ଯାହା ନାଁରେ ଏଫଆଇଆର୍ ଅଛି, ସେ ଗୃହରେ କିପରି ବସିପାରିବେ: ପ୍ରଦୀପ୍ତ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ମାହାଙ୍ଗା ଡବଲ ମର୍ଡରକୁ ନେଇ ଆଜି ବିଧାନସଭାରେ ଖୁବ୍ ହଙ୍ଗାମା ହୋଇଛି। ଏହି ପ୍ରସଙ୍ଗରେ ଆଜି ବିଜେପି ବିଧାୟକମାନେ ଗୃହରେ ପ୍ରବଳ ହଟ୍ଟଗୋଳ କରିଥିଲେ। FIRରେ ଆଇନ ମନ୍ତ୍ରୀ ପ୍ରତାପ ଜେନାଙ୍କ ନାଁ ଥିବାରୁ ତାଙ୍କୁ ବହିଷ୍କାର କରିବା ଦାବିରେ ଗୃହରେ ବିଜେପି ସଦସ୍ୟ ହଙ୍ଗାମା କରିଥିଲେ। ଏହାସହ ମୁଖ୍ୟମନ୍ତ୍ରୀ ବିବୃତି ଦିଅନ୍ତୁ ବୋଲି ବି ଦାବି କରିଥିଲେ।

ଗୃହର ମଧ୍ୟଭାଗରେ ପୋଷ୍ଟର ପ୍ରଦର୍ଶନ ସହ ନାରାବାଜି କରିଥିଲେ ବିଜେପି ସଦସ୍ୟ। ଜଣେ ଦାଗି ମନ୍ତ୍ରୀ ପବିତ୍ର ଗୃହରେ କିଭଳି ବସିବେ, ସେ ନେଇ ପ୍ରଶ୍ନ କରିଥିଲେ ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକ। ପ୍ରଦୀପ୍ତ ନାଏକ କହିଛନ୍ତି, ମାହାଙ୍ଗା ଡବଲ୍ ମର୍ଡର କେସରେ ଆଇନ୍ ମନ୍ତ୍ରୀ ପ୍ରତାପ ଜେନାଙ୍କ ନାଁରେ ଏଫଆଇଆର୍ ଦାଖଲ କରାଯାଇଛି। ତାଙ୍କ ନାଁ ୧୩ ନମ୍ବର ତାଲିକାରେ ଅଛି। ସରକାର ବର୍ତ୍ତମାନ କାହିଁକି ତାଙ୍କୁ ପଚରାଉଚରା କଲେ ନାହିଁ। ଯେଉଁ ବ୍ୟକ୍ତିଙ୍କ ନାଁରେ ଏଫଆଇଆର୍ ରହିଛି, ସେହି ଲୋକ ବିଧାନସଭା ଗୃହରେ କିପରି ବସିପାରିବ ବୋଲି ପ୍ରଶ୍ନ କରିଛନ୍ତି ପ୍ରଦୀପ୍ତ ନାଏକ।

ସେହିପରି କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର କହିଛନ୍ତି, ଯେହେତୁ ସେ ଜଣେ ମନ୍ତ୍ରୀ ଅଛନ୍ତି, ସେ ନିଜେ ପଦକ୍ଷେପ ନେବା କଥା। କିଛି ଯଦି ସାକ୍ଷୀ ପ୍ରମାଣ ଅଛି, ପୁଲିସ୍ ତାକୁ ଗ୍ରହଣ କରୁ। ଯଦି କିଛି ନାହିଁ, ତାହେଲେ ସେ ରେକର୍ଡ କରୁ। ତା’ଦ୍ୱାରା ବାରମ୍ବାର ଯେଉଁ କଥା ଉଠୁଛି, ତା’ର ଆଲୋଚନା କରିବା ପାଇଁ ଆଉ ଅବକାଶ ନଥିବ ବୋଲି କହିଛନ୍ତି ନରସିଂହ ମିଶ୍ର।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।