ଘର ସଜାଡ଼ିବା ମୁଡ୍‌ରେ ରାଜ୍ୟ କଂଗ୍ରେସ, ଜୁନ୍‌ ୧ରୁ ନବ ସଂକଳ୍ପ ସମାବେଶ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଅସଜଡ଼ା ଘରକୁ ସଜାଡ଼ିବା ପାଇଁ ଉଦ୍ୟମ ଆରମ୍ଭ କରିଛି ରାଜ୍ୟ କଂଗ୍ରେସ। ନୂଆ କରି ରାଜ୍ୟ କଂଗ୍ରେସର ମୁଖିଆ ହୋଇଥିବା ଶରତ ପଟ୍ଟନାୟକ ଏବେ ଦଳୀୟ ନେତା ଓ କର୍ମୀଙ୍କୁ ଏକାଠି କରିବାକୁ ରଣନୀତି ପ୍ରସ୍ତୁତି କରିଛନ୍ତି। ଏଥିପାଇଁ ଏଆଇସିସି ଭଳି ରାଜ୍ୟ କଂଗ୍ରେସ ପକ୍ଷରୁ ଅନୁଷ୍ଠିତ ହେବ ଚିନ୍ତନ ଶିବିର। ତେବେ ଏହାର ନାଁ ରାଜ୍ୟ କଂଗ୍ରେସ ପକ୍ଷରୁ ନବ ସଂକଳ୍ପ ସମାବେଶ ରଖାଯାଇଛି।

ଆସନ୍ତା ଜୁନ୍ ୧ ଓ ୨ ଭୁବନେଶ୍ୱର ଇନଷ୍ଟିଚ୍ୟୁଟ୍ ଅଫ ଇଞ୍ଜନିୟର୍ସ ଠାରେ ଏହି ସମାବେଶ ଅନୁଷ୍ଠିତ ହେବ। ଏଥିରେ ନେତା, ବିଧାୟକ, ସାଂସଦ, ବ୍ଲକ, ଜିଲ୍ଲା ସଭାପତି, ସବୁ ସେଲ୍‌ର ମୁଖ୍ୟ, ପୂର୍ବତନ ବିଧାୟକ ଓ ସାଂସଦ ମାନେ ଯୋଗଦେବେ। ସମାବେଶରେ ଦଳ ତା’ର ଆଗାମୀ ରଣନୀତି ପ୍ରସ୍ତୁତ କରିବ। ବିଶେଷ କରି ତୃଣମୂଳ ସ୍ତରରେ କଂଗ୍ରେସକୁ ସୁଦୃଢ଼ କରିବାକୁ ନେତାମାନେ ନିଜ ନିଜର ମତ ରଖିବେ। ଏହା ସହ ନେତା ଓ କର୍ମୀଙ୍କୁ ଶୃଙ୍ଖଳାର ପାଠପଢ଼ାଯିବ। ସମସ୍ତଙ୍କୁ ଶୃଙ୍ଖଳା ଭିତରେ ରହିବ କାମ କରିବାକୁ ସମାବେଶରେ ପରାମର୍ଶ ଦିଆଯିବ। ଯିଏ ବିଶୃଙ୍ଖଳା କରିବ ହାଇ କମାଣ୍ଡ ତାଙ୍କ କଥା ବୁଝିବେ। ଅତୀତରେ ବଡ ବଡ଼ ନେତାଙ୍କୁ ସସପେଣ୍ଡ କରାଯାଇଛି। ତେଣୁ ୨୦୨୪ ରେ ଭଲ ପ୍ରଦର୍ଶନ କରିବାକୁ ହେଲେ ଦୃଢ଼ ରୋଡ ମ୍ୟାପ୍ ଏବେ ଠାରୁ ପ୍ରସ୍ତୁତ ହେବା ଦରକାର। ଏହାକୁ ଦୃଷ୍ଟିରେ ରଖି କଂଗ୍ରେସ ନବ ସଂକଳ୍ପ ସମେବେଶ ଆୟୋଜନ କରିବାକୁ ଯାଉଥିବା ପିସିସି ସଭାପତି ଶରତ ପଟ୍ଟନାୟକ କହିଛନ୍ତି।

ସେ କହିଛନ୍ତି, “ଏଆଇସିସିର ନିର୍ଦ୍ଦେଶକ୍ରମେ ଜୁନ୍‌ ୧ ଓ ୨ରେ ସଂକଳ୍ପ ଶିବିର ଆୟୋଜନ ହେବ। କଂଗ୍ରେସର ସବୁ ନେତା ଓ କର୍ମୀ ଏଥିରେ ଯୋଗାଦେବେ। କଂଗ୍ରେସର ଓଡ଼ିଶା ପ୍ରଭାରୀ ଚେଲ୍ଲା କୁମାର ଓ ରୁଦ୍ର ରାଜୁ ବି ସାମିଲ ହେବେ। କଂଗ୍ରେସକୁ ସୁଦୃଢ଼ କରିବା ସହ ସମାବେଶରେ ବିଭିନ୍ନ ପ୍ରକାରର ରାଜନୀତିକ ପ୍ରସଙ୍ଗ ବିଷୟରେ ମଧ୍ୟ ଆଲୋଚନା ହେବ। ବିଭିନ୍ନ ବକ୍ତା ମଧ୍ୟ ନିଜ ନିଜର ମତ ରଖିବେ। ସମାବେଶ ପୂର୍ବରୁ ମୁଁ ଦିଲ୍ଲୀ ଯାଇ ହାଇକମାଣ୍ଡକୁ ଭେଟିବି। ସେହିପରି କଂଗ୍ରେସ ପକ୍ଷରୁ ଗୋଟିଏ କମିଟି ଗଠନ କରାଯିବ।”

କାର୍ଯ୍ୟକାରୀ ସଭାପତି ନିଯୁକ୍ତି ହେବେ କି ପ୍ରଶ୍ନରେ ଶ୍ରୀ ପଟ୍ଟନାୟକ କହିଛନ୍ତି ଯେ “ଏହାର ନିଷ୍ପତ୍ତି ହାଇକମାଣ୍ଡ ନେବେ। ହାଇକମାଣ୍ଡ ଯଦି କାର୍ଯ୍ୟକାରୀ ସଭାପତି ନିଯୁକ୍ତ କରିବେ, ତା’ହେଲେ ଏହାକୁ ଆମେ ଗ୍ରହଣ କରିବୁ। କଂଗ୍ରେସର ବରିଷ୍ଠ ନେତା, ବିଧାୟକ ଓ ଅନ୍ୟମାନେ ହାଇକମାଣ୍ଡଙ୍କୁ ଭେଟିଥିଲେ। ଏହି ସମୟରେ ରାହୁଲ ଗାନ୍ଧି ନିଜେ କହିଛନ୍ତି ଯେ ବିଶୃଙ୍ଖଳାକୁ ଆଉ ବରଦାସ୍ତ କରାଯିବ ନାହିଁ। ଏକଥା ଆମେ ମଧ୍ୟ ଆମ ନେତାମାରନଙ୍କୁ ଜଣାଇ ଦେଇଛୁ। କେହି ବି ଦଳ କିମ୍ବା ହାଇକମାଣ୍ଡଙ୍କ ବିରୋଧରେ ଯାଆନ୍ତୁ ନାହିଁ। ଯାହାର ଯାହା ବି ଅସୁବିଧା ଅଛି, ତା’କୁ କଂଗ୍ରେସ ପରିବାର ଭିତରେ ଆଲୋଚନା କରି ସମାଧାନ କରିବା।”

୨୦୨୪ ସାଧାରଣ ନିର୍ବାଚନ ପାଇଁ କଂଗ୍ରେସର ପ୍ରସ୍ତୁତ ସମ୍ପର୍କରେ ପିସିସି ସଭାପତି ଶରତ ପଟ୍ଟନାୟକ କହିଛନ୍ତି, “ପ୍ରଥମ କଥା ହେଲା ସଂଗଠନକୁ ମଜବୁତ କରିବାକୁ ପଡ଼ିବ। ଗାଁରୁ ସହରରେ ଥିବା ସମସ୍ତ କଂଗ୍ରେସ ପ୍ରେମୀଙ୍କୁ ଆମେ ନିଜ ପକ୍ଷକୁ ଆଣିବାକୁ ଚେଷ୍ଟା କରିବୁ। ମୁଁ ସମସ୍ତଙ୍କୁ ନେଇ ଆଗକୁ ବଢ଼ିବାକୁ ଚାହେଁ। ଏଠି କୌଣସି ପ୍ରକାରର ଗୋଷ୍ଠୀ ବିବାଦ ନାହିଁ। ସମସ୍ତେ ମିଳିମିଶି କାମ କରିବୁ। ସମସ୍ତେ ଏକାଠି ବସି ୨୦୨୪ ନିର୍ବାଚନ ପାଇଁ ରଣନୀତି ପ୍ରସ୍ତୁତ କରିବୁ।

ଏହାପରେ ଆମେ ଲଢ଼େଇ କରିବାକୁ ମୈଦନାନକୁ ଓହ୍ଲାଇବେ। ଶଙ୍କରାଚାର୍ଯ୍ୟ କହିଛନ୍ତି ଯେ ବିଜେଡି ଓ ବିଜେପି ମିଶିକି ଅଛନ୍ତି। ଏକଥା ଆମେ ଆଗରୁ ଏହା କହୁଥିଲୁ। ଏବେ ଲୋକ ବୁଝିଲେଣି। ଆଗାମୀ ଦିନରେ କଂଗ୍ରେସ ଭଲ ପ୍ରଦର୍ଶନ କରିବ। ବିଜେଡି ସରକାର ଓଡ଼ିଶାକୁ ତଳି ତଳାନ୍ତ କରି ସାରିଲାଣି। ଓଡ଼ିଶାର ଜନସାଧାରଣଙ୍କୁ ନ୍ୟାୟ ଦେବାକୁ କଂଗ୍ରେସର ସବୁ ନେତା ଓ କର୍ମୀ ଏକାଠି କାମ କରିବେ। ବିଜେଡି ଓ ବିଜେପିର ବିକଳ୍ପ ଭାବେ କଂଗ୍ରେସ ଲୋକଙ୍କ ଆଗକୁ ଆସିବ।”

ତେବେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ ନେଇ ସୃଷ୍ଟି ହୋଇଥିବା ବିବାଦ ସମ୍ପର୍କରେ ଶ୍ରୀ ପଟ୍ଟନାୟକ କୌଣସି ପ୍ରକାରର ପ୍ରତିକ୍ରିୟା ଦେଇନାହାନ୍ତି। ମାମଲା ବିଚାରଧୀନ ଥିବାରୁ ସେ ପ୍ରତିକ୍ରିୟା ଦେବାକୁ ମନା କରି ଦେଇଛନ୍ତି।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।