀଡ଼ା ଉପକରଣ ବଣ୍ଟନ ନାଁରେ ୩୯କୋଟି, ‘ମୋ’ହିରୋ’ କାର୍ଯ୍ୟକ୍ରମରେ ୧୯.୩୫କୋଟି, ଯୁବ ସମାବେଶ ପାଇଁ ୧୮କୋଟି, ସାମାଜିକ କାର୍ଯ୍ୟ ପାଇଁ ୨୨.୯୫କୋଟି, ବ୍ଲକଠୁ ରାଜ୍ୟସ୍ତରର ପ୍ରୋଜେକ୍ଟ ମ୍ୟାନେଜମେଣ୍ଟ ୟୁନିଟ୍ ଗଢ଼ି ସେଠାରେ ବିଜେଡି କର୍ମୀଙ୍କୁ ନିଯୁକ୍ତି ଦେଇ ଦରମା ବାବଦରେ ୮.୦୫କୋଟି ଟଙ୍କା ବ୍ୟୟ କରିଥିଲେ। ‘ବିଜୁ ଯୁବ ବାହିନୀ’ ଆଳରେ କ୍ରୀଡ଼ା ବିଭାଗର ଅଧିକାରୀମାନେ ନିଜର ପକେଟକୁ ଗରମ କରୁଥିବାର ବାରମ୍ବାର ଅଭିଯୋଗ ଆସିବା ଓ ସିଏଜିଙ୍କ ଅଡିଟ୍ ପାଇଁ ବିଭାଗ ଟାଳଟୂଳ ନୀତି ଆପଣାଇବା ପରେ ସରକାର ଏହି ଯୋଜନାକୁ ତୁରନ୍ତ ବନ୍ଦ ନିମନ୍ତେ ନିର୍ଦ୍ଦେଶ ଦେଇଥିଲେ। ଆଉ ଏହି ଯୋଜନାକୁ ୨୦୧୯ ଅକ୍ଟୋବର ମାସରେ ବନ୍ଦ କରିବା ବଜେଟରେ ବ୍ୟୟବରାଦ ହୋଇଥିବା ୯୮କୋଟି ଟଙ୍କାକୁ ମଧ୍ୟ ଅନ୍ୟତ୍ର ସ୍ଥାନାନ୍ତର କରାଯାଇଥିଲା ବୋଲି ଜଣାପଡ଼ିଛି।
ତେଣୁ ‘ବିଜୁ ଯୁବ ବାହିନୀ’ ଯେ କେବଳ ନିର୍ବାଚନୀ ବୈତରଣୀ ପାର ହେବା ନିମନ୍ତେ ଉଦ୍ଦିଷ୍ଟ ଥିଲା ଓ ଦଳୀୟ କର୍ମୀଙ୍କୁ ତୁଷ୍ଟୀକରଣ ନିମନ୍ତେ ବିଜେଡି ସରକାର ରାଜକୋଷରୁ ୧୦୦କୋଟି ଟଙ୍କା ମନଇଚ୍ଛା ବାଣ୍ଟିଥିଲେ ତାହା ଏବେ ପ୍ରମାଣିତ ହୋଇଛି।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।