ବିଜେଡି ନେତାଏ ପାପରେ ବୁଡ଼ି ରହିଛନ୍ତି ବୋଲି ଦିନରାତି ନବୀନ ନିବାସ ଦୌଡ଼ୁଛନ୍ତି: ପ୍ରଦୀପ୍ତ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ନବୀନ ନିବାସ ହେଉଛି ପବିତ୍ର ସ୍ଥାନ। ବିଜେପି ବିଧାୟକମାନେ ପାପ ଧୋଇ ପବିତ୍ର ହେବାକୁ ନବୀନ ନିବାସ ଆସିଛନ୍ତି ବୋଲି ରାଜ୍ୟ ଆଇନ ମନ୍ତ୍ରୀ ପ୍ରତାପ ଜେନା କଟାକ୍ଷ କରି କହିଛନ୍ତି। ଏପଟେ ବିଜେଡି ନେତାମାନେ ପାପରେ ବୁଡ଼ି ରହିଛନ୍ତି, ତେଣୁ ସବୁବେଳେ ନବୀନ ନିବାସ ଯାଉଛନ୍ତି ବୋଲି ବିରୋଧୀ ଦଳ ନେତା ପ୍ରଦୀପ୍ତ କୁମାର ନାଏକ ଓ ବିଜେପି ବିଧାୟକ ଦଳ ମୁଖ୍ୟ ସଚେତକ ମୋହନ ମାଝୀ କହିଛନ୍ତି।

ଗତ ୫ଦିନ ଧରି ବିଧାନସଭାରେ ଲାଗି ରହିଥିବା ଅଚଳାବସ୍ଥା ଓ ମୁଖ୍ୟମନ୍ତ୍ରୀଙ୍କ ନିରବତା ଉପରେ ପ୍ରଶ୍ନ ଉଠାଇ ବିଜେପି ବିଧାୟକମାନେ ଆଜି ‘ମୁଖ୍ୟମନ୍ତ୍ରୀଙ୍କୁ ଖୋଜିବା’ ପାଇଁ ଏକ ଶୋଭାଯାତ୍ରାରେ ନବୀନ ନିବାସ ଆସିଥିଲେ।

ସେମାନେ ନବୀନ ନିବାସ ବାହାରେ ଧାରଣାରେ ବସିଥିବାବେଳେ ବିଜେଡିର ବରିଷ୍ଠ ନେତା ତଥା ମନ୍ତ୍ରୀ ଶ୍ରୀ ଜେନା କଟାକ୍ଷ କରି କହିଥିଲେ ଯେ, ମୁଖ୍ୟମନ୍ତ୍ରୀ ସବୁବେଳେ ବିଧାନସଭାରେ ରହୁଛନ୍ତି। ବିଜେପି ବିଧାୟକ ବିଧାନସଭା ଭିତରେ ଯେଉଁ କାର୍ଯ୍ୟ କରିଛନ୍ତି, ତାହା ଓଡ଼ିଶା ରାଜନୀତିକ ଇତିହାସରେ ଲଜ୍ୟାଜନକ ପରିସ୍ଥିତି ସୃଷ୍ଟି କରିଛି। ତା’ସତ୍ତ୍ୱେ ସେମାନେ ଯେତେବେଳେ ନବୀନ ନିବାସ ଆସିଛନ୍ତି, ସେମାନଙ୍କୁ ବିଜେଡି ସ୍ୱାଗତ କରୁଛୁ। ନବୀନ ନିବାସ ହେଉଛି ପବିତ୍ର ସ୍ଥାନ ତଥା ଓଡ଼ିଶା ଇତିହାସରେ ଏହା ଏକ ପ୍ରମୁଖ ସ୍ଥାନ। ପ୍ରବାଦପୁରୁଷ ବିଜୁବାବୁଙ୍କ ଏହା କର୍ମକ୍ଷେତ୍ର ଥିଲା। ଆଉ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ରାଜନୀତିକ ସଫଳତା ସହ ମଧ୍ୟ ଜଡ଼ିତ । ବିଜେପିର ବିଧାୟକମାନେ ପାପ କରିଛନ୍ତି। ନବୀନ ନିବାସରେ ପହଂଚିଲେ ସମସ୍ତେ ପବିତ୍ର ହୋଇଯିବେ । ବିଭିନ୍ନ ସମୟରେ ସେମାନେ ଯେଉଁ କୁକର୍ମ କରିଛନ୍ତି ନବୀନ ନିବାସରେ ତାଙ୍କର ପାପ ଧୋଇଯିବ ବୋଲି ଶ୍ରୀ ଜେନା କଟାକ୍ଷ କରି କହିଛନ୍ତି।

ଶ୍ରୀ ଜେନାଙ୍କ ଏଭଳି ମନ୍ତବ୍ୟ ଉପରେ ପ୍ରତିକ୍ରିୟା ଦେଇ ବିରୋଧୀ ଦଳ ନେତା ତଥା ବିଜେପି ବିଧାୟକ ଦଳ ନେତା ପ୍ରଦୀପ୍ତ କୁମାର ନାଏକ କହିଛନ୍ତି, ମନ୍ତ୍ରୀ ପ୍ରତାପ ଜେନା ଯେଉଁ ମନ୍ତବ୍ୟ ଦେଇଛନ୍ତି, ତାହା ଅତ୍ୟନ୍ତ ନିନ୍ଦନୀୟ। ପ୍ରତାପ ଜେନାଙ୍କ କଥା ଶୁଣିବା ପରେ ସେମାନେ ଭିତରକୁ ଯିବାକୁ ଚାହୁଁ ନଥିଲେ, କିନ୍ତୁ ମୁଖ୍ୟମନ୍ତ୍ରୀ ନିଜେ ବ୍ୟକ୍ତିଗତ ଡାକିବାକୁ ଆସିବାରୁ ସୌଜନ୍ୟତା ଦୃଷ୍ଟିରୁ ଭିତରକୁ ଯିବାକୁ ପଡ଼ିଲା। ବିଜେଡି ନେତାମାନେ ପାପରେ ବୁଡ଼ି ରହିଛନ୍ତି ବୋଲି ସେମାନେ ଦିନରାତି ନବୀନ ନିବାସ ଦୌଡ଼ୁଛନ୍ତି।

ସୂଚନାଯୋଗ୍ୟ, ବିଜେପିର ସବୁ ବିଧାୟକ ଆଜି ନବୀନ ନିବାସ ଯାଇଥିବାବେଳେ ଜୟନାରାୟଣ ମିଶ୍ର ଭିତରକୁ ଯାଇ ନଥିଲେ।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।