ଏପ୍ରିଲ ୧୭ରେ ପିପିଲି ୱାର୍‌

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ସବୁ କଳ୍ପନାଜଳ୍ପନାର ଅନ୍ତ ଘଟାଇ ଶେଷେରେ ପିପିଲି ମହାସମର ପାଇଁ ଦିନ ଧାର୍ଯ୍ୟ ହୋଇଛି। ପିପିଲି ଉପ ନିର୍ବାଚନ ପାଇଁ ତାରିଖ ଘୋଷଣା କରାଯାଇଛି। ଆସନ୍ତା ଏପ୍ରିଲ ୧୭ରେ ପିପିଲି ବିଧାନସଭା ଉପନିର୍ବାଚନ ହେବ। ମାର୍ଚ୍ଚ ୨୩ରେ ପ୍ରକାଶ ପାଇବ ବିଜ୍ଞପ୍ତି। ନାମାଙ୍କନ ଦାଖଲର ଶେଷ ତାରିଖ ମାର୍ଚ୍ଚ ୩୦ ତାରିଖ ରହିଛି। ନାମାଙ୍କନ ପ୍ରତ୍ୟାହାରର ଶେଷ ତାରିଖ ଏପ୍ରିଲ ୩ ଓ ମେ ୨ ତାରିଖରେ ଭୋଟ୍ ଗଣତି ଓ ରେଜଲ୍ଟ ପ୍ରକାଶ ପାଇବ। ଭାରତୀୟ ନିର୍ବାଚନ କମିଶନଙ୍କ ପକ୍ଷରୁ ଏହି ବିଜ୍ଞପ୍ତି ପ୍ରକାଶ ପାଇଛି।

ପିପିଲି ବିଧାୟକ ପ୍ରଦୀପ ମହାରଥୀଙ୍କ ବିୟୋଗ ପରେ ଏହି ଆସନଟି ଖାଲି ପଡ଼ିଛି। ସେଠାରେ ଉପନିର୍ବାଚନ ହେବାକୁ ଯାଉଛି। ତେବେ ପିପିଲି ଉପନିର୍ବାଚନ ପାଇଁ ସମସ୍ତ ପ୍ରକାର ପ୍ରସ୍ତୁତି ଚୂଡାନ୍ତ ପର୍ଯ୍ୟାୟରେ ପହଞ୍ଚି ଥିବା ପୂର୍ବରୁ ସୂଚନା ଦେଇଥିଲେ  ରାଜ୍ୟ ନିର୍ବାଚନ ଅଧିକାରୀ ସୁଶୀଲ କୁମାର ଲୋହାନୀ।

ବୁଥ୍‌ ଚିହ୍ନଟ ସହ ପୋଲିଂ କର୍ମଚାରୀଙ୍କ ତାଲିକା ମଧ୍ୟ ପ୍ରସ୍ତୁତ ହୋଇସାରିଛି। ପ୍ରତି ବୁଥ୍‌ରେ ହଜାରେ ମଧ୍ୟରେ ଭୋଟର ଭୋଟ ଦେବେ। ଅଧିକ ବୁଥ୍‌ ପ୍ରତିଷ୍ଠା ଲାଗି ମଧ୍ୟ ବୁଥ୍‌ ଚିହ୍ନଟ ହୋଇଛି ।

ସେପଟେ ଶାସକ ବିଜେଡି ନିଜର ଦୁର୍ଗକୁ ସୁରକ୍ଷିତ ରଖିବାକୁ ଜୋରଦାର ଉଦ୍ୟମ ଆରମ୍ଭ କରିଛି। ବିଜେଡି ସେଠାରେ ଦଳୀୟ ନେତାଙ୍କୁ ଦାୟିତ୍ୱ ଦେଇ ସଂଗଠନ ସଜାଡ଼ିବାରେ ଲାଗିଥିବା ବେଳେ ଦୁଇ ବିରୋଧୀ ଦଳ ବିଜେପି ଓ କଂଗ୍ରେସ ଏପର୍ଯ୍ୟନ୍ତ ପିପିଲି ବିଧାନସଭା ଉପନିର୍ବାଚନକୁ ନେଇ ନିଜର କାର୍ଡ ଖୋଲିନାହାନ୍ତି।

ବିଜେଡି ସେଠାରେ ଦଳୀୟ ନେତାଙ୍କୁ ଦାୟିତ୍ୱ ଦେଇ ସଂଗଠନ ସଜାଡ଼ିବାରେ ଲାଗିଥିବାବେଳେ ଦୁଇ ବିରୋଧୀ ଦଳ ବିଜେପି ଓ କଂଗ୍ରେସ ଏପର୍ଯ୍ୟନ୍ତ ପିପିଲି ବିଧାନସଭା ଉପନିର୍ବାଚନକୁ ନେଇ ନିଜର କାର୍ଡ ଖୋଲିନାହାନ୍ତି।

ନିର୍ବାଚନକୁ ଦୃଷ୍ଟିରେ ରଖି ଦଳୀୟ ପର୍ଯ୍ୟବେକ୍ଷକ ଭାବେ ପ୍ରତାପ କେଶରୀ ଦେବଙ୍କୁ ବିଜେଡି ନିଯୁକ୍ତି ଦେଇଥିବାବେଳେ ସେ ମାରାଥନ୍ ଗସ୍ତ କରି ଦଳର ନେତାମାନଙ୍କୁ ଭେଟି ସଂଗଠନରେ ରହିଥିବା ଫାଟକୁ ଦୂର କରିବାରେ ଲାଗିଛନ୍ତି। ପିପିଲି ବ୍ଲକ ପାଇଁ ମନ୍ତ୍ରୀ ସମୀର ରଞ୍ଜନ ଦାଶ ଓ ପ୍ରଶାନ୍ତ କୁମାର ମୁଦୁଲି, ଡେଲାଙ୍ଗ ବ୍ଲକ ପାଇଁ ବିଭୂତି ବଳବନ୍ତରାୟ ଓ ଉମାକାନ୍ତ ସାମନ୍ତରାୟ, ପିପିଲି ଏନଏସି ଦାୟିତ୍ୱରେ ବିଧାୟକ ସୁଧୀର ସାମଲ ରହିଛନ୍ତି। ଏହି ନେତାମାନେ ଇତିମଧ୍ୟରେ ସେମାନଙ୍କୁ ଆବଣ୍ଟିତ ଅଂଚଳକୁ ଗସ୍ତ କରି ଦଳୀୟ କର୍ମୀମାନଙ୍କ ସହ ପ୍ରାରମ୍ଭିକ ବୈଠକ କରିଛନ୍ତି। ସେମାନେ ୱାର୍ଡ଼ ସ୍ତରୀୟ କମିଟି ଗଠନ କରି ନିର୍ବାଚନ ରଣାଙ୍ଗନ ପାରି ହେବା ପାଇଁ ରଣନୀତି ପ୍ରସ୍ତୁତ କରୁଥିବା ଜଣାପଡ଼ିଛି।

ଗତ ଅକ୍ଟୋବର ୩ ତାରିଖ ରାତିରେ ଯାତ୍ରା ମହାରଥୀ ପ୍ରଦୀପ ମହାରଥୀଙ୍କ ବିୟୋଗ ହୋଇଥିଲା। ତାଙ୍କ ବିୟୋଗ ପରେ ସେଠାରେ ହେବାକୁ ଥିବା ଉପନିର୍ବାଚନରେ କିଏ ପ୍ରତିଦ୍ୱନ୍ଦୀତା କରିବେ? ତାକୁ ନେଇ କଳ୍ପନା ଜଳ୍ପନା ଲାଗି ରହିଥିବା ବେଳେ ମହାରଥୀଙ୍କ ପୁଅ ରୁଦ୍ର ଓ ପତ୍ନୀ ପ୍ରତିଭା ମହାରଥୀ ନାଁ ଚର୍ଚ୍ଚାରେ ରହିଛି।

ଦଳ ମହିଳା କାର୍ଡ ଉପରେ ଅଧିକ ଗୁରୁତ୍ୱ ଦେଉଥିବାରୁ ମହାରଥୀଙ୍କ ପତ୍ନୀ ଅଧ୍ୟାପିକା ପ୍ରତିଭା ମହାରଥୀଙ୍କ ଦାବିଦାର ବେଶୀ ଅଛି। ଦଳ ମଧ୍ୟ ତାଙ୍କ ପୁଅ ତୁଳନାରେ ପତ୍ନୀଙ୍କ ଉପରେ ଅଧିକ ଭରସା କରୁଛି। ପିପିଲିରେ ଥିବା ବିଜେଡିର ସବୁ ଗୋଷ୍ଠୀକୁ ସନ୍ତୁଷ୍ଟ କରି ଓ ସେମାନଙ୍କ ଉପରେ ନିଜର ପ୍ରଭାବ ବିସ୍ତାର କରିବାରେ ଶ୍ରୀମତୀ ମହାରଥୀ ସକ୍ଷମ ହେବେ ବୋଲି ଦଳ ଅନୁଭବ କରୁଛି। ଅବଶ୍ୟ ମହାରଥୀ ପରିବାର ବାହାରେ କାହାରିକୁ ପ୍ରାର୍ଥୀ କରିବାର ଭୁଲ୍ ଅବଶ୍ୟ ବିଜେଡି କରିବ ନାହିଁ। କାରଣ ପିପିଲି ନିର୍ବାଚନମଣ୍ଡଳୀର ଭୋଟରଙ୍କ ମଧ୍ୟରେ ମହାରଥୀ ପରିବାର ସହ ସମବେଦନା ଏବେବି ଅତୁଟ ରହିଥିବା ଜଣାପଡ଼ିଛି।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।