ବିଧାନସଭାରେ ଅଚଳାବସ୍ଥା ଏଡ଼ାଇବାକୁ ୩ ଦିନରେ ଦ୍ୱିତୀୟଥର ମୁଖ୍ୟମନ୍ତ୍ରୀଙ୍କୁ ଚିଠି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କ୍ରମାଗତ ୫ଦିନ ଧରି ବିଧାନସଭା ଅଧିବେଶନ ଅଚଳ ହୋଇ ରହିଛି। ଗୃହର ଅଚଳାବସ୍ଥା ଏଡ଼ାଇବା ପାଇଁ କଂଗ୍ରେସ ପକ୍ଷରୁ ଗୃହର ନେତା ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ହସ୍ତକ୍ଷେପ ଦାବି କରାଯାଇଛି। ଗୃହରେ ଆଜି ବି ଅଚଳାବସ୍ଥା ଜାରି ରହିବାପରେ ଗତ ୩ଦିନ ମଧ୍ୟରେ ଦ୍ୱିତୀୟଥର ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଆଜି କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ଚିଠି ଲେଖି ଗୃହରେ ସ୍ୱାଭାବିକ ଅବସ୍ଥା ଫେରାଇ ଆଣିବା ନିମନ୍ତେ ଏକ ସର୍ବଦଳୀୟ ବୈଠକ ଡାକିବା ପାଇଁ ଦାବି କରିଛନ୍ତି।

ଶ୍ରୀ ମିଶ୍ର କହିଛନ୍ତି ଯେ ଚଳିତମାସ ୧୨ ତାରିଖରୁ ବିଧାନସଭା ଅଧିବେଶନ ପୁନଃଆରମ୍ଭ ହୋଇଥିବାବେଳେ ଆଜିପର୍ଯ୍ୟନ୍ତ କୌଣସି କାର୍ଯ୍ୟ ହୋଇପାରିନି। ଗୃହକୁ ଉଭୟ ଶାସକ ଓ ବିରୋଧୀ ଦଳ ଅଚଳ କରି ରଖିଛି। ଶାସକ ଦଳର ସଦସ୍ୟମାନେ ଗତ ୪ଦିନ ହେଲା ଗୃହର ମଧ୍ୟଭାଗକୁ ଆସି ସ୍ଲୋଗାନ ଦେଉଛନ୍ତି। ଅଧିବେଶନ କିଭଳି ସ୍ୱାଭାବିକ ଭାବେ ଚାଲିବ ତାହା ଗୃହର ନେତାଙ୍କ ଦାୟିତ୍ୱ। ଗୃହକୁ ସ୍ୱାଭାବିକ କରିବା ପାଇଁ ବାଚସ୍ପତିଙ୍କ ପ୍ରୟାସ ଫେଲ୍ ମାରିଛି।

ଗଣତନ୍ତ୍ରରେ ସାଧାରଣତଃ ଶାସକ ଦଳ ଗୃହରେ କୌଣସି ସଦସ୍ୟଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଦାବି କରି ଅଚଳାବସ୍ଥା ସୃଷ୍ଟି କରେନାହିଁ। ଯଦି ବାଚସ୍ପତି ଭାବୁଛନ୍ତି ସମ୍ପୃକ୍ତ ବିଧାୟକ ସ୍ୱାଧିକାର ଭଙ୍ଗ କାର୍ଯ୍ୟ କରିଛନ୍ତି ତା’ହେଲେ ବିଧାନସଭାର ଆଇନ ଅନୁସାରେ ତାଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିପାରିବେ। ଏବେ ଧାନ କିଣାରେ ବ୍ୟାପକ ଅନିୟମିତତାକୁ ନେଇ ଚାଷୀ ଅସନ୍ତୁଷ୍ଟ ଥିବା ସମ୍ପର୍କରେ ଖବର ନିୟମିତ ଗଣମାଧ୍ୟମରେ ପ୍ରକାଶ ପାଉଛି।

ସଂସଦୀୟ ବ୍ୟାପାର ମନ୍ତ୍ରୀଙ୍କ ମାଧ୍ୟମରେ ସରକାର ସମସ୍ତ ପ୍ରକୃତ ଚାଷୀଠୁ ଧାନ କିଣିବା ପାଇଁ ଗୃହରେ ପ୍ରତିଶ୍ରୁତି ଦେଇଥିବାବେଳେ ଖାଦ୍ୟଯୋଗାଣ ଓ ସମବାୟ ବିଭାଗ ଦାୟିତ୍ୱରେ ଥିବା ମନ୍ତ୍ରୀ କିନ୍ତୁ ଭିନ୍ନ ତଥ୍ୟ ରଖୁଛନ୍ତି। ଯାହାକି ସଂସଦୀୟ ବ୍ୟାପାର ମନ୍ତ୍ରୀଙ୍କ ବୟାନଠୁ ଭିନ୍ନ। ତେଣୁ ଚାଷୀଙ୍କ ମଧ୍ୟରେ ବିଶ୍ୱାସ ସୃଷ୍ଟି ନିମନ୍ତେ ସେମାନଙ୍କର ସମସ୍ତ ଧାନକୁ କ୍ରୟ କରାଯାଉ ଓ ଏଥିପାଇଁ ହସ୍ତକ୍ଷେପ କରିବାକୁ ସେ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଥିଲେ। ଏହାସହିତ ସର୍ବଦଳୀୟ ବୈଠକ ଡାକି କୌଣସି ଚାଷୀ ଯେଭଳି ଧାନବିକ୍ରିରୁ ବଂଚିତ ହେବେ ନାହିଁ ସେଥିପାଇଁ ଚାଷୀଙ୍କୁ ମୁଖ୍ୟମନ୍ତ୍ରୀ ଆଶ୍ୱସ୍ତ କରାନ୍ତୁ ବୋଲି ଶ୍ରୀ ମିଶ୍ର ତାଙ୍କ ଚିଠିରେ ଉଲ୍ଲେଖ କରିଛନ୍ତି।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।