ବିରୋଧୀଙ୍କୁ ନାଲି ଆଖି ଦେଖାଇବା ବନ୍ଦ କରନ୍ତୁ ରାଜ୍ୟ ସରକାର: ବିଜେପି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ମାହାଙ୍ଗା ଡବଲ ମର୍ଡର ଘଟଣାରେ ୧୩ନମ୍ବର ଅଭିଯୁକ୍ତ ମନ୍ତ୍ରୀ ପ୍ରତାପ ଜେନାଙ୍କ ଗିରଫ ଦାବିରେ ରାଜ୍ୟ ବିଜେପି ପକ୍ଷରୁ ଆଜି ବିଧାନସଭା ଘେରାଉ କରାଯାଇଛି। ଦୁର୍ନୀତି ବିରୁଦ୍ଧରେ ସ୍ୱର ଉଠାଉଥିବାରୁ ବିଜେପି ନେତାମାନଙ୍କୁ ହତ୍ୟା କରାଗଲା ଓ ବିରୋଧୀଙ୍କୁ ନାଲି ଆଖି ଦେଖାଇବା ରାଜ୍ୟ ସରକାର ବନ୍ଦ କରନ୍ତୁ ବୋଲି ବିଜେପି କହିଛି।  ଏହାସହିତ ବିଜେପିର ବିଧାନସଭା ଘେରାଉ ପାଇଁ ଉଦ୍ୟମବେଳେ ଲୋଏର ପିଏମଜିରେ ପୁଲିସ ଓ ବିଜେପି କର୍ମୀଙ୍କ ମଧ୍ୟରେ ଧସ୍ତାଧସ୍ତି ଯୋଗୁ ଅନେକ ମହିଳା କର୍ମୀ ଆହତ ହୋଇଥିବା ଦଳ ପକ୍ଷରୁ କୁହାଯାଇଛି।
ମନ୍ତ୍ରୀ ଶ୍ରୀ ଜେନାଙ୍କ ଗିରଫ ଦାବିରେ କଟକ ଜିଲ୍ଲା ବିଜେପି ସଭାପତି ତଥା ପୂର୍ବତନ ବିଧାୟକ ପ୍ରକାଶ ବେହେରାଙ୍କ ନେତୃତ୍ୱରେ ଦଳର ଏକ ପଦଯାତ୍ରା ୧୭ତାରିଖରେ ମାହାଙ୍ଗାରୁ ବାହାରି ଆଜି ରାମମନ୍ଦିର ଛକରେ ପହଂଚିଥିଲା।

ସେଠାରୁ ଏକ ବିଶାଳ ଶୋଭାଯାତ୍ରା ଆସି ଲୋୟର ପିଏମଜି ଠାରେ ପହଂଚିବା ପରେ ଏକ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଥିଲା। ଏଥିରେ ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତି ଯୋଗ ଦେଇ କହିଥିଲେ ଯେ,  ବିରୋଧୀଙ୍କୁ ନାଲି ଆଖି ଦେଖାଇବା କାର୍ଯ୍ୟରୁ ରାଜ୍ୟ ସରକାର ବିରତ ରୁହନ୍ତୁ। ଦୁର୍ନୀତି ବିରୁଦ୍ଧରେ ସ୍ୱର ଉଠାଉଥିବାରୁ ବିଜେପି ନେତାମାନଙ୍କୁ ହତ୍ୟା କରାଗଲା। ଦୁର୍ନୀତି ଓ ହତ୍ୟାକାଣ୍ଡ ପ୍ରସଙ୍ଗକୁ ଏଡ଼ାଇବା ପାଇଁ ବିଜେପି ନେତା ଶାରଦା ପ୍ରଧାନଙ୍କୁ ମିଛ କେସରେ ଫସାଇ ଦେବାର ଷଡ଼ଯନ୍ତ୍ର କରିଛନ୍ତି । ମନ୍ତ୍ରୀ ପ୍ରତାପ ଜେନାଙ୍କୁ ମୁଖ୍ୟମନ୍ତ୍ରୀ ନିଜେ ସୁରକ୍ଷା ଦେଉଛନ୍ତି। ଯେପର୍ଯ୍ୟନ୍ତ ଅଭିଯୁକ୍ତ ମନ୍ତ୍ରୀ ପ୍ରତାପ ଜେନା ଗିରଫ ନହୋଇଛନ୍ତି ବିଜେପି ରାଜରାସ୍ତାରେ ଲଢ଼େଇ କରିବ । ସାଧାରଣ ଲୋକ ନ୍ୟାୟ ନପାଇ ଆତ୍ମହୂତି କରିବା ପାଇଁ ବିଧାନସଭାକୁ ପ୍ରକୃତ ସ୍ଥାନ ଭାବେ ଗ୍ରହଣ କରିଛନ୍ତି। ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ବ୍ୟାପକ ଦୁର୍ନୀତି ଓ ଭ୍ରଷ୍ଟାଚାର ରାଜ୍ୟବ୍ୟାପୀ ଚାଲିଥିବାବେଳେ ପ୍ରଥମେ ମାହାଙ୍ଗା ନିର୍ବାଚନମଣ୍ଡଳୀରେ ଏହାକୁ ବିରୋଧ କରାଯାଇଥିଲା।

ଶାସକ ଦଳ କର୍ମୀମାନେ ଏଥିରେ କ୍ରୋଧାନ୍ୱିତ ହୋଇ ସାଧାରଣ ଲୋକଙ୍କୁ ଭୟ ଦେଖାଇବା ପାଇଁ ଜାନୁଆରୀ ୨ ତାରିଖରେ ମାହାଙ୍ଗା ବ୍ଲକର ପୂର୍ବତନ ଅଧ୍ୟକ୍ଷ ତଥା ବରିଷ୍ଠ ବିଜେପି ନେତା କୁଳମଣି ବରାଳ ଏବଂ ତାଙ୍କ ସହଯୋଗୀ ଦିବ୍ୟସିଂ ବରାଳଙ୍କୁ ନିର୍ମମ ଭାବେ ହତ୍ୟା କରିଥିଲେ। ଏହି ହତ୍ୟାକାଣ୍ଡ ଷଡଯନ୍ତ୍ରରେ ଆଇନ ମନ୍ତ୍ରୀ ପ୍ରତାପ ଜେନାଙ୍କ ହାତ ଥିବା ସତ୍ୱେ ପୋଲିସ ତାଙ୍କୁ ଗିରଫ କରିବା ତ ଦୂରର କଥା ତାଙ୍କୁ ଏଯାବତ୍ ତଦନ୍ତ ପରିସରଭୁକ୍ତ କରୁନାହିଁ। ଅପରପକ୍ଷରେ ଶାସକ ଦଳ ଇଙ୍ଗିତରେ ପୁଲିସ ପ୍ରଶାସନ ମାହାଙ୍ଗା ନିର୍ବାଚନମଣ୍ଡଳୀର ବରିଷ୍ଠ ବିଜେପି ନେତା ଶାରଦା ପ୍ରଧାନଙ୍କୁ ମିଥ୍ୟା ମକଦ୍ଦମାରେ ଫସାଇବା ପାଇଁ ଚକ୍ରାନ୍ତ କରିଛି।

ଏଥିରୁ ପୁଲିସ ପ୍ରଶାସନ ରାଜ୍ୟ ସରକାରଙ୍କ ଗୋଡ଼ାଣିଆ ଓ ହାତବାରେସୀ ସାଜିଛି ବୋଲି ପ୍ରମାଣିତ ହୋଇଛି। ସେହିପରି ବିଜେପି ବିଧାୟକ ବିଷ୍ଣୁ ସେଠୀ କହିଛନ୍ତି ଯେ, ପବିତ୍ର ବିଧାନସଭା ଗୃହକୁ ହତ୍ୟା ଅଭିଯୁକ୍ତ ମନ୍ତ୍ରୀ ପ୍ରତାପ ଜେନା ଅପବିତ୍ର କରିଛନ୍ତି। ଆଗାମୀ ଦିନରେ ଅପବିତ୍ର କରିଥିବା ମନ୍ତ୍ରୀ ପ୍ରତାପ ଜେନାଙ୍କ ବିରୁଦ୍ଧରେ ଏହି ଲଢେଇ ବିଧାନସଭା ଭିତରେ ଏବଂ ବାହାରେ ଜାରି ରହିବ। ବିଜେପି ରାଜ୍ୟ ସାଧାରଣ ସମ୍ପାଦକ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି ଯେ, ଶାସକ ଦଳ ପ୍ରତିହିଂସା ପରାୟଣ ହୋଇ ଧମକ ଦେବାର କୁଅଭ୍ୟାସକୁ ବନ୍ଦ ନକଲେ ଆଗାମୀ ଦିନରେ ବିଜେପି ରାଜନୈତିକ ଲଢ଼େଇ ଜରିଆରେ ଏହାର ଜବାବ ଦେବ।

ଏହି ବିଧାନସଭା ଘେରାଉ କାର୍ଯ୍ୟକ୍ରମରେ ବିଧାୟକ ଜୟନ୍ତ ଷଡଙ୍ଗୀ, ମୁକେଶ ମହାଲିଙ୍ଗ, ଆଦିତ୍ୟ ମାଢୀ, ଲେଖାଶ୍ରୀ ସାମନ୍ତସିଂହାର, ଅମର ନାୟକ, ପିଙ୍କି ପ୍ରଧାନ, ଦିଲୀପ ମହାନ୍ତି, ସୋନାଲୀ ସାହୁ, ପଦ୍ମଲୋଚନ ପଣ୍ଡା, ପ୍ରକାଶ ବେହେରା, ଲଲାଟେନ୍ଦୁ ବଡୁ, ବାବୁ ସିଂ, ଇରାସୀସ ଆଚାର୍ଯ୍ୟ, ସିକନ୍ଦର ଅଲ୍ଲୀ, ଦିଲୀପ ମଲ୍ଲିକ, ଜଗନ୍ନାଥ ପ୍ରଧାନ, ବବିତା ମଲ୍ଲିକ, ରଶ୍ମିରେଖା ଦାସ,ଛବି ମଲ୍ଲିକ, ଶୁଭ୍ରାଂଶୁ ପାଢ଼ୀ, ବିଜୟ କୁମାର ଦଳବେହେରାଙ୍କ ସମେତ ହଜାର ହଜାର ସଂଖ୍ୟାରେ ଯୁବ ମହିଳା କର୍ମକର୍ତ୍ତା ସାମିଲ ହୋଇଥିଲେ।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।