ଭାଷା କାର୍ଡ : ରାଷ୍ଟ୍ରପତିଙ୍କୁ ଭେଟିଲା ନାହିଁ ବିଜେଡି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଷ୍ଟ୍ରପତି ରାମନାଥ କୋବିନ୍ଦ ଓଡ଼ିଶା ମାଟିରେ ପାଦ ରଖିବାର କିଛି ଘଣ୍ଟା ପୂର୍ବରୁ ବିଜେଡି ଅପ୍ରତ୍ୟାଶିତ ଭାବେ ସାମ୍ବାଦିକ ସମ୍ମିଳନୀ କରି ୪ଟି ଭାଷାକୁ ସମ୍ବିଧାନର ଅଷ୍ଟମ ଅନୁଚ୍ଛେଦରେ ସାମିଲ ପାଇଁ ଦାବି ଉଠାଇଥିଲା। ଆଉ ବିଜେଡିର ପ୍ରତିନିଧି ଦଳ ମଧ୍ୟ ରାଷ୍ଟ୍ରପତିଙ୍କୁ ଭେଟି ଦାବିପତ୍ର ଦେବ ବୋଲି ସୂଚନା ଦେଇଥିଲା। କିନ୍ତୁ ୩ଦିନିଆ ଓଡ଼ିଶା ଗସ୍ତ ଶେଷକରି ରାଷ୍ଟ୍ରପତି ଫେରିଯାଇଥିବାବେଳେ ବିଜେଡିର ପ୍ରତିନିଧି ଦଳ ତାଙ୍କୁ ଭେଟିନଥିବା ଜଣାପଡ଼ିଛି। ତେବେ ଦୀର୍ଘ ୨୪ବର୍ଷ ମଧ୍ୟରେ ପ୍ରଥମଥର ପାଇଁ ଆନୁଷ୍ଠାନିକ ଭାବେ ‘ଭାଷା’କୁ ନେଇ ମୁହଁ ଖୋଲିଥିବା ବିଜେଡି କାହିଁକି ରାଷ୍ଟ୍ରପତିଙ୍କୁ ଭେଟିବାରୁ ବିରତ ରହିଲା ତାକୁ ନେଇ ଚର୍ଚ୍ଚା।

ମିଳିଥିବା ସୂଚନା ଅନୁସାରେ, ରାଷ୍ଟ୍ରପତି ଶ୍ରୀ କୋବିନ୍ଦ ଓଡ଼ିଶାରେ ପହଂଚିବାର ମାତ୍ର ୫ଘଣ୍ଟା ପୂର୍ବରୁ ବିଜେଡି ଅଚାନକ ଏକ ସାମ୍ବାଦିକ ସମ୍ମିଳନୀ ଡାକିି ରାଜ୍ୟରେ ପ୍ରଚଳିତ ଥିବା କୋଶଳୀ, ହୋ, ମୁଣ୍ଡାରୀ ଓ ଭୂମିଜ ଭାଷାକୁ ସମ୍ବିଧାନର ଅଷ୍ଟମ ଅନୁଚ୍ଛେଦରେ ସାମିଲ କରିବା ନିମନ୍ତେ ଦାବି କରିଥିଲା। ଏଥିପାଇଁ ବିଜେଡି ପ୍ରତିନିଧି ଦଳ ମଧ୍ୟ ରାଷ୍ଟ୍ରପତିଙ୍କୁ ଭେଟିବ ବୋଲି ଦଳର ଭାଷା କମିଟି ମୁଖ୍ୟ ତଥା ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ, ବିଧାୟିକା ବାସନ୍ତୀ ହେମ୍ବ୍ରମ ଓ ସାଧାରଣ ସମ୍ପାଦିକା ତଥା ଓଟିଡିସି ଅଧ୍ୟକ୍ଷା ଶ୍ରୀମୟୀ ମିଶ୍ର ସୂଚନା ଦେଇଥିଲେ। ରାଷ୍ଟ୍ରପତି ଓଡ଼ିଶା ଗସ୍ତରେ ଆସୁଥିବାରୁ ତାଙ୍କୁ ଦଳ ସ୍ୱାଗତ କରିବା ସହ ଏହି ଦାବିପତ୍ର ଦେବ ବୋଲି ଶ୍ରୀ ପଟ୍ଟନାୟକ କହିଥିଲେ ମଧ୍ୟ ସମୟ ନିର୍ଦ୍ଧାରଣ ହୋଇନଥିବା ସାମ୍ବାଦିକମାନଙ୍କୁ ଅବଗତ କରିଥିଲେ।

ତେବେ ରାଷ୍ଟ୍ରପତି ଶ୍ରୀ କୋବିନ୍ଦ ଆଜି ଅପରାହ୍ନରେ ତାଙ୍କର ୩ଦିନିଆ ଓଡ଼ିଶା ଗସ୍ତ ସମ୍ପୂର୍ଣ୍ଣ କରି ଫେରିଯାଇଥିବାବେଳେ ବିଜେଡିର ପ୍ରତିନିଧି ଦଳ ତାଙ୍କୁ ଭେଟିନାହିଁ କିମ୍ବା ଭାଷା ସଂକ୍ରାନ୍ତ ଦାବିପତ୍ର ଦେଇନାହିଁ ବୋଲି ଜଣାପଡ଼ିଛି।
ତେବେ ପ୍ରଶ୍ନ ଉଠୁଛି, ଦୀର୍ଘ ୨୪ବର୍ଷର ଇତିହାସରେ ବିଜେଡି ପ୍ରଥମଥର ପାଇଁ କାହିଁକି ଅଚାନକ ‘ଭାଷା’କୁ ରାଜନୀତିକ ଉଦ୍ଦେଶ୍ୟରେ ଉପଯୋଗ କରିବାକୁ ନିଷ୍ପତ୍ତି ନେଲା ଓ ତା’ପୁଣି ରାଷ୍ଟ୍ରପତିଙ୍କ ଓଡ଼ିଶା ଆଗମନର କିଛି ଘଣ୍ଟା ପୂର୍ବରୁ? ଭାଷାକୁ ମାନ୍ୟତା ଦେବା ପାଇଁ ଅବଶ୍ୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ରାଜ୍ୟ ସରକାରଙ୍କ ସ୍ତରରେ କେନ୍ଦ୍ର ସରକାରଙ୍କ ପାଖରେ ବାରମ୍ବାର ଦାବି ହୋଇ ଆସୁଛି। କିନ୍ତୁ ବିଜେଡି କେବେ ‘ଭାଷା’କୁ ନେଇ ରାଜନୀତିକ ବୟାନବାଜି କରିନଥିଲା।

ରାଜନୀତିକ ବିଶ୍ଲେଷକଙ୍କ ମତରେ, ବିଜେଡି ଏକ ଆଂଚଳିକ ଦଳ ଓ ରାଜ୍ୟର ସ୍ୱାର୍ଥକୁ ସୁରକ୍ଷିତ ରଖିବାର ଆଂଚଳିକବାଦର ମାନସିକତା ନେଇ ଏହାର ଜନ୍ମ ହୋଇଥିଲା। କିନ୍ତୁ ବିଗତ କିଛିବର୍ଷ ମଧ୍ୟରେ ବିଜେଡି ବିଭିନ୍ନ ରାଜ୍ୟ ସ୍ୱାର୍ଥ ପ୍ରସଙ୍ଗର ରାଜନୀତିକରଣ କରୁଥିବାରୁ ତାହା ପରବର୍ତ୍ତୀ ସମୟରେ ଗୁରୁତ୍ୱହୀନ ହୋଇପଡ଼ୁଛି। ଯାହା ପରୋକ୍ଷରେ ରାଜ୍ୟବାସୀଙ୍କ ପାଇଁ କ୍ଷତି ହେଉଛି।
ପୋଲାଭରମ ପ୍ରକଳ୍ପ ହେଉ କି ମହାନଦୀ ଜଳ ବିବାଦ, ଆନ୍ଧ୍ର ସହ ସୀମା ବିବାଦ ହେଉ କି ପଶ୍ଚିମବଙ୍ଗ ଦ୍ୱାରା ବାଲିଚାଲାଣ, ରାଜ୍ୟରେ ରେଳବାଇ ଭିତ୍ତିଭୂମି ବିକାଶ ଅବାପୁଣି ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ମାନ୍ୟତା ଆଦି ସମସ୍ତ ପ୍ରସଙ୍ଗକୁ ସରକାରୀସ୍ତରରେ ପରିଚାଳନା କରିବା ପରିବର୍ତ୍ତେ କେନ୍ଦ୍ର ସରକାରକୁ ଟାର୍ଗେଟ୍ କରିବା ନିମନ୍ତେ ଏହାକୁ ରାଜନୀତିକ ପ୍ରସଙ୍ଗ କରୁଥିବାରୁ ତାକୁ ଯଥାର୍ଥ ନ୍ୟାୟ ମିଳିପାରୁନି। ଏବେ ସେହି ଢଙ୍ଗରେ ‘ଭାଷା’କୁ ବିଜେଡି ନିଜର ରାଜନୀତିକ ପ୍ରସଙ୍ଗ କରିଛି।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।