ରାଜ୍ୟ ଦାୟିତ୍ୱ ନେଉ, ରାଉରକେଲା ସୁପର ସ୍ପେଶାଲିଷ୍ଟ ହସ୍ପିଟାଲ ହେବ ମେଡିକାଲ କଲେଜ: ବିଜେପି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟ ସରକାର ଚାହିଁଲେ ରାଉରକେଲା ସୁପର ସ୍ପୋଶାଲିଷ୍ଟ ହସ୍ପିଟାଲକୁ ମେଡିକାଲ କଲେଜରେ ପରିଣତ କରାଯାଇପାରିବ। ଏଥିପାଇଁ ମୁଖ୍ୟମନ୍ତ୍ରୀ ପ୍ରତିଶ୍ରୁତି ଦେଲେ ଏହି ହସ୍ପିଟାଲକୁ ରାଜ୍ୟ ସରକାରଙ୍କୁ ହସ୍ତାନ୍ତର କରିବା ପାଇଁ କେନ୍ଦ୍ର ଇସ୍ପାତ ମନ୍ତ୍ରୀ ଧମେନ୍ଦ୍ର ପ୍ରଧାନଙ୍କୁ ଅନୁରୋଧ କରାଯିବ ବୋଲି ସୁନ୍ଦରଗଡ଼ ଜିଲ୍ଲାର ୩ ବିଜେପି ବିଧାୟକ ଶଙ୍କର ଓରାମ, କୁସୁମ ଟେଟେ ଓ ଭବାନୀ ଶଙ୍କର ଓରାମ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖି ଅବଗତ କରିଛନ୍ତି। ରାଉରକେଲା ସ୍ପେଶାଲିଷ୍ଟ ହସ୍ପିଟାଲକୁ ମେଡିକାଲ କଲେଜରେ ପରିଣତ କରିବା ନିମନ୍ତେ ଗତ ଦୁଇଦିନ ତଳେ କେନ୍ଦ୍ର ଇସ୍ପାତ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଚିଠି ଲେଖି ରାଜ୍ୟ ଇସ୍ପାତ ମନ୍ତ୍ରୀ ପ୍ରଫୁଲ୍ଲ କୁମାର ମଲ୍ଲିକ ଦାବି ଜଣାଇଥିଲେ।

ସୁନ୍ଦରଗଡ଼ ଜିଲ୍ଲାର ୩ ବିଜେପି ବିଧାୟକ ଆଜି ମିଳିତ ଭାବେ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖି କହିଛନ୍ତି ଯେ, ମନ୍ତ୍ରୀ ଶ୍ରୀ ମଲ୍ଲିକଙ୍କ ପାଖରେ କୌଣସି ସବିଶେଷ ତଥ୍ୟ ନଥିବା ଅନୁଭବ କରୁଛୁ। ସେ କେନ୍ଦ୍ରମନ୍ତ୍ରୀଙ୍କ ଉପରେ ଦୋଷ ଲଦି ନିଜ ଦାୟିତ୍ୱରୁ ପଳାୟନ କରିଥିବା କଥା ସୁନ୍ଦରଗଡ଼ବାସୀଙ୍କୁ ଅଛପା ନାହିଁ।

ସୁନ୍ଦରଗଡ଼ ଜିଲ୍ଲାର ସ୍ୱାର୍ଥ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଇଥିବା ପ୍ରତିଶ୍ରୁତି ଅନୁସାରେ କେନ୍ଦ୍ର ଇସ୍ପାତ ମନ୍ତ୍ରୀ ଶ୍ରୀ ପ୍ରଧାନଙ୍କ ତତ୍ତ୍ୱାବଧାନରେ ଆଜି ସୁପର ସ୍ପେଶାଲିଷ୍ଟ ହସ୍ପିଟାଲ ଉଦଘାଟନ ହେବାକୁ ଯାଉଛି । ରାଜ୍ୟ ସରକାର ଚାହିଁଲେ ଏହି ସୁପର ସ୍ପୋଶିଆଲିଟି ହସ୍ପିଟାଲକୁ ମେଡିକାଲ କଲେଜରେ ପରିଣତ କରାଯାଇପାରିବ। ଏଥିପାଇଁ ରାଜ୍ୟ ସରକାରଙ୍କ ତରଫରୁ ଯଦି ପ୍ରତିଶ୍ରୁତି ମିଳେ ତା’ହେଲେ ଏହାକୁ ରାଜ୍ୟ ସରକାରଙ୍କୁ ହସ୍ତାନ୍ତର କରିବା ନିମନ୍ତେ ମଧ୍ୟ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନଙ୍କୁ ସେମାନେ ଅନୁରୋଧ କରିବେ ବୋଲି କହିଛନ୍ତି।

ରାଉରକେଲା ଇସ୍ପାତ କାରଖାନା ନିଜ ଦାୟିତ୍ୱବୋଧ ପାଳନ କରି ଦୀର୍ଘ ଦିନରୁ ହସ୍ପିଟାଲ ନିର୍ମାଣ କରି ରୋଗୀଙ୍କ ସେବା କରିବା ସହ ଉଦାହରଣ ତିଆରି କରିପାରିଛି। ଖାଲି ସେତିକି ନୁହେଁ, ରାଜ୍ୟର ଅନ୍ୟ ଏକ ରାଷ୍ଟ୍ରାୟତ୍ତ ଉଦ୍ୟୋଗ ଏନଟିପିସି ୩୫୦କୋଟି ଟଙ୍କା ଖର୍ଚ୍ଚ କରି ସୁନ୍ଦରଗଡ଼ ମେଡିକାଲ କଲେଜ ନିର୍ମାଣ ପାଇଁ ମଧ୍ୟ ଭିତ୍ତିଭୂମି ପ୍ରସ୍ତୁତ କରିସାରିଛି।

୨୦୧୩ ଡିସେମ୍ବର ମାସରେ ଏନଟିପିସି ଓ ଓଡ଼ିଶା ସରକାରଙ୍କ ମଧ୍ୟରେ ସୁନ୍ଦରଗଡ଼ରେ ମେଡିକାଲ କଲେଜ ସ୍ଥାପନ ପାଇଁ ଏକ ଏମଓୟୁ ସ୍ୱାକ୍ଷରିତ ହୋଇଥିଲା। ରାଜ୍ୟ ସରକାର ଏହାର ପରିଚାଳନା ଦାୟିତ୍ୱ ନେବା ପାଇଁ ଚୁକ୍ତି ସ୍ୱାକ୍ଷରିତ କରିଥିଲେ। ଏଥିପାଇଁ ୨୦୧୪ ଜାନୁୟାରୀରେ ଏହି ମେଡିକାଲ କଲେଜ ସ୍ଥାପନା ପାଇଁ ଭିତ୍ତିପ୍ରସ୍ତର ସ୍ଥାପନା କରିଥିଲେ। ୨୦୧୬-୧୭ ଶିକ୍ଷାବର୍ଷରେ ମେଡ଼ିକାଲ କଲେଜ ପାଠ୍ୟକ୍ରମ ଆରମ୍ଭ ହେବ ବୋଲି ଯୋଜନା ଥିଲା। କିନ୍ତୁ ଶିଳାନ୍ୟାସର ଅନେକବର୍ଷ ପରେ ମଧ୍ୟ ଆଜି ପର୍ଯ୍ୟନ୍ତ ତାହା କାର୍ଯ୍ୟକାରୀ ହୋଇପାରିନି।

ସେହିପରି ମୁଖ୍ୟମନ୍ତ୍ରୀ ୨୦୨୦ ମାର୍ଚ୍ଚରେ ରାଉରକେଲା ସରକାରୀ ହସ୍ପିଟାଲର ବେଡ ସଂଖ୍ୟା ୧୨୦ରୁ ୪୦୦କୁ ବୃଦ୍ଧି କରିବା ସହ ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲ ଭଳି କରିବା ପାଇଁ ଘୋଷଣା କରିଥିଲେ। ତାହା ଏପର୍ଯ୍ୟନ୍ତ ଘୋଷଣାରେ ହିଁ ରହିଯାଇଛି। ଜିଲ୍ଲାରେ ଏବେ ମଞ୍ଜୁରୀପ୍ରାପ୍ତ ୨୩୨ଟି ଡାକ୍ତରୀ ପଦବୀ ଖାଲି ପଡ଼ିଥିବା ବେଳେ ମାତ୍ର ୧୬୬ଜଣ ଡାକ୍ତର କାର୍ଯ୍ୟରତ ଅଛନ୍ତି ।

ଆୟୁଷ୍ମାନ ଭାରତ ଯୋଜନାରୁ ଗରିବ ଲୋକମାନଙ୍କୁ ବଂଚିତ ରଖାଯାଇଛି। ରାଜ୍ୟ ରାଜକୋଷରୁ ବେପରୁୱା ଭାବେ ମନଇଚ୍ଛା ୨୦୦କୋଟି ଟଙ୍କା ବ୍ୟୟରେ ଚାରିଗୁଣା ଅର୍ଥ ଖର୍ଚ୍ଚ କରି ବିଜୁ ପଟ୍ଟନାୟକ ବିଶ୍ୱବିଦ୍ୟାଳୟ କ୍ୟାମ୍ପସରେ ଆବଶ୍ୟକ ନଥିବା ହକି ଷ୍ଟାଡ଼ିୟମ ନିର୍ମାଣ କରିବା କେତେ ଯୁକ୍ତିଯୁକ୍ତ ବୋଲି ବିଧାୟକମାନେ ପ୍ରଶ୍ନ କରିଛନ୍ତି ।

୨୦୨୩ ବିଶ୍ୱକପ ହକି ଆୟୋଜନ ପାଇଁ ରାଉରକେଲା ବିପିଏଚସି ଷ୍ଟାଡ଼ିୟମ ଉନ୍ନତିକରଣ ଓ ହକି ଫେଡ଼େରେସନ ଇଣ୍ଡିଆର ଷ୍ଟାଣ୍ଡାର୍ଡ ଭିତ୍ତିଭୂମି ସଜାଡ଼ିବା ପାଇଁ ମାତ୍ର ୫୬.୨କୋଟି ଟଙ୍କା ଖର୍ଚ୍ଚ ହେବ ବୋଲି ଆକଳନ କରାଯାଇଥିଲା। ତେଣୁ ଅଯଥା ଅର୍ଥ ଖର୍ଚ୍ଚ ନକରି ବାକି ୧୫୦କୋଟି ଟଙ୍କାରେ ସୁନ୍ଦରଗଡ଼ ଜିଲ୍ଲାର ଜନଜାତିଙ୍କ କଲ୍ୟାଣ ପାଇଁ ଏହି ଟଙ୍କା ବିନିଯୋଗ କରାଯାଇପାରନ୍ତା ବୋଲି ଏହି ବିଧାୟକମାନେ ଚିଠି ଲେଖି ଜଣାଇଛନ୍ତି।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।