ଅସ୍ତିତ୍ୱ ରକ୍ଷା ଚିନ୍ତାରେ ରାଜପରିବାର, ‘ବିକାଶ’କୁ କଲେ ପ୍ରସଙ୍ଗ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପଂଚାୟତ ଓ ପୌର ନିର୍ବାଚନ ପାଖେଇ ଆସୁଥିବାବେଳେ, ଏକଦା ବିଜେଡିରେ ପ୍ରଭାବଶାଳୀ ଥିବା ଏୟୁ ସିଂହଦେଓ ପରିବାର ଏବେ ନିଜର ରାଜନୀତିକ ଅସ୍ତିତ୍ୱ ରକ୍ଷା ପାଇଁ ଉଦ୍ୟମ ଆରମ୍ଭ କରିଛନ୍ତି। ୨୦୧୯ ସାଧାରଣ ନିର୍ବାଚନ ପରଠୁ ବିଜେଡିରେ ସମ୍ପୂର୍ଣ୍ଣ ଅଣଦେଖା ହୋଇ ରହିଥିବା ଏହି ବଲାଙ୍ଗିର ରାଜପରିବାର ଏବେ ‘ଚିଠି ଲେଖା ରାଜନୀତି’କୁ ଆଶ୍ରା କରି ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିକଟତର ହେବାକୁ ପ୍ରୟାସ କରିଛି। ଯାହାକୁ ନେଇ ବିଜେଡି ମହଲରେ ଚର୍ଚ୍ଚା ଜୋର ଧରିଛି ।

ମିଳିଥିବା ସୂଚନା ଅନୁସାରେ, ବଲାଙ୍ଗିରର ପୂର୍ବତନ ସାଂସଦ କଳିକେଶ ସିଂହଦେଓ ଗତ ୩ଦିନ ତଳେ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖି ବଲାଙ୍ଗିରର ବିଭିନ୍ନ ପର୍ଯ୍ୟଟନସ୍ଥଳ ସମେତ ଅନ୍ୟାନ୍ୟ ସ୍ଥାନର ବିକାଶ ନିମନ୍ତେ ୧୦୦କୋଟି ଟଙ୍କାର ପ୍ୟାକେଜ୍ ଦାବି କରିଛନ୍ତି। ତେବେ ଦୀର୍ଘ ଦୁଇଦଶନ୍ଧି ଧରି ବଲାଙ୍ଗିରରେ ପ୍ରଭାବଶାଳୀ ଥିବା ସିଂହଦେଓ ପରିବାର ଜିଲ୍ଲାର ବିକାଶ ନିମନ୍ତେ ଚିଠି ଲେଖି ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଏଭଳି ଦାବି ରଖିବାକୁ ରାଜ୍ୟର ପ୍ରମୁଖ ବିଜେଡି ନେତାମାନେ ସହଜରେ ହଜମ କରିପାରୁନଥିବାବେଳେ ଜିଲ୍ଲାସ୍ତରୀୟ ବିଜେଡି ନେତାମାନେ ଏହାକୁ ମଧ୍ୟ ଭିନ୍ନ ଦୃଷ୍ଟିରେ ଦେଖିବାରେ ଲାଗିଛନ୍ତି।

ମୁଖ୍ୟମନ୍ତ୍ରୀ ଓ ସରକାରଙ୍କୁ ଅଡ଼ୁଆରେ ପକାଇବା ନିମନ୍ତେ ସିଂହଦେଓ ପରିବାର ଜାଣିଶୁଣି ‘ବିକାଶ କାର୍ଯ୍ୟ’କୁ ପ୍ରସଙ୍ଗକୁ ଏଭଳି ଚିଠି ଲେଖିଥିବା ତାଙ୍କ ବିରୋଧୀ ଗୋଷ୍ଠୀ କହିବା ସହ ସେ ନିଜେ ସାଂସଦ ଥିଲାବେଳେ କାହିଁକି ଏସବୁ ପ୍ରତି ଧ୍ୟାନ ଦେଇନଥିଲେ ବୋଲି ପ୍ରଶ୍ନ କରିଛନ୍ତି।

ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକଙ୍କ ସ୍କୁଲ ସାଙ୍ଗ ଭାବେ ଏୟୁ ସିଂହଦେଓଙ୍କୁ ବିଜେଡି ରାଜନୀତିରେ ବେଶ୍ ଗୁରୁତ୍ୱ ମିଳେ। ଆଉ ୨୦୧୯ ବିଧାନସଭା ନିର୍ବାଚନରେ ସେ ତାଙ୍କ ଦୁଇ ପୁଅଙ୍କ ପାଇଁ ଦୁଇଟି ଟିକେଟ୍ ନେଇ ପରାଜିତ ହେବାପରଠୁ ସେ ନବୀନଙ୍କ ପାଖ ମାଡ଼ିପାରୁ ନଥିବା ଜଣାପଡ଼ିଛି। ଏପରିକି ତାଙ୍କ ପରିବାର ହାତରେ ଥିବା ଦଳର ଜିଲ୍ଲା ସଂଗଠନ(ସଭାପତି ପଦ)କୁ ମଧ୍ୟ କାଢ଼ି ନିଆଯାଇଥିବାବେଳେ ସରକାରୀ ପଦପଦବୀରେ ଥଇଥାନ ପାଇଁ କରିଥିବା ଉଦ୍ୟମ ମଧ୍ୟ ଫେଲ୍ ମାରିଥିଲା ବୋଲି ଜଣାପଡ଼ିଛି।

ଉଲ୍ଲେଖଯୋଗ୍ୟ, ବଲାଙ୍ଗିର ଜିଲ୍ଲାର ଦୁଇଟି ପ୍ରମୁଖ ପର୍ଯ୍ୟଟନସ୍ଥଳୀ ହରିଶଙ୍କର ଓ ନୃସିଂହନାଥର ବିକାଶ ନିମନ୍ତେ ରାଜ୍ୟ ସରକାର ବ୍ଲୁ-ପ୍ରିଣ୍ଟ ପ୍ରସ୍ତୁତ କରିଥିବାବେଳେ ପଶ୍ଚିମଓଡ଼ିଶା ବିକାଶ ପରିଷଦ ଅଧ୍ୟକ୍ଷ ଅସିତ୍ କୁମାର ତ୍ରିପାଠୀ, ମୁଖ୍ୟ ସଚିବ ସୁରେଶ ମହାପାତ୍ର ଓ ଫାଇଭ-ଟି ସଚିବ ଭିକେ ପାଣ୍ଡିଆନ ଏହି ସ୍ଥାନ ଗସ୍ତ କରି ତା’ର ସାମଗ୍ରିକ ବିକାଶ କରାଯିବ ବୋଲି ସଙ୍କେତ ଦେଇସାରିଛନ୍ତି। ସେମାନଙ୍କ ପୂର୍ବରୁ ଓଟିଡିସି ଅଧ୍ୟକ୍ଷା ଶ୍ରୀମୟୀ ମିଶ୍ର ଓ ପର୍ଯ୍ୟଟନ ନିର୍ଦ୍ଦେଶକ ଆର.ସଚିନ ଯାଦବ ମଧ୍ୟ ଏହି ଦୁଇ ସ୍ଥାନ ଗସ୍ତ କରିଥିଲେ।

ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ଜିଲ୍ଲାରେ ପର୍ଯ୍ୟଟନ ବିକାଶ କାର୍ଯ୍ୟକୁ ତ୍ୱରାନ୍ୱିତ କରାଯାଉଥିବାବେଳେ ପୂର୍ବତନ ସାଂସଦ ଶ୍ରୀ ସିଂହଦେଓଙ୍କ ଏହି ନିର୍ଦ୍ଦିଷ୍ଟ ଅଂଚଳର ବିକାଶ ନିମନ୍ତେ ପାଣ୍ଠି ବ୍ୟୟବରାଦ କରିବାକୁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିବା ତାଙ୍କ ଦଳୀୟ କର୍ମୀ ମହଲରେ ଭ୍ରୁକୁଞ୍ଚନ ସୃଷ୍ଟି କରିଛି।

ଦୀର୍ଘ ଦୁଇ ଦଶନ୍ଧି ଧରି ଏହି ରାଜପରିବାର ସମ୍ପୃକ୍ତ ଅଂଚଳର ବିକାଶ ଦିଗରେ ଧ୍ୟାନ ଦେଇନଥିବାବେଳେ ଏବେ ଚିଠି ଲେଖି ପରୋକ୍ଷରେ ନିଜ ଦଳର ସରକାରଙ୍କ ବିକାଶର ବିଫଳତାର ଚିତ୍ର ଅବଗତ କରାଇଛନ୍ତି। ବଲାଙ୍ଗିର ଜିଲ୍ଲା ସଂଗଠନରେ ଏବେ ମନ୍ତ୍ରୀ ଟୁକୁନି ସାହୁ ଓ ଓଟିଡିସି ଅଧ୍ୟକ୍ଷା ଶ୍ରୀମୟୀ ମିଶ୍ରଙ୍କ ଦବଦବା ବଢ଼ୁଥିବାବେଳେ ନିଜର ଅସ୍ତିତ୍ୱ ରକ୍ଷା ପାଇଁ ରାଜପରିବାର ଏଭଳି ଚିଠି ଲେଖି ନବୀନଙ୍କ ଦୃଷ୍ଟିକୁ ଆସିବାକୁ ଚାହୁଁଥାଇପାରେ ବୋଲି ରାଜନୀତିକ ମହଲରେ ଚର୍ଚ୍ଚା।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।