କଂଗ୍ରେସ ଯୁବ ସଭାପତିଙ୍କ ନାଁରେ ସାଙ୍ଘାତିକ ଅଭିଯୋଗ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ପୁଣିଥରେ କଂଗ୍ରେସରେ ଦେଖା ଦେଇଛି ବିବାଦ। ଏଥର ବିବାଦ ଘେରକୁ ଆସିଛନ୍ତି ଯୁବ କଂଗ୍ରେସ ସଭାପତି ସ୍ମୃତିରଞ୍ଜନ ଲେଙ୍କା। ଏକ ଅଡିଓ ରେକର୍ଡ ଓ ଜଣେ ମହିଳା କଂଗ୍ରେସ କର୍ମୀଙ୍କ ହ୍ୱାଟ୍ସଆପ୍ ଚାଟ୍ ଭାଇରାଲ୍ ହେବା ଘଟଣାକୁ ନେଇ ପ୍ରଶ୍ନ ଉଠାଇଲେ ପୂର୍ବତନ ଯୁବ କଂଗ୍ରେସ ମିଡ଼ିଆ ସେଲ ଅଧ୍ୟକ୍ଷ ନିହାର ବେହେରା। ଯୁବ କଂଗ୍ରେସ ସଭାପତି ସ୍ମୃତି ଲେଙ୍କା ଜଣେ ମହିଳା କର୍ମୀଙ୍କୁ ଯୌନ ନିର୍ଯାତନା ଦେଇଥିବା ଅଭିଯୋଗ ଆଣିଛନ୍ତି ନିହାର।

ପଦବୀ ଲୋଭ ଦେଖାଇ ମହିଳାଙ୍କ ସହ ଅନୈତିକ ସମ୍ପର୍କ ରଖିଥିବା ଅଭିଯୋଗ ଆଣିଲେ ନିହାର। ଏନେଇ କିଛି ହ୍ୱାଟ୍ସଆପ୍ ଚାଟ୍ ଓ ଅଡିଓ ସୋଶାଲ୍ ମିଡିଆରେ ଭାଇରାଲ୍ ହୋଇଥିବା ନିହାର କହିଛନ୍ତି। ଖାଲି ସେତିକି ନୁହେଁ ରାଜ୍ୟ ଯୁବ କଂଗ୍ରେସ ସଭାପତି ଭାବେ ସ୍ମୃତିଙ୍କ ନିଯୁକ୍ତିକୁ ବି ସେ ବିରୋଧ କରିଛନ୍ତି।

ନିହାର ପ୍ରେସମିଟ୍ କରି କହିଛନ୍ତି, ଯିଏ ଝିଅ ଓ ବୋହୂମାନଙ୍କୁ ପଦ ପଦବୀ ଦେବା ନାଁରେ ଶୋଷଣ କରେ, ତାହା କଂଗ୍ରେସର ଗଣତନ୍ତ୍ର ବିରୋଧୀ। ଯଦି ଏହି କାମଟି ବିରୋଧୀ ଦଳର କୌଣସି ଯୁବ ନେତୃତ୍ୱ କରିଥାନ୍ତେ, ତାହେଲେ ଏହି ସଭାପତି ଜଣକ ମାଷ୍ଟରକ୍ୟାଣ୍ଟିନ୍ ଛକରେ ନିଆଁ ଲଗାଇ ଥାନ୍ତେ ଏବଂ ତାଙ୍କ ଫଟୋକୁ ଭାଇରାଲ କରି ତାଙ୍କର ଇସ୍ତଫା ଦାବି କରିଥାନ୍ତେ। ଏନେଇ ଆଗାମୀ ୨୫ରେ ହେବାକୁ ଥିବା ଯୁବ କଂଗ୍ରେସର ସମାବେଶରେ ବିରୋଧ ପ୍ରଦର୍ଶନ ହେବ ବୋଲି ନିହାର କହିଛନ୍ତି।

ଅନ୍ୟପଟେ ତାଙ୍କ ଉପରେ ଲାଗିଥିବା ସମସ୍ତ ଅଭିଯୋଗକୁ ଖଣ୍ଡନ କରିଛନ୍ତି ସ୍ମୃତି। ଅସହିଷ୍ଣୁ ଭାବ ରଖି ଏପରି କରାଯାଇଥିବା ସେ କହିଛନ୍ତି। ଯେଉଁ ବ୍ୟକ୍ତି ଦଳ ବିରୋଧୀ କାମ କରି ୨୦୧୭ରୁ ଦଳରୁ ବହିଷ୍କୃତ ହୋଇଛନ୍ତି, ତେଣୁ ଏଭଳି ବ୍ୟକ୍ତିଙ୍କ ବିଷୟରେ କିଛି କହିବାକୁ ଚାହୁଁନଥିବା ସ୍ମୃତି କହିଛନ୍ତି।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।