୧୦୯ ଆସନ ଉପରେ ବିଜେପିର କଡ଼ା ନଜର, ଦାୟିତ୍ୱରେ ଧର୍ମେନ୍ଦ୍ର ଓ ବସନ୍ତ ପଣ୍ଡା

କୋଲକାତା: ଚାରି ରାଜ୍ୟ ଓ ଗୋଟିଏ କେନ୍ଦ୍ର ଶାସିତ ଅଞ୍ଚଳରେ ବିଧାନସଭା ନିର୍ବାଚନ ପାଇଁ ପ୍ରଚାର ଚାଲିଛି। ତେବେ ବିଜେପି ତାମିଲନାଡ଼ୁକୁ ଛାଡ଼ି ଦେଲେ ଆଉ ବାକି ରାଜ୍ୟ ଉପରେ ଅଧିକ ଫୋକସ କରିଛି। ବିଜେପି ପାଇଁ ସମ୍ମାନର ପ୍ରଶ୍ନ ପଶ୍ଚିମବଙ୍ଗରେ ରହିଛି। ପୂର୍ବ ନିର୍ବାଚନରେ ଯଦିଓ ବିଜେପିର ଫଳାଫଳ ବହୁତ ଖରାପ ରହିଛି ହେଲେ ଚଳିତଥର ମୋଦି, ଶାହଙ୍କ ରଣନୀତି ମମତାଙ୍କୁ ଏକ ପ୍ରକାର ଘାଇଲା କରିଛି। ତେଣେ ଦିଦି ମଧ୍ୟ ବିଜେପିକୁ ଚେକ୍ ଦେବା ପାଇଁ ଖେଲୋ ହୋବେର ନାରା ଦେଇଛନ୍ତି।

ପଶ୍ଚିମବଙ୍ଗରେ ମୋଟ୍ ୨୯୪ ଆସନରୁ ବିଜେପି ୧୦୯ଟି ବିଧାନସଭା ଆସନକୁ ଟାର୍ଗେଟ୍ କରିଛି। ଏହି ଆସନରେ ବିଜେପି ଏକ ସର୍ଭେ କରିଥିବା କୁହାଯାଉଛି। ଆଉ ଏସବୁ ଆସନରେ ବିଜେପି ପ୍ରତି ଲୋକଙ୍କର ସମର୍ଥନ ରହିଥିବା ଜାଣିବାକୁ ପାଇଛି। ତେଣୁ ଏହି ୧୦୯ ଆସନରେ ବିଜେପି ଏବେ ବିଜୟୀ ହେବା ପାଇଁ ଅଣ୍ଟା ଭିଡ଼ିଛି।

ଏଥିପାଇଁ ୨୨ଟି ସ୍ପେଶାଲ୍ ଟିମ୍ ପ୍ରସ୍ତୁତ କରିଛି ଦଳ। ଏହି ଟିମ୍‌ଗୁଡ଼ିକର ନେତୃତ୍ୱ ନେଉଛନ୍ତି ବିଭିନ୍ନ କେନ୍ଦ୍ରମନ୍ତ୍ରୀ ଓ ସାଂସଦ। ସେମାନଙ୍କ ମଧ୍ୟରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ କଳାହାଣ୍ଡି ସାଂସଦ ବସନ୍ତ ପଣ୍ଡା ମଧ୍ୟ ରହିଛନ୍ତି।

ନିକଟରେ ନନ୍ଦିଗ୍ରାମ ଆସନ ପାଇଁ ଶୁଭେନ୍ଦୁ ଅଧିକାରୀ ପ୍ରାର୍ଥୀ ପତ୍ର ଦାଖଲ କରିଥିଲେ। ଏହି ସମୟରେ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ଉପସ୍ଥିତ ଥିଲେ। ଏହି ଦୁଇ ଓଡ଼ିଆଙ୍କ ବ୍ୟତୀତ ଓଡ଼ିଶାର ଅନେକ ବିଜେପି ନେତା ମଧ୍ୟ ପଶ୍ଚିମବଙ୍ଗ ଯାଇ ପ୍ରଚାର କରୁଥିବା ଦେଖିବାକୁ ମିିଳିଛି।

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଉତ୍ତର କୋଲକାତା ସହିତ ଖଡ଼ଦାହ, ଉତ୍ତର ଦମଦମ, କାମରହଟି, ପାନିହଟି, ବାରାନଗର, ଦମଦମ ଏବଂ ରାଜାରହାଟ-ନ୍ୟୁଟାଉନ୍ ବିଧାନସଭା ଆସନ ଦାୟିତ୍ୱ ଦିଆଯାଇଥିବା ସୂଚନା ରହିଛି। ସେହିପରି କେନ୍ଦ୍ରମନ୍ତ୍ରୀ ଆର ସିଂହଙ୍କୁ ବାରାକପୁର ସହିତ ଭଟପଡା, ନୌହଟ୍ଟି, ଜଗଦଲ, ନୋଆପଡା ଦାୟିତ୍ୱ ଦେଇଛି ଦଳ।

ଗୁଜରାଟର ମହାସିଚବ ପ୍ରଦୀପ ସିଂ ବାଘେଲଙ୍କୁ ବନଗାଁଓ ଜିଲ୍ଲାର ୫ଟି ବିଧାନସଭା ଆସନ, କଳାହାଣ୍ଡି ସାଂସଦ ବସନ୍ତ ପଣ୍ଡାଙ୍କୁ ବାଶିରହାଟ, ବାରାସାତ ଏବଂ ବେରକପୁର ଜିଲ୍ଲାର କିଛି ବିଧାନସଭା ଆସନ, ବିନୋଦ ସୋନକାରଙ୍କୁ ବଶିରହାଟର ଚାରି ବିଧାନସଭା ଆସନର ଦାୟିତ୍ୱ ଦିଆଯାଇଛି। ବିହାରର ମନ୍ତ୍ରୀ ମଙ୍ଗଲ ପାଣ୍ଡେଙ୍କୁ ମଧ୍ୟ ବଶିରହାଟ ଏବଂ ବାରସାତ ବିଧାନସଭା ଆସନର ଦାୟିତ୍ୱ ଦିଆଯାଇଥିବା ସୂଚନା ରହିଛି।

ଏହାବାଦ୍ ହରିଆଣାର ଦାୟିତ୍ୱରେ ଥିବା ବିନୋଦ ତାୱେଡେଙ୍କୁ ମଥୁରାପୁର ଏବଂ ଡାଇମଣ୍ଡ ହର୍ବର, ଦକ୍ଷିଣ କୋଲକାତା ଏବଂ ଦକ୍ଷିଣ ୨୪, ଦିଲ୍ଲୀର ସାଂସଦ ରମେଶ ବିଧୁରୀଙ୍କୁ ଦକ୍ଷିଣ ୨୪ର ଦାୟିତ୍ୱ ଦିଆଯାଇଛି। ସତୀଶ ଉପାଧ୍ୟାୟ ଏବଂ ପ୍ରଭାସ ବର୍ମାଙ୍କୁ ଅରାମବାଗ ଜିଲ୍ଲାଙ୍କୁ ଦାୟିତ୍ୱ ଦିଆଯାଇଛି।

ଏହି ତୁଙ୍ଗ ନେତାଙ୍କ ବ୍ୟତୀତ ନିର୍ବାଚନ ରଣନୀତି ପ୍ରସ୍ତୁତ କରିବା ପାଇଁ ନିଶିକାନ୍ତ ଦୁବେ, ବସନ୍ତ ପଣ୍ଡା, ରାଜବର୍ଦ୍ଧନ ସିଂ ରାଠୋଡ, ନିତିନ ନବିନ, ବିନୟ ସହାଷ୍ରବୁଦ୍ଦେ, ଆଶିଷ ଶେଲାର, ରାଧାମୋହନ ସିଂ, ମଦନ ଲାଲ ଶର୍ମା ଏବଂ ସତୀଶ ଉପାଧ୍ୟାୟଙ୍କ ନାମ ରହିଛି।

୨୦୧୯ ସାଧାରଣ ନିର୍ବାଚନରେ ପଶ୍ଚିମବଙ୍ଗର ୪୨ଟି ଲୋକସଭା ଆସନରୁ ୧୮ଟିରେ ବିଜୟୀ ହୋଇଛି ବିଜେପି। ବିଜେପି କିନ୍ତୁ ନିର୍ବାଚନ ବେଳେ ୨୨ଟି ଆସନ ଜିତିବ ବୋଲି ହୁଙ୍କାର ଭରିଥିଲା। ତେବେ ୧୮ଟି ଆସନରେ ବିଜୟୀ ହୋଇ ଏକ ପ୍ରକାର ଟାର୍ଗେଟ ହାସଲ କରିଥିଲା। କାରଣ ୨୦୧୪ରେ ପଶ୍ଚିମବଙ୍ଗରେ ବିଜେପି ମାତ୍ର ୨ଟି ଆସନରେ ବିଜୟୀ ହୋଇଥିଲା। ଆଉ ଏବେ ସାଧାରଣ ନିର୍ବାଚନର ଜନମତକୁ ଆଧାର କରି ବିଜେପି ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ଓହ୍ଲାଇଛି।

ପଶ୍ଚିମବଙ୍ଗରେ ମୋଟ୍ ୨୯୪ ବିଧାନସଭା ଆସନ ରହିଛି। ବିଜେପି ୧୦୦ରୁ ଅଧିକ ଆସନରେ ବିଜୟୀ ହେବ ବୋଲି ଟାର୍ଗେଟ୍ କରିଛି। ଅନ୍ୟପଟେ ଶାସକ ଟିଏମସି କହିଛି ବିଜେପି ଖାଲି ହାତରେ ଘରକୁ ଫେରିବ। ମମତାଙ୍କ ଚମକ ଏବେ ବି ବଜାୟ ରହିଛି ବୋଲି ଟିଏମସି କହିଛି। ଟିଏମସିର ପ୍ରଚାର ଦାୟିତ୍ୱ ନେଇଥିବା ଜଣାଶୁଣା ନିର୍ବାଚନ ଷ୍ଟ୍ରାଟେଜିଷ୍ଟ ପ୍ରଶାନ୍ତ କିଶୋର ମଧ୍ୟ କହିଛନ୍ତି ବିଜେପି ୧୦୦ ଆସନରେ ବିଜୟୀ ହେଲେ ସେ ଏହି କାମ ଆଉ କେବେ କରିବେ ନାହିଁ।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।