ରାଜଧାନୀରେ ମନ୍ତ୍ରୀଙ୍କୁ ନେଇ ଝଡ଼

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର) ମାହାଙ୍ଗା ଡବଲ ମର୍ଡର ଘଟଣାରେ ମନ୍ତ୍ରୀ ପ୍ରତାପ ଜେନାଙ୍କ ସମେତ ସମସ୍ତ ଅଭିଯୁକ୍ତଙ୍କୁ ଗିରଫ ଦାବିରେ ବିଜେପିର ଆନ୍ଦୋଳନ।  ସଦଭାବନା ଯାତ୍ରା ସହିତ ବିଧାନସଭା ଘେରାଉ କରିବାକୁ ଉଦ୍ୟମ ।  ଏହି ସମୟରେ ଶତାଧିକ ବିଜେପି କର୍ମୀଙ୍କୁ ଅଟକ ରଖିଛି ପୁଲିସ।  ଶହ ଶହ ବିଜେପି କର୍ମୀ ଏକାଠି ହୋଇ ରାଜ୍ୟ ବିଜେପି କାର୍ଯ୍ୟାଳୟରୁ ବାହାରି ବିଧାନସଭା ଅଭିମୁଖେ ପଦଯାତ୍ରାରେ ଯାଇଥିଲେ।  ବିଜେପି ସଭାପତି ସମୀର ମହାନ୍ତିଙ୍କ ନେତୃତ୍ୱରେ ବିଜେପିର ଏହି ଶୋଭାଯାତ୍ରା ହୋଇଥିଲା।

ମାମଲାର ନିରପେକ୍ଷ ତଦନ୍ତ, ମନ୍ତ୍ରୀଙ୍କ ସମେତ ସମସ୍ତ ଅଭିଯୁକ୍ତଙ୍କୁ ଗିରଫ ଦାବିରେ ଏହି ସଦଭାବନା ଶୋଭାଯାତ୍ରା କରିଛି ବିଜେପି।  ଲୋୟର ପିଏମ୍‌ଜିରେ ଏକ ସମାବେଶ କରାଯାଇଥିଲା ।  ବିଧାନସଭା ଆଡ଼କୁ ଯିବା ବେଳେ ପୁଲିସ ସେମାନଙ୍କୁ ଅଟକାଇଥିଲା । ଗତ ୧୭ ତାରିଖ ଦିନ ମାହାଙ୍ଗାରୁ ବାହାରିଥିଲା ଏହି ଯାତ୍ରା । କୁଳମଣି ବରାଳ ଓ ଦିବ୍ୟସିଂହ ବରାଳଙ୍କୁ ହତ୍ୟା ପ୍ରତିବାଦରେ ଓ ପ୍ରତାପ ଜେନାଙ୍କ ସହିତ ସମସ୍ତ ଅଭିଯୁକ୍ତଙ୍କୁ ଗିରଫ ଦାବିରେ ବିଜେପି ଆନ୍ଦୋଳନ କରିଛି ।   ସେପଟେ ଏହି ପ୍ରସଙ୍ଗକୁ ନେଇ ବିଧାନ ସଭାରେ ହଙ୍ଗାମା ହୋଇଥିଲା।

ସଭାରେ ବିଜେପି ନେତା।

ଶୂନ୍ୟକାଳରେ ରାଜ୍ୟର ବିପର୍ଯ୍ୟସ୍ତ ଆଇନଶୃଙ୍ଖଳା ପରିସ୍ଥିତି ପ୍ରସଙ୍ଗ ଉଠାଇଥିଲେ ବିରୋଧୀ ଦଳ ନେତା ପ୍ରଦୀପ୍ତ  ନାୟକ । ସମ୍ବଲପୁର ବିଧାୟକ ଜୟନାରାୟଣ ମିଶ୍ରଙ୍କ ଗିରଫଦାରୀ ପ୍ରସଙ୍ଗ ଉଠାଇ କହିଥିଲେ, ଆଇନ ବ୍ୟବସ୍ଥା ଶାସକ ଦଳ ପାଇଁ ଗୋଟିଏ ଏବଂ ବିରୋଧୀଙ୍କ ଆଉ ଗୋଟିଏ । ମର୍ଡର ଘଟଣାରେ ଜଣେ ମନ୍ତ୍ରୀଙ୍କ ନାଁରେ ଏତଲା ହୋଇଥିଲେ ସୁଦ୍ଧା ସରକାର ତାଙ୍କୁ ଗିରଫ କରୁନାହାନ୍ତି।

ରାବଣ ଓ କଂସ ଭଳି ଶାସନର ବି ଅବସାନ ହୋଇଥିଲା । ତେଣୁ ଏ ସରକାର ସେ କଥା ଭୁଲିଯିବା କଥା ନୁହେଁ ବୋଲି କହିଥିଲେ ବିରୋଧୀ ଦଳ ନେତା।  ବିରୋଧୀ ଦଳ ନେତାଙ୍କ ଅଭିଯୋଗକୁ କାଉଣ୍ଟର କରି ବିଜେଡି ବିଧାୟକ ବ୍ୟୋମକେଶ ରାୟ କହିଛନ୍ତି, ପବିତ୍ର ଗୃହରେ ଅପବିତ୍ର ଲୋକଙ୍କ କଥା ଉଠାନଯାଉ ।  ୨୨ ଦିନ ଜେଲ ଯାଇଥିବା ଶାରଦା ପ୍ରଧାନଙ୍କୁ କାହିଁକି ଗିରଫ କରାଯାଉନାହିଁ ବୋଲି ପାଲଟା ଅଭିଯୋଗ କରିବା ସହ ତାଙ୍କ ଗିରଫ ଦାବି କରିଛି ଶାସକ ଦଳ ବିଧାୟକ। କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ଏବଂ ବିଧାୟକ ସନ୍ତୋଷ ସିଂ ସାଲୁଜା ମଧ୍ୟ ମାହାଙ୍ଗା ମର୍ଡର ପ୍ରସଙ୍ଗ ଉଠାଇ ମନ୍ତ୍ରୀଙ୍କ ଇସ୍ତଫା ଦାବି କରିଛନ୍ତି।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।