ଧାମନଗର ସସ୍‌ପେନ୍ସ: ହଁ କି ନା କହିଲେନି ରାଜେନ୍ଦ୍ର ଦାସ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଧାମନଗର ଉପନିର୍ବାଚନ ଯେତେ ପାଖେଇ ଆସୁଛି, ସସ୍‌ପେନ୍ସ ସେତେ ବଢ଼ିବାରେ ଲାଗିଛି। ନାନା କଳ୍ପନା ଜଳ୍ପନା ଭିତରେ ବୁଧବାର ବିଜେଡି ପ୍ରାର୍ଥୀ ଘୋଷଣା କରିଥିଲା। ଆଉ ଆଶାୟୀ ରାଜେନ୍ଦ୍ର ଦାସଙ୍କୁ ଦେଇଥିଲା ଝଟ୍‌କା। ବିଜେଡିଠାରୁ ଝଟକା ପାଇବା ପରେ ରାଜେନ୍ଦ୍ର ଦାସ ସ୍ୱାଧୀନ ଭାବେ ନାମାଙ୍କନପତ୍ର ଦାଖଲ କରିବେ ବୋଲି ଚର୍ଚ୍ଚା ହେଉଛି। ଏ ସମ୍ପର୍କରେ ରାଜେନ୍ଦ୍ର କିଛି ନକହିବା ଚର୍ଚ୍ଚାକୁ ଖୋରାକ ଯୋଗାଉଛି।

ଆଜି ଦିନ ତମାମ ଚର୍ଚ୍ଚା ଭିତରେ ଅପରାହ୍ନରେ ରାଜେନ୍ଦ୍ର ଦାସଙ୍କୁ ତାଙ୍କ ରାଣୀତାଲ ସ୍ଥିତ ଘରେ ଦେଖିବାକୁ ମିଳିଥିଲା। ଆସନ୍ତାକାଲି ପାର୍ଥିପତ୍ର ଦାଖଲ କରିବେ କି ଗଣମାଧ୍ୟମ ପ୍ରତିନିଧିଙ୍କ ପ୍ରଶ୍ନରେ ରାଜେନ୍ଦ୍ର ଦାସ ପ୍ରଥମେ କିଛି କହିନଥିଲେ। ଗଣମାଧ୍ୟମ ପ୍ରତିନିଧିମାନେ ବାରମ୍ୱାର ପ୍ରଶ୍ନ କରିବାରୁ ସେ କହିଥିଲେ, “ଲୋକଙ୍କ ପରାମର୍ଶ ନେଉଛି। ସେମାନେ ଯାହା କହିବେ, ସେହି ଅନୁସାରେ ପରବର୍ତ୍ତୀ ପଦକ୍ଷେପ ନେବି।”

ସେ ଆହୁରି କହିଛନ୍ତି, ମୋ ପ୍ରତି ଲୋକଙ୍କର ସ୍ନେହ ଓ ଶ୍ରଦ୍ଧା ରହିଛି। ମୁଁ ସବୁବେଳେ ଲୋକଙ୍କ ସହିତ ରହିଛି। ବନ୍ୟା ହେଉ ବା ବାତ୍ୟା, ସବୁବେଳେ ଲୋକଙ୍କ ପାଖରେ ପହଞ୍ଚିଛି। ସେଥିପାଇଁ ଗତ ନିର୍ବାଚନରେ ବହୁ ଭୋଟ୍‌ ଦେଇଥିଲେ। କିନ୍ତୁ କିଛି ଲୋକଙ୍କ ଚକ୍ରାନ୍ତ ଯୋଗୁ ପରାସ୍ତ ହୋଇଥିଲି। ମୁଁ ସାଧାରଣ ଲୋକଙ୍କ ପାଖକୁ ଯିବି। ସେମାନେ ଯାହା ପରାମର୍ଶ ଦେବେ, ତାକୁ ଗ୍ରହଣ କରିବି। ଲୋକ ଯଦି ଚାହିଁବେ ନାମାଙ୍କନପତ୍ର ଦାଖଲ କରିବା ପାଇଁ, ତାହାହେଲେ କରିବି।”

ଅନ୍ୟପକ୍ଷରେ ସାମ୍ନାକୁ ଆସିଛି ରାଜେନ୍ଦ୍ର ଦାସଙ୍କ ଏକ ହାତଲେଖା ଚିଠି। “ଲୁହ ଭିଜା ଆଖିରେ ଦୁଇ ପଦ” ଶୀର୍ଷକ ଥିବା ରାଜେନ୍ଦ୍ର ଦାସଙ୍କ ଏହି ଚିଠିଟି ସୋଶାଲ୍‌ ମିଡିଆରେ ଭାଇରାଲ ହେଉଛି। ଚିଠିରେ ଟିକେଟ ନପାଇ ନିଜ ମନରେ ଥିବା କ୍ଷୋଭକୁ ସେ ପ୍ରକାଶ କରିଛନ୍ତି। ତେବେ ଚିଠିକୁ ସୋଶାଲ ମିଡିଆରେ ଛାଡ଼ିବା ପରେ ରାଜୁ ଏକ ଗୋପନ ସ୍ଥାନକୁ ପଳାଇ ଯାଇଥିଲେ। ଏହାସହ ସେ ସ୍ୱାଧୀନ ପ୍ରାର୍ଥୀ ଭାବେ ନାମାଙ୍କନ ଦାଖଲ କରିବେ ବୋଲି ଚର୍ଚ୍ଚା ହେଉଥିଲା। ଏ କଥା ଜଣାପଡ଼ିବା ପରେ ବିଜେଡିର ତିନି ଜଣ ବିଧାୟକ, ରାଜେନ୍ଦ୍ରଙ୍କ ରାଣୀତାଲସ୍ଥିତ ଘରେ ପହଞ୍ଚିଥିଲେ। ଆଉ ତାଙ୍କୁ ମନାଇବା ଲାଗି ପ୍ରୟାସ କରିଥିଲେ।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।