ଯୁବ କଂଗ୍ରେସର ଗର୍ଜନ ସମାବେଶ ବାତିଲକୁ ନେଇ ଚର୍ଚ୍ଚା

ଭୁବନେଶ୍ୱର: ଯୁବ କଂଗ୍ରେସର ଗର୍ଜନ ସମାବେଶ ସ୍ଥଗିତ ହେବାକୁ ନେଇ ରାଜନୀତି ଜୋର ଧରିବାରେ ଲାଗିଛି। ଏଆଇସିସି ଚାପ ଓ ପିସିସି ସଭାପତିଙ୍କ ଜିଦ ଯୋଗୁଁ ଯୁବ କଂଗ୍ରେସର ଗର୍ଜନ ସମାବେଶ ଭଣ୍ଡୁର ହେଲା ବୋଲି ଚର୍ଚ୍ଚା ହେଉଛି। ଫେବୃୟାରୀ ୨ ତାରିଖରେ ପିସିସି ପକ୍ଷରୁ ମନରେଗା ଯୋଜନାର ୧୦ ବର୍ଷ ପୂର୍ତ୍ତି ଉତ୍ସବ ପାଳନ କରାଯାଉଛି। ସେହିଦିନ ଯୁବ ସମାବେଶ କଲେ ଭୁଲ ବାର୍ତ୍ତା ଯିବ, ତେଣୁ ଏହି ସମାବେଶକୁ ସ୍ଥଗିତ ରଖାଯିବାକୁ ନିଷ୍ପତ୍ତି ହୋଇଥିବା ଯୁବ କଂଗ୍ରେସ ମୁଖପାତ୍ର ସ୍ମୃତିରଞ୍ଜନ ଲେଙ୍କା କହିଛନ୍ତି।

ପିସିସି ସଭାପତି ଓ ଯୁବ କଂଗ୍ରେସ ସଭାପତିଙ୍କ ମଧ୍ୟରେ ଘନଘନ ରୁଦ୍ଧଦ୍ୱାର ବୈଠକ ସତ୍ତ୍ୱେ ନିଷ୍ପତ୍ତି ହୋଇପାରୁ ନ ଥିଲା। ଶେଷରେ ଏଆଇସିସି ଓ ପିସିସି ସଭାପତିଙ୍କ ଚାପରେ ଆଗରେ ଯୁବ କଂଗ୍ରେସ ମୁଣ୍ଡ ନୂଆଁଇ ଥିବା ଆଲୋଚନା ହେଉଛି।

ଏହାକୁ ମିଶାଇ ତୃତୀୟ ଥର ପାଇଁ ଗର୍ଜନ ସମାବେଶ ବନ୍ଦ ହୋଇଛି। ଏମିତି କି ଯୁବ ସମାବେଶ ନେଇ ୨ ତାରିଖରେ ହେବାକୁ ଥିବା ପ୍ରସ୍ତୁତି ବୈଠକକୁ ମଧ୍ୟ ବାତିଲ କରାଯାଇଛି। ଏ ସମ୍ପର୍କରେ ଏଆଇସିସି ମୁଖପାତ୍ର ଭକ୍ତ ଦାସ କହିଛନ୍ତି, ଗୋଟିଏ ଦିନରେ ଦୁଇଟି କାର୍ଯ୍ୟକ୍ରମ ହୋଇଥିଲେ ଦଳୀୟ ନେତାମାନେ କିପରି ଯୋଗଦେଇଥାନ୍ତେ। ତେଣୁ ଯୁବ କଂଗ୍ରେସର ଗର୍ଜନ ସମାବେଶକୁ ବାତିଲ କରଯାଇଛି।

ସୂଚନାଯୋଗ୍ୟ, ଦଳ ଭିତରେ ସମନ୍ୱୟ ରକ୍ଷା ପାଇଁ ପ୍ରଥମଥର ପାଇଁ ସମନ୍ୱୟ କମିଟି ଗଠନ ହୋଇଛି। ହେଲେ ପିସିସି ଓ ଯୁବ କଂଗ୍ରେସ ମଧ୍ୟରେ କିଛି କି ସମନ୍ୱୟ ଦେଖିବାକୁ ମିଳୁନାହିଁ। ଗର୍ଜନ ସମାବେଶ ସ୍ଥଗିତ ହେବା ପରେ ଏହା ପଛରେ ଥିବା କଂଗ୍ରେସର ବରିଷ୍ଠ ନେତା ଲୁଲୁ ମହାପାତ୍ରଙ୍କୁ ମଧ୍ୟ ଝଟକା ଲାଗିଥିବା ଚର୍ଚ୍ଚା ହେଉଛି।