ପୁଲିସ ଅଫିସରଙ୍କୁ ବିଧାୟକଙ୍କ ଧମକ ଏକ ଛୋଟିଆ କଥା: ପ୍ରମିଳା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଜଣେ ପୁଲିସ ଅଫିସରଙ୍କୁ ଚାନ୍ଦବାଲି ବିଧାୟକଙ୍କ ଧମକ ଅଡିଓ ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଲେ ସରକାରୀ ଦଳର ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ। ପ୍ରମିଳା କହିଛନ୍ତି ଯେ, ଏଇଟା ଗୋଟେ ଛୋଟିଆ।  ଏହାକୁ ଗୃହରେ ଉଠାଇବା ଉଚିତ ନୁହେଁ । କେଉଁଠି ବିଧାୟକମାନେ ଅଫିସରଙ୍କ ସହ କଣ ଟିକେ କଥା ହୋଇଗଲେ, ତାକୁ ବିରୋଧୀ ଦଳ ନେତା ଗୃହରେ ଉଠାଇବା ମୋ ମତରେ ଉଚିତ ନୁହେଁ ବୋଲି ପ୍ରମିଳା କହିଛନ୍ତି।

ବିଧାନସଭାରେ ଆଜି  ବ୍ୟୋମକେଶଙ୍କ ଭାଇରାଲ ଅଡ଼ିଓ ପ୍ରସଙ୍ଗ ଉଠିଥିଲା।  ଶୂନ୍ୟକାଳରେ ଏହି ପ୍ରସଙ୍ଗ ଉଠାଇ ଉଦବେଗ ପ୍ରକାଶ କରିଥିଲେ ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ।  ସେ କହିଥିଲେ ଯେ, ବ୍ୟୋମକେଶଙ୍କ ଏହି ଭାଇରାଲ ଅଡ଼ିଓରୁ ଜଣାପଡୁଛି, କେମିତି ଚାଲିଛି ରାଜ୍ୟରେ ଶାସନ।  ଶାସକ ଦଳର ନେତା ପୁଲିସକୁ ଧମକାଉଛନ୍ତି।  ଏହାର ନିରପେକ୍ଷ ତଦନ୍ତ ଦାବି କରିଛନ୍ତି ପ୍ରଦୀପ୍ତ । ବିଧାୟକମାନେ ଯେମିତି ନିଜ ଆଚରଣରେ ଶାଳୀନତା ରଖିବେ, ସେଥିପାଇଁ ବାଚସ୍ପତି ରୁଲିଂ ଦିଅନ୍ତୁ ବୋଲି ପ୍ରଦୀପ୍ତ ଦାବି କରିଥିଲେ।  ସେପଟେ ଏହି ପ୍ରସଙ୍ଗରେ ଗୃହରେ ବିବୃତି ରଖିଥିଲେ ବ୍ୟୋମକେଶ  ସେ କହିଛନ୍ତି, ପୋଲିସ ବାବୁ ଜଣକ ଗରିବ ଲୋକଙ୍କୁ ହଇରାଣ ହରକତ କରୁଥିଲେ।  ଟଙ୍କା ଆଦାୟ କରୁଥିଲେ।  ତେଣୁ ତାଙ୍କୁ ମୁଁ ଫୋନ୍ କରିଥିଲି।  ମୋର କଥାବାର୍ତ୍ତାକୁ ବିଭ୍ରାନ୍ତି କରି ଦେଖାଯାଉଛି । ଯଦି ବାଚସ୍ପତି ଚାହିଁବେ, ପୂରା ଅଡିଓ ଟେପକୁ ଗୃହରେ ଉପସ୍ଥାପନ କରିବି।  କାହାକୁ କେମିତି ବ୍ୟବହାର କରାଯିବ, ତାହା ମତେ ଶିଖାଇବା ଦରକାର ନାହିଁ ବୋଲି କାଉଣ୍ଟର କରିଥିଲେ ବ୍ୟୋମକେଶ । ଯୁବ ବିଜେଡି ସଭାପତି ତଥା ଚାନ୍ଦବାଲି ବିଧାୟକ ବ୍ୟୋମକେଶ ରାୟ ଭଦ୍ରକ ଜିଲ୍ଲାର ବାଂଶଡ଼ା ଥାନା ଏଏସଆଇ ଗୁରୁଚରଣ ବେହେରାଙ୍କୁ ଅଶାଳୀନ ଭାଷାରେ ଗାଳିଗୁଲଜ କରୁଥିବାର ଅଡ଼ିଓ ଭାଇରାଲ ହୋଇ ଥିଲା ।

ସୋଶାଲ୍‌ ମିଡିଆରେ ଏବେ ଘୁରି ବୁଲୁଥିବା ଅଡ଼ିଓ ରେକର୍ଡିଂ ଅନୁସାରେ, ଚାନ୍ଦବାଲି ବିଧାୟକ ତଥା ଯୁବ ବିଜେଡି ସଭାପତି ଶ୍ରୀ ରାୟ, ନିଜ ନିର୍ବାଚନମଣ୍ଡଳୀରେ ଅନ୍ୟ ଦଳର ଜଣେ ବ୍ୟକ୍ତିଙ୍କୁ ଗିରଫ କରିବା ପାଇଁ ସମ୍ପୃକ୍ତ ଏଏସଆଇ ଶ୍ରୀ ବେହେରାଙ୍କ ଉପରେ ଚାପ ପକାଉଥିଲେ। ଏଥିପାଇଁ ସେ ଦୁଇ-ତିନିଥର ସମ୍ପୃକ୍ତ ଏଏସଆଇଙ୍କୁ କହିଥିଲେ ମଧ୍ୟ ପୁଲିସ ଉଭୟ ପକ୍ଷକୁ ଡାକି ଆପୋଷ-ମିଳାମିଶା କରିବା ପାଇଁ ପରାମର୍ଶ ଦେଇ ଛାଡ଼ିଦେଇଥିଲା।

ବିଧାୟକ ଶ୍ରୀ ରାୟଙ୍କୁ ସୁହାଇବା ଭଳି କାର୍ଯ୍ୟ ପାଇଁ ଶ୍ରୀ ବେହେରା ରାଜି ହୋଇନଥିବାରୁ ତାଙ୍କୁ ଅଶାଳୀନ ଭାଷାରେ ଗାଳିଗୁଲଜ କରିବା ସହ ମାଲକାନଗିରିର ମୋଟୁକୁ ବଦଳି କରିଦେବାକୁ ଧମକ ଦେଇଥିଲେ। ଏପରିକି ପୁଲିସ ଡିଜିଙ୍କ ପାଖରେ ବସି ବୁଲେଇକି ଫୋପାଡ଼ିଦେବେ ବୋଲି କହିଥିଲେ। ଅବଶ୍ୟ ଏଏସଆଇ ଶ୍ରୀ ବେହେରା ମଧ୍ୟ ବିଧାୟକଙ୍କ ଏଭଳି ଧମକକୁ ବେଶ୍ ଶାଳୀନତାର ସହ ଜବାବ ଦେଇଛନ୍ତି। ବିଧାୟକଙ୍କ ବଦଳି ଧମକକୁ ସେ ସ୍ୱାଗତ କରି, ଯାହା କରିବା କଥା କରନ୍ତୁ ବୋଲି ସାହାସର ସହ କହିବାକୁ ପଛାଇ ନାହାନ୍ତି।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।