ହାଇ ଡ୍ରାମା ପରେ ବାହାରିଲେ ନବୀନ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ବିଧାନସଭା ଅଚଳକୁ ନେଇ ନବୀନ ନିବାସ ସମ୍ମୁଖରେ ହାଇଡ୍ରାମା। ନବୀନ ନିବାସ ସମ୍ମୁଖରେ ଧାରଣା ଦେଲେ ବିଜେପି ବିଧାୟକ। ପରେ ମୁଖ୍ୟମନ୍ତ୍ରୀ ନିଜେ ଧାରଣାସ୍ଥଳକୁ ଆସିଲେ ଓ ଆଲୋଚନା ପାଇଁ ନବୀନ ନିବାସ ଭିତରକୁ ଡାକିନେଲେ। ରାଜ୍ୟ ରାଜନୀତିରେ ପ୍ରଥମ ଥର ପାଇଁ ଘଟିଛି ଏଭଳି କିଛି ଘଟଣା।

ମଣ୍ଡିରେ ଅବ୍ୟବସ୍ଥା ଓ ବିଧାନସଭାରେ ମୁଖ୍ୟମନ୍ତ୍ରୀଙ୍କ ଅନୁପସ୍ଥିତିକୁ ନେଇ ଆଜି ରାସ୍ତାକୁ ଓହ୍ଲାଇଥିଲେ ବିଜେପି ବିଧାୟକ। ବିଧାନସଭାରୁ ଶୋଭାଯାତ୍ରାରେ ବାହାରି ମୁଖ୍ୟମନ୍ତ୍ରୀଙ୍କ ବାସଭବନ ଯାଏଁ ସେମାନେ ଚାଲି ଚାଲି ଯାଇଥିଲେ। ମୁଖ୍ୟମନ୍ତ୍ରୀଙ୍କୁ ଖୋଜିବାକୁ ସେମାନେ ନବୀନ ନିବାସ ଆସିଥିବା କହିଥିଲେ । ଅନ୍ୟପକ୍ଷରେ ବିଜେପି ବିଧାୟକଙ୍କ ଶୋଭାଯାତ୍ରା ପଛରେ ବିଜେଡି ବିଧାୟକମାନେ ଶୋଭାଯାତ୍ରା କରି ନବୀନ ନିବାସ ପର୍ଯ୍ୟନ୍ତ ଆସିଥିଲେ।

ନବୀନ ନିବାସ ଭିତରକୁ ନଯାଇ ପାରି  ଗେଟ୍ ସମ୍ମୁଖରେ ଧାରଣାରେ ବସିଥିଲେ ବିଜେପି ବିଧାୟକ। ବିଜେଡି ବିଧାୟକମାନେ ସେମାନଙ୍କୁ ଧାରଣାରୁ ହଟିବାକୁ ହାତ ଯୋଡ଼ି ନିବେଦନ କରିଥିଲେ। ପରେ ମୁଖ୍ୟମନ୍ତ୍ରୀ ଆସି ବିଜେପି ବିଧାୟକମାନଙ୍କୁ ନବୀନ ନିବାସ ଭିତରକୁ ଡାକି ନେଇ ଆଲୋଚନା କରିଥିଲେ।

ଖୁବ୍‌ଶୀଘ୍ର ସମସ୍ୟାର ସମାଧାନ ହେବ ବୋଲି ମୁଖ୍ୟମନ୍ତ୍ରୀ ପ୍ରତିଶ୍ରୁତି ଦେଇଛନ୍ତି । ତାହା ସହିତ ସର୍ବଦଳୀୟ ବୈଠକ ଡକାଯିବ ବୋଲି ସେ କହିଛନ୍ତି।

ବିରୋଧୀ ଦଳ ଉପନେତା ବିଷ୍ଣୁ ସେଠୀ କହିଛନ୍ତି, ଆଜି ଯାହା ଘଟିଲା, ତାହା ଇତିହାସରେ ପ୍ରଥମ। ମୁଖ୍ୟମନ୍ତ୍ରୀ ଧାରଣାସ୍ଥଳକୁ ଆସିବା ଇତିହାସରେ ପ୍ରଥମ। ଏକ ସର୍ବଦଳୀୟ ବୈଠକ ବସିବ ବୋଲି ମୁଖ୍ୟମନ୍ତ୍ରୀ ପ୍ରତିଶ୍ରୁତି ଦେଇଛନ୍ତି। ଖୁବ୍ ଶୀଘ୍ର ବୈଠକ ବସିବ ଓ ଏଥିରୁ କିଛି ଫଳ ମିଳିବ ବୋଲି ଆଶା ରହିଛି। ଏହା ସହିତ ମଣ୍ଡିରୁ ସବୁ ଧାନ ଉଠିବ କଥାରେ ମୁଖ୍ୟମନ୍ତ୍ରୀ ହଁ କହିଲେ ବୋଲି ଶ୍ରୀ ସେଠୀ କହିଛନ୍ତି।

ବିଜେପି ବିଧାୟକ ଜୟନ୍ତ ଷଡ଼ଙ୍ଗୀ କହିଛନ୍ତି, ଧାନ ସମସ୍ୟା ନେଇ ସର୍ବଦଳୀୟ ବୈଠକ ଡକାଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ସେ ବାଚସ୍ପତିଙ୍କ ସହିତ କଥା ହେବେ ଓ ସର୍ବଦଳୀୟ ବୈଠକ ବସିବ। ଖୁବ୍‌ଶୀଘ୍ର ସମସ୍ୟାର ସମାଧାନ କରିବେ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।