ନବୀନ ନିବାସ ପବିତ୍ର ସ୍ଥାନ, ବିରୋଧୀଙ୍କ ପାପ ଧୋଇ ଯିବ: ପ୍ରତାପ

ପ୍ରତାପଙ୍କ ‘ପାପ’ ଉପାଖ୍ୟାନର ଜବାବ ଦେଲା ବିଜେପି, ପଚାରିଲା- ପାପ କିଏ କରିଛି? 

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): “ନବୀନ ନିବାସ ହେଉଛି ଗୋଟେ ପବିତ୍ର ସ୍ଥାନ। ଆଜି ନବୀନ ନିବାସରେ ବିରୋଧୀମାନେ ପହଞ୍ଚିବା ପରେ ମୁଁ ଭାବୁଛି ତାଙ୍କର ଯେଉଁ ସବୁ ପାପ ଥିଲା, ତାହା ଧୋଇ ହୋଇ ଯାଇଛି। ସେମାନେ ସବୁ ପବିତ୍ର ହୋଇଯିବେ।” ଆଜି ଏପରି ବୟାନ ଦେଇଛନ୍ତି ମନ୍ତ୍ରୀ ପ୍ରତାପ ଜେନା। ଚାଷୀଙ୍କ ସମସ୍ୟାକୁ ନେଇ ବିଧାନସଭା ଚାଲି ନପାରିବାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଖୋଜିବା ପାଇଁ ବିଜେପି ବିଧାୟକମାନେ ଆଜି ନବୀନ ନିବାସ ଯାଇଥିବା ବେଳେ ପ୍ରତାପ ଚିଗୁଲେଇ ଏପରି କହିଛନ୍ତି।

ପ୍ରତାପଙ୍କ ଏପରି ଆରୋପର ଦୃଢ଼ ଜବାବ ଦେଇଛି ବିଜେପି। ବିଜେପି ବିଧାୟକ ମୋହନ ମାଝି ମନ୍ତ୍ରୀ ପ୍ରତାପ ଜେନାଙ୍କୁ ପ୍ରଶ୍ନ କରିଛନ୍ତି, “ପାପ କିଏ କରିଛି? ପାପ ପ୍ରତାପ ଜେନା କରିଛନ୍ତି। ୪ ଜଣଙ୍କୁ ହତ୍ୟା କରି ପ୍ରତାପ ଜେନା ପାପ କରିଛନ୍ତି। ପାପ କରିଛନ୍ତି ମନ୍ତ୍ରୀ ଅରୁଣ ସାହୁ।”

ଆଜି ଦିନ ତମାମ ରାଜଧାନୀ ରାଜରାସ୍ତାରେ ଚାଲିଥିଲା ପଲିଟିକାଲ୍‌ ଡ୍ରାମା। ମଣ୍ଡି ଅବ୍ୟବସ୍ଥାକୁ ନେଇ ୬ ଦିନ ଧରି ବିଧାନସଭା ଚାଲିପାରୁ ନଥିବା ବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ଗୃହକୁ ଆସୁନାହାନ୍ତି। ଆଜି ତାଙ୍କୁ ଖୋଜିବା ପାଇଁ ବିଜେପି ବିଧାୟକମାନେ ବିଧାନସଭାରୁ ଶୋଭାଯାତ୍ରାରେ ବାହାରିଥିଲେ।

ସେତେବେଳକୁ କାଉଣ୍ଟର ପ୍ଲାନ୍‌ ପ୍ରସ୍ତୁତ କରିଥିଲା ବିଜେଡି। ନବୀନ ନିବାସ ଯାଏଁ ବାଟ କଢ଼େଇ ନେଉଛୁ କହି ବିଜେପି ବିଧାୟକଙ୍କ ପଛେ ପଛେ ବିଜେଡି ବିଧାୟକମାନେ ପଦଯାତ୍ରା ଆରମ୍ଭ କରିଥିଲେ।

ବିଜେପି ବିଧାୟକମାନେ ନବୀନ ନିବାସ ସମ୍ମୁଖରେ ପହଞ୍ଚିଲେ। ମାତ୍ର ସେମାନଙ୍କୁ ଭିତରକୁ ଛଡ଼ା ଗଲା ନାହିଁ। ଫଳରେ ସେମାନେ ଧାରଣାରେ ବସିଗଲେ। ସେମାନଙ୍କୁ ବୁଝାଇବାକୁ ଜଣେ ପରେ ଜଣେ ବିଜେଡିର ବରିଷ୍ଠ ବିଧାୟକ ଓ ମନ୍ତ୍ରୀ ଆସିଥିଲେ। ମାତ୍ର ମନ୍ତ୍ରୀ ଓ ବିଧାୟକଙ୍କ ବୁଝାସୁଝା କାମ ଦେଲାନି। ଶେଷରେ ମୁଖ୍ୟମନ୍ତ୍ରୀ ବାହାରକୁ ଆସିଥିଲେ। ବିଜେପି ବିଧାୟକଙ୍କୁ ଧାରଣାରୁ ଉଠାଇ ନବୀନ ନିବାସକୁ ଡାକି ନେଇଥିଲେ ଓ ସେଠାରେ ପ୍ରାୟ ଅଧାଘଣ୍ଟା ଧରି ଆଲୋଚନା ହୋଇଥିଲା।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।