୫ଦିନ ହେଲା ଗୃହ ଅଚଳ: ମୁଖ୍ୟମନ୍ତ୍ରୀ ଚୁପ୍, ପଦାରେ ପଡ଼ିଲା ବିଜେଡିର ଦୋମୁହାଁ ନୀତି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କ୍ରମାଗତ ୫ଦିନ ଧରି ଗୃହକୁ ଶାସକ ବିଜେଡି ଅଚଳ କରି ରଖିଛି। ଗୃହର ଅଚଳାବସ୍ଥା ଦୂର ପାଇଁ ଗୃହର ନେତା ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କୌଣସି ପଦକ୍ଷେପ ନେଉନଥିବାବେଳେ ବିଜେଡିର ଦୋମୁହାଁ ନୀତି ପଦାରେ ପଡ଼ିଛି। ଏପଟେ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖି ଗୃହକୁ ସ୍ୱାଭାବିକ କରିବା ସହ ମଣ୍ଡିରୁ ଧାନ ସଂଗ୍ରହ ନିମନ୍ତେ ସର୍ବଦଳୀୟ ବୈଠକ ଡାକିବାକୁ କଂଗ୍ରେସ ଦାବି କରିଥିବାବେଳେ ମୁଖ୍ୟମନ୍ତ୍ରୀଙ୍କ ନିରବତାକୁ ନେଇ ବିଜେପି ପ୍ରଶ୍ନ ଉଠାଇଛି। ଆଉ ଏସବୁ ମଧ୍ୟରେ ରାଜଭବନ ଯାଇ ଫେରାଦ ହୋଇଥିବା ବିଜେଡି କିନ୍ତୁ ଏପର୍ଯ୍ୟନ୍ତ ଆତ୍ମହତ୍ୟା ଉଦ୍ୟମ କରିଥିବା ବିଜେପି ବିଧାୟକ ସୁବାସ ପାଣିଗ୍ରାହୀଙ୍କ ବିରୁଦ୍ଧରେ ବାଚସ୍ପତିଙ୍କ ପାଖରେ କୌଣସି ଆଇନଗତ କାର୍ଯ୍ୟାନୁଷ୍ଠାନ(ନିଲମ୍ବନ କିମ୍ବା ଅନ୍ୟ କିଛି) ଦାବି କରୁନଥିବା ଦେଖିବାକୁ ମିଳିଛି। କେବଳ ବିଧାୟକଙ୍କ କ୍ଷମା ପ୍ରାର୍ଥନା ଦାବିରେ ବିଜେଡି ଅଟଳ ରହି ୫ଦିନ ହେଲା ଗୃହକୁ ଅଚଳ କରି ରଖିଛି।

ଆଜି ପୂର୍ବାହ୍ନ ସାଢ଼େ ୧୦ଟାରେ ଗୃହ କାର୍ଯ୍ୟ ଆରମ୍ଭ ହେବାମାତ୍ରେ ଗତକାଲି ଭଳି ମଧ୍ୟ ଅଚଳାବସ୍ଥା ଲାଗି ରହିଥିଲା । ବିଜେଡି ଆଜି ମଧ୍ୟ ସୁବାସ ପାଣିଗ୍ରାହୀଙ୍କ ନିଲମ୍ବନ ଦାବିରେ ହଟ୍ଟଗୋଳ କରିଥିଲା। କଂଗ୍ରେସ ଓ ବିଜେପି ସଦସ୍ୟମାନେ ମଣ୍ଡିରୁ ଧାନ ସଂଗ୍ରହକୁ ନେଇ ଗୃହରେ ହଟ୍ଟଗୋଳ କରୁଥିବାବେଳେ ବିଜେଡି ତା’ର ପୁରୁଣା ଦାବି ଜାରି ରଖିଥିଲା। ବାଚସ୍ପତି ଗୃହକୁ ମୁଲବତୀ ଘୋଷଣା କରିବାପରେ ବିଜେଡି ସଦସ୍ୟମାନେ ଏକ ଶୋଭାଯାତ୍ରାରେ ରାଜଭବନକୁ ଯାଇ ରାଜ୍ୟପାଳଙ୍କ ନିକଟରେ ଫେରାଦ ହୋଇଛନ୍ତି। ବିଜେଡି ବିଧାୟକ ଦେବୀପ୍ରସାଦ ମିଶ୍ର କହିଛନ୍ତି ଯେ, ବିଜେପି ବିଧାୟକ ସୁବାସ ପାଣିଗ୍ରାହୀ ନୀତିନିୟମ ବହିର୍ଭୁତ କାର୍ଯ୍ୟକଳାପ କରିଛନ୍ତି। ଜନପ୍ରତିନିଧି ହୋଇ ଏପରି କଲେ ଲୋକଙ୍କ ଉପରେ କୁପ୍ରଭାବ ପଡ଼ିବ। ବିଧାୟକ କ୍ଷମା ନମାଗିଲେ ବାଚସ୍ପତି ନିଷ୍ପତ୍ତି ନେବେ। ଗୃହକାର୍ଯ୍ୟ ଚାଲିବା-ନଚାଲିବା ନେଇ ବାଚସ୍ପତି ନିଷ୍ପତ୍ତି ନେବେ ବୋଲି ଶ୍ରୀ ମିଶ୍ର କହିଛନ୍ତି।

ତେବେ ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ଯେ, ବିଜେପି ବିଧାୟକ ଶ୍ରୀ ପାଣିଗ୍ରାହୀଙ୍କ କ୍ଷମା ପ୍ରାର୍ଥନା ଦାବି କରୁଥିବା ବିଜେଡି ଆଶ୍ଚର୍ଯ୍ୟଜନକ ଭାବେ ଏପର୍ଯ୍ୟନ୍ତ ବାଚସ୍ପତିଙ୍କ ନିକଟରେ ତାଙ୍କର ନିଲମ୍ବନ ଦାବି ରଖିନି। କିମ୍ବା ଶ୍ରୀ ପାଣିଗ୍ରାହୀଙ୍କ ବିରୁଦ୍ଧରେ ବିଧାନସଭା ଆଇନ ଅନୁସାରେ କଠୋର କାର୍ଯ୍ୟାନୁଷ୍ଠାନ ହେଉ ବୋଲି ଦାବି ରଖିନଥିବା ଜଣାପଡ଼ିଛି। କେବଳ ଗୃହରେ ମଣ୍ଡିରୁ ଧାନ ନଉଠିବା ପ୍ରସଙ୍ଗକୁ ଏଡ଼ାଇବା ନିମନ୍ତେ ବାଧ୍ୟବାଧକତାରେ ୫ଦିନ ହେଲା ଶ୍ରୀ ପାଣିଗ୍ରାହୀଙ୍କ କ୍ଷମା ପ୍ରାର୍ଥନା ଦାବି କରିଥିଲା। ଯଦିଓ ଶ୍ରୀ ପାଣିଗ୍ରାହୀ ଚାଷୀଙ୍କ ଧାନକିଣିବା ପ୍ରସଙ୍ଗକୁ ନେଇ ପ୍ରଥମଦିନ ସାନିଟାଇଜର ପିଇ ଆତ୍ମହତ୍ୟା ଉଦ୍ୟମ କରିଥିଲେ ମଧ୍ୟ ବିଜେଡି ସମ୍ପୂର୍ଣ୍ଣ ନିରବ ରହିଥିଲା। ଆଉ ତା’ପରଦିନଠୁ ଏହାକୁ ଏକ ପ୍ରସଙ୍ଗ କରି ଗୃହକୁ ଚଲାଇ ଦେଉନାହିଁ।

ଶାସକ ବିଜେଡି ଦ୍ୱାରା କ୍ରମାଗତ ୫ଦିନ ଧରି ଏଭଳି ଅଚଳାବସ୍ଥା ପରୋକ୍ଷରେ ବିଧାନସଭାର ମୂଲ୍ୟବାନ ସମୟକୁ ନଷ୍ଟ କରାଯିବା ସହ ବିଧାନସଭା ଚଳାଇବା ନିମନ୍ତେ ରାଜକୋଷରୁ ଲୋକଙ୍କ ଟିକସ ଅର୍ଥ ପାଣିରେ ପଡ଼ୁଛି। ଏସବୁ ସତ୍ତ୍ୱେ ଗୃହର ନେତା ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୃହରେ ସ୍ୱାଭାବିକ ଅବସ୍ଥା ଫେରାଇ ଆଣିବା ଦିଗରେ କୌଣସି ପଦକ୍ଷେପ ନେଇନଥିବା ଜଣାପଡ଼ିଛି। ଅନ୍ୟପକ୍ଷରେ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ଗତକାଲି ଦୁଇଥର ସର୍ବଦଳୀୟ ବୈଠକ ଡାକିଥିଲେ ମଧ୍ୟ ଶାସକ ଦଳ ନିଜର ଜିଦରେ ଅଟଳ ରହି ଗୃହ କାର୍ଯ୍ୟରେ ସହଯୋଗ କରୁନି।

ମୁଖ୍ୟମନ୍ତ୍ରୀଙ୍କ ନିରବତା ଓ ଗୃହ ଅଚଳ ହେବା ପ୍ରସଙ୍ଗରେ ଉଭୟ ବିଜେପି ଓ କଂଗ୍ରେସ ଆଜି ସିଧାସଳଖ ମୁଖ୍ୟମନ୍ତ୍ରୀଙ୍କୁ ଟାର୍ଗେଟ୍ କରିଛନ୍ତି। ବିରୋଧୀ ଦଳ ନେତା ପ୍ରଦୀପ୍ତ କୁମାର ନାଏକ କହିଚନ୍ତି ଯେ, ୫ଦିନ ହେଲାଣି ଗୃହ ଅଚଳ ରହୁଛି। ମୁଖ୍ୟମନ୍ତ୍ରୀ କୁଆଡ଼େ ଗଲେ ତାଙ୍କର ଦେଖାନାହିଁ। ମୁଖ୍ୟମନ୍ତ୍ରୀଙ୍କୁ ଖୋଜିବା ପାଇଁ ବିଜେପି ଯିବ। ଚାଷୀଙ୍କ ଧାନ ନକିଣି ରାଜଭବନ ଯାଇ ଶାସକ ବିଜେଡି ହାଇଡ୍ରାମା କରୁଛି ବୋଲି ଶ୍ରୀ ନାଏକ କଟାକ୍ଷ କରିଛନ୍ତି।

ସେହିପରି କଂଗ୍ରେସ ବିଧାୟକ ତାରାପ୍ରସାଦ ବାହିନୀପତି କହିଛନ୍ତି ଯେ, ଉଭୟ ବିଜେଡି ଓ ବିଜେପି ଗୃହକୁ ଚଳାଇବାକୁ ଚାହୁଁନାହାନ୍ତି। ମୁଖ୍ୟମନ୍ତ୍ରୀ ଗୃହର ନେତା, ବିଧାନସଭା ଚଳାଇବା ତାଙ୍କର ଦାୟିତ୍ୱ। ତେଣୁ ମୁଖ୍ୟମନ୍ତ୍ରୀ ତୁରନ୍ତ ସର୍ବଦଳୀୟ ବୈଠକ ଡାକନ୍ତୁ।

ତେବେ ପ୍ରଶ୍ନ ଉଠୁଛି, ଯଦି ବିଧାୟକ ଶ୍ରୀ ପାଣିଗ୍ରାହୀ କୌଣସି ଦାୟିତ୍ୱହୀନ ବା ଅପରାଧ କାର୍ଯ୍ୟ କରିଛନ୍ତି ତା’ହେଲେ ତାଙ୍କୁ ଦଣ୍ଡିତ କରିବା ପାଇଁ ବାଚସ୍ପତି ଅଛନ୍ତି। ବିଧାନସଭାର କାର୍ଯ୍ୟଧାରା ଅନୁସାରେ ଶ୍ରୀ ପାଣିଗ୍ରାହୀଙ୍କୁ ଦଣ୍ଡିତ କରିବେ କି ନାହିଁ ତାହା ବାଚସ୍ପତି ବୁଝିବେ। ମାତ୍ର ଶାସକ ବିଜେଡି ଦୋମୁହାଁ ନୀତି ଆପଣାଇ ବିଧାୟକ ପାଣିଗ୍ରାହୀଙ୍କ କ୍ଷମା ପ୍ରାର୍ଥନା ଦାବି କରୁଥିବାବେଳେ ତାଙ୍କୁ ଗୃହରୁ ନିଲମ୍ବନ କରିବା ଭଳି ଦାବି ସମ୍ପର୍କରେ ନିରବ ରହୁଛି। ଆଉ ବିଧାନସଭାର ମୂଲ୍ୟବାନ ସମୟକୁ ନଷ୍ଟ କରୁଛି।

ଧାନକିଣାରେ ରାଜ୍ୟ ସରକାରଙ୍କ ଅପାରଗତା ପଦାରେ ପଡ଼ିବାର ଆଶଙ୍କାକୁ ଏଡ଼ାଇବା ପାଇଁ ଶାସକ ଦଳ ଯେଉଁ ଢଙ୍ଗରେ ବିଧାୟକଙ୍କ କ୍ଷମା ପ୍ରାର୍ଥନା ପ୍ରସଙ୍ଗକୁ ନେଇ ୫ଦିନ ଧରି ହଟ୍ଟଗୋଳ କରୁଛି, ତାହା ଗଣତନ୍ତ୍ର ପାଇଁ ଶୁଭ ସଙ୍କେତ ନୁହେଁ ଓ ଲୋକଙ୍କ ସ୍ୱାର୍ଥସହ ଜଡ଼ିତ ରାଜ୍ୟର ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗକୁ ଚପାଇ ଦେବାକୁ ଏକ ଚାଲ୍ ବୋଲି ରାଜନୀତିକ ବିଶ୍ଲେଷକ ମହଲରେ ଚର୍ଚ୍ଚା।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।