ପୁତୁରା ରୁଦ୍ର ସପକ୍ଷରେ ବାହାରିଲେ ପ୍ରଦୀପ ମହାରଥୀଙ୍କ ଭାଇ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଉପନିର୍ବାଚନ ତାରିଖ ଘୋଷଣା ହେବା ପରଠାରୁ ଅଧିକ ରୋଚକ ପିପିଲି ପାଣିପାଗ। ପିପିଲିରେ ବିଜେଡି କାହାକୁ ପ୍ରାର୍ଥୀ କରିବ, ତାହା ସ୍ପଷ୍ଟ ହୋଇନାହିଁ। କିନ୍ତୁ ଏହାରି ଭିତରେ ଦିବଙ୍ଗତ ବିଧାୟକ ପ୍ରଦୀପ ମହାରଥୀଙ୍କ ଭାଇ ପ୍ରଣୟ ବଡ଼ ମନ୍ତବ୍ୟ ଦେଇଛନ୍ତି। ନିର୍ବାଚନରେ ଭାଉଜ ନୁହେଁ, ପୁତୁରାଙ୍କ ସପକ୍ଷରେ ଯୁକ୍ତି ବାଢ଼ିଛନ୍ତି ପ୍ରଣୟ। ଅର୍ଥାତ୍ ପ୍ରଣୟ ପିପିଲି ଉପନିର୍ବାଚନ ପାଇଁ ପୁତୁରା ତଥା ପ୍ରଦୀପ ମହାରଥୀଙ୍କ ପୁଅ ରୁଦ୍ର ପ୍ରତାପଙ୍କୁ ପ୍ରାର୍ଥୀ କରାଯିବା ନେଇ ଖୋଲାଖୋଲି ମନ୍ତବ୍ୟ ଦେଇଛନ୍ତି।

ପ୍ରଣୟ କହିଛନ୍ତି, ମୋର ବ୍ୟକ୍ତିଗତ ମତ ହେଉଛି ଯେ ମୁଖ୍ୟମନ୍ତ୍ରୀ ମହାରଥୀ ପରିବାରର ଯାହାଙ୍କୁ ବି ଟିକେଟ୍ ଦେବେ, ଆମ ପରିବାର ଓ ପିପିଲି ବାସିନ୍ଦା ସମର୍ଥନ ଦେବେ। ଆଗକୁ ପଞ୍ଚାୟତ ଓ ପୌର ନିର୍ବାଚନ ଅଛି। ତେଣୁ ଜଣେ ଯୁବକଙ୍କୁ ପ୍ରାର୍ଥୀ କରାଗଲେ ଭଲ ହୁଅନ୍ତା। ଯଦି ରୁଦ୍ରକୁ ଟିକେଟ୍ ଦିଆଯାଏ, ତାହେଲେ ବହୁତ ଭଲ ହେବ। ରୁଦ୍ରକୁ ଟିକେଟ୍ ଦେଲେ ଆଗକୁ ସଂଗଠନ ମଜଭୁତ୍ ହେବ। କାରଣ ସଂଗଠନକୁ ଦୃଢ଼ କରିବା ପାଇଁ ଯୁବପିଢି ହିଁ ଆଗକୁ ଯାଇପାରିବ।

ଭାଉଜ ପ୍ରତିଭା ମହାରଥୀଙ୍କ ସମ୍ଭାବ୍ୟ ପ୍ରାର୍ଥିତ୍ୱ ନେଇ ପ୍ରଣୟ ବଡ଼ ମନ୍ତବ୍ୟ ଦେଇଛନ୍ତି। ପ୍ରଣୟ କହିଛନ୍ତି, ଉପନିର୍ବାଚନ ହେଲେ ପ୍ରତିଭା ତ ନିଶ୍ଚୟ ଜିତିବେ। କିନ୍ତୁ ଭବିଷ୍ୟତ କଥା ଆମେ କହିପାରିବୁ ନାହିଁ। ତେଣୁ ରୁଦ୍ରକୁ ପ୍ରାର୍ଥୀ କରାଗଲେ ସମସ୍ତେ ତାଙ୍କୁ ସମର୍ଥନ ଦେବେ ବୋଲି କହିଛନ୍ତି ପ୍ରଣୟ।

ଗତବର୍ଷ ପିପିଲି ବିଧାୟକ ପ୍ରଦୀପ ମହାରଥୀଙ୍କ ପରଲୋକ ହୋଇଥିଲା। ଯାହା ପରେ ଏହି ଆସନଟି ଖାଲି ପଡ଼ିଛି। ସେଠାରେ ଆସନ୍ତା ଏପ୍ରିଲ୍ ୧୭ ତାରିଖରେ ଉପନିର୍ବାଚନ ହେବାକୁ ଯାଉଛି। ଏନେଇ ମଙ୍ଗଳବାର ରାଜ୍ୟ ନିର୍ବାଚନ ଅଧିକାରୀ ସୁଶୀଲ କୁମାର ଲୋହାନୀ ଘୋଷଣା କରିଛନ୍ତି।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।