ମମତାଙ୍କ ଆଶୁ ଆରୋଗ୍ୟ କାମନା କଲେ ନବୀନ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ନିର୍ବାଚନ ପ୍ରଚାର ବେଳେ ନନ୍ଦିଗ୍ରାମରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଆହତ ହୋଇଥିଲେ। ତାଙ୍କ ଆରୋଗ୍ୟ କାମନା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ମମତା ହସ୍ପିଟାଲ୍‌ରେ ଚିକିତ୍ସିତ ହେଉଥିବାରୁ ଟ୍ୱିଟ୍‌ କରି ତାଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି ନବୀନ। ଗତକାଲି ନିର୍ବାଚନ ପ୍ରଚାର ବେଳେ ନନ୍ଦିଗ୍ରାମରେ ଆହତ ହୋଇଥିଲେ ମମତା।

ଚଳିତ ନିର୍ବାଚନରେ ପଶ୍ଚିମବଙ୍ଗର ନନ୍ଦିଗ୍ରାମରୁ ମମତା ବାନାର୍ଜୀ ଟିଏମ୍‌ସିରୁ ପ୍ରାର୍ଥୀ ହୋଇଛନ୍ତି। ସେଥିପାଇଁ ସେ ପ୍ରଚାର କରୁଛନ୍ତି। ବୁଧବାର ସେ ନନ୍ଦିଗ୍ରାମର ବିରୁଳିଆ ବଜାରରେ ପ୍ରଚାର କରୁଥିଲେ। ଏହି ସମୟ ତାଙ୍କ କାର୍‌ ଡୋରକୁ ୪ରୁ ୫ ଜଣ ଯୁବକ ଠେଲି ଦେଇଥିଲେ। ଫଳରେ ତାଙ୍କ ପାଦ କାର୍‌ ଡୋରରେ ଚାପି ଯାଇଥିବା ମମତା ଅଭିଯୋଗ କରିଥିଲେ। ଆକ୍ରମଣରେ ମମତାଙ୍କ ପାଦରେ ଗଭୀର ଆଘାତ ଲାଗିଥିଲା। ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ କୋଲକାତାରେ ଏକ ମେଡ଼ିକାଲକୁ ସ୍ଥାନାନ୍ତରିତ କରାଯାଇଛି।

ଆଜି ମମତା ବିରୋଧୀ ବିଜେପିକୁ ସମାଲୋଚନା କରିଥିବା ବେଳେ ଏକ ଭିଡ଼ିଓ ବାର୍ତ୍ତା ଜାରି କରିଛନ୍ତି। ନିଜ କର୍ମୀଙ୍କ ମନୋବଳ ବଢ଼ାଇବା ପାଇଁ କହିଛନ୍ତି, ଦୁଇରୁ ତିନି ଦିନ ମଧ୍ୟରେ ସେ ପ୍ରଚାର ମୈଦାନକୁ ଫେରିବେ। ଏମିତିକି ଦଳୀୟ କର୍ମୀ ଓ ସମର୍ଥକଙ୍କୁ ଶାନ୍ତି ବଜାୟ ରଖିବା ପାଇଁ ଆହ୍ୱାନ ଦେଇଛନ୍ତି। ଚାଲି ନପାରିଲେ ହ୍ୱିଲ୍‌ ଚେୟାରରେ ପ୍ରଚାର କରିବେ ବୋଲି ମମତା କହିଛନ୍ତି।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।