ପିପିଲି ଉପନିର୍ବାଚନ: ଅସନ୍ତୋଷରୁ ଫାଇଦା ନେଇପାରିବ କି ବିଜେପି?

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପିପିଲି ଉପନିର୍ବାଚନ ପାଇଁ ତାରିଖ ଘୋଷଣା ସହ ରାଜନୀତିକ ଉଷ୍ମତା ବୃଦ୍ଧି ପାଇଛି। ଶାସକ ବିଜେଡିର ଦୁର୍ଗ ଭାବେ ପରିଚିତ ଏହି ଆସନରେ ଦଳୀୟ କର୍ମୀଙ୍କ ମଧ୍ୟରେ ଅସନ୍ତୋଷକୁ ଦୂର କରିବା ପାଇଁ ବିଜେଡି ଏବେ ସେଠାରେ ୱାର୍ଡକମିଟି ଗଠନ ସହ ସାଂଗଠନ ସହ ତାଳିପକା ଉଦ୍ୟମ ଆରମ୍ଭ କରିଛି। କିନ୍ତୁ ବିଜେଡି ପ୍ରତି ଥିବା ଅସନ୍ତୋଷର ଫାଇଦା ନେବାକୁ ମୁଖ୍ୟ ବିରୋଧୀ ଦଳ ବିଜେପି ଏପର୍ଯ୍ୟନ୍ତ ପିପିଲିରେ ସେଭଳି ଆଖିଦୃଶିଆ ପଦକ୍ଷେପ ନେଇନଥିବାବେଳେ କଂଗ୍ରେସ ମଧ୍ୟ ସେଠାରେ ନିଜର ନେତୃତ୍ୱକୁ ନେଇ ସଙ୍କଟରେ ରହିଛି।

କେବଳ ପିପିଲି ବ୍ଲକ ଅନ୍ତର୍ଗତ ନୂଆଶାସନ ପଂଚାୟତ ଉପନିର୍ବାଚନର ଫଳାଫଳକୁ ନେଇ ବିଜେପି ଆତ୍ମସନ୍ତୋଷ ମଧ୍ୟରେ ନିଜକୁ ସୀମିତ ରଖିଥିବା ଜଣାପଡ଼ିଛି। ତେବେ ୨୦୧୯ ସାଧାରଣ ନିର୍ବାଚନ ପରେ ଆଜି ପର୍ଯ୍ୟନ୍ତ  ରାଜ୍ୟରେ ହୋଇଥିବା ସମସ୍ତ ୪ଟି ବିଧାନସଭା ଉପନିର୍ବାଚନରେ ବିଜେଡି ନିଜର ପତିଆରା ଦେଖାଇଥିବାବେଳେ ବିଜେପି ଓ କଂଗ୍ରେସର ଦୁର୍ବଳ ରଣନୀତି ଓ ଅନାଗ୍ରହ ଯୋଗୁ ପିପିଲିରେ ବି

ସେହି ସମାନ ପରିସ୍ଥିତି ସୃଷ୍ଟି ହେବ ବୋଲି ଏବେଠୁ ରାଜନୀତିକ ବିଶ୍ଲେଷକ ମହଲରେ ଚର୍ଚ୍ଚା ଆରମ୍ଭ ହେଲାଣି।
ପିପିଲି ବିଧାନସଭା ଆସନରେ ଆସନ୍ତା ୧୭ତାରିଖରେ ଭୋଟଗ୍ରହଣ ଅନୁଷ୍ଠିତ ହେବ। ଏଥିପାଇଁ ଚଳିତମାସ ୩୦ତାରିଖ ସୁଦ୍ଧା ପ୍ରାର୍ଥୀପତ୍ର ଦାଖଲ କରିବାକୁ ପଡ଼ିବାକୁ ଥିବାବେଳେ ପ୍ରାର୍ଥୀ ଚୟନ କିମ୍ବା ସାଂଗଠନିକ କାର୍ଯ୍ୟ ନିମନ୍ତେ ରାଜନୀତିକ ଦଳଗୁଡ଼ିକ ହାତରେ ସମୟ ଖୁବ୍ ସ୍ୱଳ୍ପ ରହିଛି । ଅବଶ୍ୟ ବିଜେଡି ଗତ ଏକ ମାସ ଧରି ନିଜର ଦଳୀୟ ନେତାମାନଙ୍କୁ ସେଠାରେ ବ୍ଲକ ଓ ଏନଏସି ଦାୟିତ୍ୱ ଦେଇ ୱାର୍ଡକମିଟି ଗଠନ ସହ ସାଂଗଠନିକ କାର୍ଯ୍ୟକୁ ଜୋରଦାର କରିଥିବାବେଳେ ବିଜେପି ଏପର୍ଯ୍ୟନ୍ତ ସେ ଦିଗରେ ସାମାନ୍ୟତମ ପଦକ୍ଷେପ ନେଇନଥିବା ଜଣାପଡ଼ିଛି।

ଦିବଂଗତ ବିଧାୟକ ପ୍ରଦୀପ ମହାରଥୀଙ୍କ ପରିବାରର ଜଣଙ୍କୁ ପ୍ରାର୍ଥୀ କରିବା ନେଇ ବିଜେଡି ସଙ୍କେତ ଦେଉଥିବାବେଳେ ମହାରଥୀଙ୍କ ପତ୍ନୀ ଓ ପୁଅଙ୍କ ମଧ୍ୟରୁ କାହାକୁ ପ୍ରାର୍ଥୀ କରାଯିବ ସେ ନେଇ ରହିଥିବା ମତଭେଦକୁ ଦୂର କରିବାରେ ମଧ୍ୟ ଦଳ  ସକ୍ଷମ ହୋଇସାରିଛି। ତେବେ ପିପିଲି ବିଜେଡିରେ ଗତ କିଛିବର୍ଷ ଧରି ଦିବଂଗତ ମହାରଥୀଙ୍କ ଦ୍ୱାରା ଅଣଦେଖା ହୋଇ ରହିଥିବା ଦଳୀୟ କର୍ମୀଙ୍କ ଅସନ୍ତୋଷ, ରାଜ୍ୟ ଶିଶୁ ସୁରକ୍ଷା ଅଧିକାରୀ ଆୟୋଗ ଅଧ୍ୟକ୍ଷା ସନ୍ଧ୍ୟାବତୀ ପ୍ରଧାନ ପ୍ରାର୍ଥୀ ହେବା ପାଇଁ ଲବି କରୁଥିବାରୁ ବିଜେଡି ଏବେବି ପିପିଲିରେ ନିଜକୁ ସୁରକ୍ଷିତ ଅନୁଭବ କରିପାରୁନଥିବା ଜଣାପଡ଼ିଛି।

ଗତ ୩ଦଶନ୍ଧି ଧରି ପିପିଲି ଆସନ ବିଜେଡି ଦଖଲରେ ଥିଲେ ମଧ୍ୟ ସେଠାରେ ଆଶାନୁରୂପ ବିକାଶ ହୋଇପାରିନଥିବାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ୬୮କୋଟି ଟଙ୍କାର ପ୍ୟାକେଜ ଘୋଷଣା କରିବାକୁ ପଡ଼ିଥିଲା। ଏସବୁ ସତ୍ତ୍ୱେ  ପିପିଲି ବ୍ଲକ ଅନ୍ତର୍ଗତ ନୂଆଶାସନ ପଂଚାୟତ ଉପନିର୍ବାଚନରେ ବିଜେପି ସମର୍ଥିତ ପ୍ରାର୍ଥୀ ବିଜୟୀ ହେବାପରେ ପରୋକ୍ଷରେ ବିଜେଡି ସେଠାରେ ଭଲ ସ୍ଥିତିରେ ନାହିଁ ବୋଲି ସନ୍ଦେଶ ମିଳିଥିଲା। ଏହାପରେ ବିଜେଡି ସେଠାରେ ନିଜର ଦଳୀୟ ନେତା ଉମାକାନ୍ତ ସାମନ୍ତରାୟ ଓ ବିଭୂତିଭୂଷଣ ବଳବନ୍ତରାୟଙ୍କୁ ଡେଲାଙ୍ଗ ବ୍ଲକ, ପ୍ରଶାନ୍ତ ମୁଦୁଲି ଓ ସମୀର ଦାଶଙ୍କୁ ପିପିଲି  ବ୍ଲକ୍ ଏବଂ ସୁଧୀର ସାମଲଙ୍କୁ ପିପିଲି ଏନଏସିରେ ସଂଗଠନ ଦାୟିତ୍ୱ ଦେଇ ଦଳରେ ରହିଥିବା ଅସନ୍ତୋଷକୁ ଦୂର କରିବାରେ ଲାଗିଛନ୍ତି।

ଏପରିକି ଡେଲାଙ୍ଗ ଅଂଚଳର ଜଣେ ଟାଣୁଆ ବିଜେପି ନେତା(ତାଙ୍କ ପତ୍ନୀ ସରପଂଚ)ଙ୍କୁ ଏବେ ନିଜ ସହ ମିଶାଇବାକୁ ବିଜେଡି ପ୍ରୟାସ ଆରମ୍ଭ କରିଦେଇଛି । ଏଭଳି ରଣନୀତି ମାଧ୍ୟମରେ ବିଜେଡି ପିପିଲିରେ ନିର୍ବାଚନ ଜିତିବାକୁ ଉଦ୍ୟମ କରୁଥିବାବେଳେ ଦୁଇ ପ୍ରମୁଖ ବିରୋଧୀ ଦଳ ବିଜେପି ଓ କଂଗ୍ରେସର ପ୍ରସ୍ତୁତି ନାମକୁ ମାତ୍ର ଭଳି ରହିଛି।

ରାଜନୀତିକ ବିଶ୍ଲେଷକଙ୍କ ମତରେ, ୨୦୧୯ ସାଧାରଣ ନିର୍ବାଚନରେ ପ୍ରଦୀପ ମହାରଥୀଙ୍କ ଭଳି ଟାଣୁଆ ନେତାଙ୍କୁ ବିଜେପି ପ୍ରାର୍ଥୀ ଆଶ୍ରିତ ପଟ୍ଟନାୟକ କଡ଼ା ଟକ୍କର ଦେଇଥିଲେ। ପ୍ରାୟ ୭୧୭୩୧ହଜାର ଭୋଟ ପାଇଥିବା ଶ୍ରୀ ପଟ୍ଟନାୟକଙ୍କୁ କେବଳ ୧୫୭୮୭ ଖଣ୍ଡ ଭୋଟ ବ୍ୟବଧାନରେ ପରାଜିତ ହେବାକୁ ପଡ଼ିଥିଲା। ତେଣୁ ବିଜେପି ଯଦି ପିପିଲି ବିଜେଡିରେ ଥିବା ଅସନ୍ତୋଷ ମଧ୍ୟରୁ ଫାଇଦା ନେବାକୁ ଚାହିଁବ ହୁଏତ ଉପନିର୍ବାଚନ ଫଳାଫଳ ଦଳ ସପକ୍ଷରେ ଯିବାର ସମ୍ଭାବନା ରହିଛି। କାରଣ ମହାରଥୀଙ୍କ ମୃତ୍ୟୁପରେ ତାଙ୍କ ପରିବାର ପ୍ରତି ଯେଭଳି ସମବେଦନା ରହିବା କଥା ସେଭଳି ସ୍ଥାନୀୟ ଅଂଚଳରେ ନାହିଁ କହିଲେ ଚଳେ।

ତେଣୁ ସମବେଦନା କାର୍ଡ ବିଜେଡିକୁ ସଫଳ କରିବ ନାହିଁ। ସେହିପରି ପିପିଲିରେ କଂଗ୍ରେସର ନେତୃତ୍ୱ ସଙ୍କଟ ଥିବାରୁ ସେହି ଭୋଟଗୁଡ଼ିକୁ ନିଜ ଆଡ଼କୁ ନେବା ମଧ୍ୟ ଉଭୟ ବିଜେପି ଓ ବିଜେଡି ପାଇଁ ସହଜ ହେବ। ତେଣୁ ଅସ୍ତିତ୍ୱ ବଂଚାଇବା କଂଗ୍ରେସ ସଂଘର୍ଷ କରୁଥିବାବେଳେ ବିଜେପିର ରଣନୀତି ଉପରେ ହିଁ ପିପିଲି ବିଧାନସଭା ଉପନିର୍ବାଚନର ଫଳାଫଳ ନିର୍ଭର କରୁଛି। ବିଜେପୁର, ପାଟକୁରା, ବାଲେଶ୍ୱର ଓ ତିର୍ତ୍ତୋଲ ବିଧାନସଭା ଆସନରେ ଉପନିର୍ବାଚନ ଫଳାଫଳ ହିଁ ବିଜେପିର ଦୁର୍ବଳ ରଣନୀତିକୁ ପଦାରେ ପକାଇବା ସହ ବିଜେଡିକୁ ସହଜ ବିଜୟ କରାଇଥିବାବେଳେ ପିପିଲିରେ ବିଜେପି କେଉଁ ଆଭିମୁଖ୍ୟ ଆପଣାଉଛି ତାହା ଉପରେ ସମସ୍ତଙ୍କ ନଜର।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।