କଂଗ୍ରେସ ପରେ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ବିଜେପି ବିଧାୟକ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବିଧାନସଭାରେ ୫ଦିନ ଧରି ସୃଷ୍ଟି ହୋଇଥିବା ଅଚଳାବସ୍ଥାକୁ ଏଡ଼ାଇବା ପାଇଁ କଂଗ୍ରେସ ପରେ ବିଜେପି ବିଧାୟକମାନେ ଚିଠି ଲେଖି ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ହସ୍ତକ୍ଷେପ ଲୋଡ଼ିଛନ୍ତି। ବିଧାନସଭାରେ ଚାଲିଥିବା ଅଚଳାବସ୍ଥାକୁ ଏଡ଼ାଇବା ପାଇଁ ଦୁଇ ବିରୋଧୀ ଦଳ କଂଗ୍ରେସ ଓ ବିଜେପି ପ୍ରୟାସ କରୁଥିଲେ ମଧ୍ୟ ଶାସକ ବିଜେଡି ନିଜର ଜିଦରେ ଅଟଳ ରହିଛି।

ଗୃହକୁ ସ୍ୱାଭାବିକ କରିବା ପାଇଁ ଗତ ୩ଦିନ ମଧ୍ୟରେ ଦୁଇଥର ଚିଠି ଲେଖି କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ସର୍ବଦଳୀୟ ବୈଠକ ଦାବି କରିଥିବାବେଳେ ବିଜେପି ବିଧାୟକମାନେ ଆଜି ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖି ରାଜ୍ୟରେ ଧାନମଣ୍ଡିରୁ ଧାନ କିଣା ସମ୍ପର୍କରେ ଆଲୋଚନା ପାଇଁ ଦାବି ଜଣାଇଛନ୍ତି। ବିଜେପି ବିଧାୟକମାନେ ସମୂହ ଭାବେ ଏକ ଚିଠି ଲେଖି ମୁଖ୍ୟମନ୍ତ୍ରୀ କାହିଁକି ଗୃହକୁ ଆସୁନାହାନ୍ତି ଓ ଏଭଳି ସ୍ପର୍ଶକାତର ପ୍ରସଙ୍ଗରେ ମୁହଁ ଖୋଲୁନାହାନ୍ତି ବୋଲି ପ୍ରଶ୍ନ କରିଛନ୍ତି।

ବିଧାନସଭାରେ ଫେବୃୟାରୀ ୨୬ତାରିଖରେ ମନ୍ତ୍ରୀ ଦେଇଥିବା ବିବୃତ୍ତି ଆଦୌ କାର୍ଯ୍ୟକାରୀ ହୋଇନାହିଁ। ବିଧାନସଭାରେ ଦିଆଯାଇଥିବା ପ୍ରତିଶ୍ରୁତି ଅସତ୍ୟ ବୋଲି ପ୍ରମାଣିତ ହୋଇଛି। ତେଣୁ ବିଧାନସଭା ପ୍ରକୋଷ୍ଠରେ, ଲୋକସେବା ଭବନରେ କିମ୍ବା ବାସଭବନରେ ଆଲୋଚନା ପାଇଁ ସମୟ ନିର୍ଦ୍ଧାରଣ କରାଗଲେ ବିଧାନସଭାରେ ସୃଷ୍ଟି ହୋଇଥିବା ଅପ୍ରୀତିକର ପରିସ୍ଥିତିର ଅବସାନ ହେବା ସହ ଓଡ଼ିଶାର ଚାଷୀକୂଳ ଉପକୃତ ହେବେ ବୋଲି ବିଜେପି ବିଧାୟକମାନେ ତାଙ୍କ ଚିଠିରେ ଉଲ୍ଲେଖ କରିଛନ୍ତି । ଏହି ଚିଠିରେ ବିରୋଧୀ ଦଳ ନେତା ପ୍ରଦୀପ୍ତ କୁମାର ନାଏକଙ୍କ ସମେତ ସମସ୍ତ ବିଜେପି ବିଧାୟକ ଦସ୍ତଖତ କରିଛନ୍ତି।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।