ଜେଏମଏମରେ ସାମିଲ ହେଲେ ରାମଚନ୍ଦ୍ର ହାଁସଦା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ମୟୂରଭଞ୍ଜର ପୂର୍ବତନ ବିଜେଡି ସାଂସଦ ରାମଚନ୍ଦ୍ର ହାଁସଦା ଆଜି ଆନୁଷ୍ଠାନିକ ଭାବେ ଝାଡ଼ଖଣ୍ଡ ମୁକ୍ତିମୋର୍ଚ୍ଚା(ଜେଏମଏମ)ରେ ସାମିଲ ହୋଇଛନ୍ତି। ସୁନ୍ଦରଗଡ଼ ଜିଲ୍ଲାର ରାଇରଙ୍ଗପୁର ବ୍ଲକ ପଡ଼ିଆରେ ଆୟୋଜିତ ଏକ ସମାରୋହରେ ଶ୍ରୀ ହାଁସଦା ନିଜର ୨ହଜାରରୁ ଅଧିକ ସମର୍ଥକଙ୍କ ସହ ଜେଏମଏମରେ ଯୋଗ ଦେଇଛନ୍ତି। ଏହି ମିଶ୍ରଣ ପର୍ବରେ ଝାଡ଼ଖଣ୍ଡ ସରକାରଙ୍କ ମନ୍ତ୍ରୀ ତଥା ଜେଏମଏମର ବରିଷ୍ଠ ନେତା ଚମ୍ପତ୍ତି ସୋରେନ୍ ଉପସ୍ଥିତ ଥିଲେ।

ଜେଏମଏମ୍ ନେତା ତଥା ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କୁ ଶ୍ରୀ ହାଁସଦା ଗତ କିଛିଦିନ ତଳେ ସାକ୍ଷାତ କରିଥିଲେ ଓ ସେବେଠୁ ସେ ଜେଏମଏମରେ ଯୋଗ ଦେଇପାରନ୍ତି ବୋଲି ଚର୍ଚ୍ଚା ହେଉଥିଲା । ସୁନ୍ଦରଗଡ଼ ଓ ମୟୂରଭଞ୍ଜ ଜିଲ୍ଲାରେ ଜେଏମଏମ୍ ପୁଣିଥରେ ନିଜର ସଂଗଠନକୁ ସକ୍ରିୟ କରିବା ଲକ୍ଷ୍ୟରେ ରହିଛି । ଶ୍ରୀ ହାଁସଦା ତାଙ୍କର ରାଜନୀତିକ କ୍ୟାରିୟର ଅଲ ଝାଡ଼ଖଣ୍ଡ ଷ୍ଟୁଡ଼େଣ୍ଟ ୟୁନିୟନ(ଏଜେଏସୟୁ)ର ସକ୍ରିୟ ନେତା ଭାବେ ଆରମ୍ଭ କରିଥିଲେ। ସେ ଦୀର୍ଘଦିନ ଧରି ଜେଏମଏମରେ ରହିବାପରେ ଏନସିପିରେ ଯୋଗ ଦେଇଥିଲେ।

୨୦୦୯ ମସିହାରେ ଏନସିପି ଟିକେଟରେ ସାରସକଣା ବିଧାନସଭାରୁ ନିର୍ବାଚିତ ହୋଇଥିଲେ ଓ ପରେ ଏନସିପିରୁ ଇସ୍ତଫା ଦେଇ ବିଜେଡିରେ ମିଶିଥିଲେ। ୨୦୧୪ରେ ବିଜେଡି ତାଙ୍କୁ ମୟୂରଭଞ୍ଜ ଲୋକସଭା ଆସନରୁ ପ୍ରାର୍ଥୀ କରିଥିଲା ଓ ସେ ବିଜୟୀ ହୋଇଥିଲେ। ତେବେ ଚିଟଫଣ୍ଡ ଦୁର୍ନୀତି ଅଭିଯୋଗରେ ୨୦୧୪ ନଭେମ୍ବର ମାସରେ ସିବିଆଇ ତାଙ୍କୁ ଗିରଫ କରିବା ପରେ ତାଙ୍କୁ ଦଳରୁ ବିଜେଡି ନିଲମ୍ବନ କରିଥିଲା। ଦୀର୍ଘଦିନର ଅପେକ୍ଷା ପରେ ଶ୍ରୀ ହାଁସଦା ଶେଷରେ ଜେଏମଏମରେ ସାମିଲ ହୋଇଛନ୍ତି।
ସୁନ୍ଦରଗଡ଼ ଓ ମୟୂରଭଞ୍ଜ ଜିଲ୍ଲାରେ ବିଜେଡିର ସଂଗଠନ ଦୁର୍ବଳ ଥିବାବେଳେ ଜେଏମଏମ୍ ପୁଣିଥରେ ନିଜର ଗଡ଼କୁ ଫେରିପାଇବା ପାଇଁ ରଣନୀତି ଆରମ୍ଭ କରିଛି।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।