ଦୁର୍ନୀତିର ଗନ୍ତାଘର ପାଲଟିଛି ପଶ୍ଚିମ ଓଡ଼ିଶା ବିକାଶ ପରିଷଦ: ବିରୋଧୀ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପଶ୍ଚିମଓଡ଼ିଶା ବିକାଶ ପରିଷଦରେ ଦଲାଲଙ୍କ ରାକେଟ୍ ଚାଲିଛି। ବିଧାୟକମାନେ ଦେଉଥିବା ପ୍ରୋଜେକ୍ଟକୁ ଅନୁମୋଦନ ମିଳୁନି ବରଂ ଦଲାଲମାନେ ଦେଉଥିବା ପ୍ରୋଜେକ୍ଟକୁ ସାଧାରଣ ଲୋକଙ୍କ ପ୍ରୋଜେକ୍ଟ କହି ଅନୁମୋଦନ କରାଯାଉଛି। ପୂର୍ବରୁ ଏହା ରାଜନୀତିକ ଲୋକଙ୍କ ଥଇଥାନ କେନ୍ଦ୍ର ଥିବାବେଳେ ଏବେ ଏହା ପ୍ରଶାସନିକ ଅଧିକାରୀଙ୍କ ଥଇଥାନ କେନ୍ଦ୍ର ମଧ୍ୟ ପାଲଟିଲାଣି। ପଶ୍ଚିମଓଡ଼ିଶା ବିକାଶ ପରିଷଦରେ ବ୍ୟାପକ ଦୁର୍ନୀତି ହେଉଥିବା ଅଭିଯୋଗ ଆଣି ଆଜି ବିଧାନସଭାରେ ଏଭଳି ବର୍ଷିଛନ୍ତି ବିରୋଧୀ।

ଆଜି ବିଧାନସଭାରେ ମୁଲତବୀ ପ୍ରସ୍ତାବ ‘ବ୍ୟାପକ ଦୁର୍ନୀତି ଓ ରାଜ୍ୟ ସରକାରଙ୍କ ଉଦାସୀନତା ଯୋଗୁ ଦିଗହରା ପଶ୍ଚିମ ଓଡ଼ିଶା ବିକାଶ ପରିଷଦ, ପଶ୍ଚିମଓଡ଼ିଶାବାସୀଙ୍କ ସ୍ୱପ୍ନ ଧୂଳିସାତ’ ଶୀର୍ଷକ ଆଲୋଚନାବେଳେ ରାଜ୍ୟ ସରକାରଙ୍କୁ କଡ଼ା ଭାଷାରେ ବିରୋଧୀ ଦଳ ସଦସ୍ୟମାନେ ସମାଲୋଚନା କରିଛନ୍ତି। କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ଓ ତାରାପ୍ରସାଦ ବାହିନୀପତି ବିକାଶ ପରିଷଦରେ ବ୍ୟାପକ ଦୁର୍ନୀତି ହୋଇଥିବା ତଥା ସରକାରଙ୍କ ବୈମାତୃକ ମନୋଭାବ ଅଭିଯୋଗ ଆଣିଛନ୍ତି। ସେହିପରି ସନ୍ତୋଷ ସିଂ ସାଲୁଜା କହିଛନ୍ତି ଯେ, ପଶ୍ଚିମଓଡ଼ିଶା ବିକାଶ ପରିଷଦ ପାଇଁ ୬ଜଣ ସାଂସଦ ସଭ୍ୟ ମନୋନୀତ ହେବାକଥା। ଏବେ ମାତ୍ର ୨ଜଣ ଅଛନ୍ତି। ସେହିପରି ୧୦ଜଣ ବିଶେଷଜ୍ଞଙ୍କ ମଧ୍ୟରୁ ଏବେ ମାତ୍ର ଜଣେ ଅଛନ୍ତି।

ବଲାଙ୍ଗିରରେ ଅଫିସ ଖୋଲାହେଲା, ସାଇନବୋର୍ଡ ଲାଗିଛି କିନ୍ତୁ ଅଛନ୍ତି ଜଣେ ପିଅନ ଓ ଜଣେ ଡାଟା ଏଣ୍ଟ୍ରି ଅପରେଟର। ତେଣୁ ସରକାରଙ୍କ ଆନ୍ତରିକତା କେତେ ବୋଲି ସେ ପ୍ରଶ୍ନ କରିଛନ୍ତି। ସେହିପରି କଂଗ୍ରେସ ବିଧାୟକ ଅଧିରାଜ ପାଣିଗ୍ରାହୀ କହିଛନ୍ତି ଯେ, ପଶ୍ଚିମଓଡ଼ିଶା ବିକାଶ ପରିଷଦ ୨୧ବର୍ଷ ହେଲା ଗଠନ ହେଲାଣି। କିନ୍ତୁ କିଛି ଲକ୍ଷ୍ୟ ନାହିଁ । ରାସ୍ତା ତିଆରି ହେଉଛି,ୟୁସି ବି ଦିଆଯାଉଛି, କିନ୍ତୁ ରାସ୍ତା ହଜିଯାଉଛି। ଖୋଜିଲେ ପ୍ରୋଜେକ୍ଟ ମିଳୁନାହିଁ। ଭୂତ ରାସ୍ତା ତିଆରି କରୁଛି । ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ପାଲଟିଛି ବିଜେଡି କର୍ମୀଙ୍କ ଥଇଥାନ କେନ୍ଦ୍ର । ଏବେ ଏହା ପାଦେ ଆଗକୁ ଯାଇଛି। ପ୍ରଶାସନିକ ଅଫିସରଙ୍କ ଥଇଥାନ କେନ୍ଦ୍ର ପାଲଟିଛି । ଦାଦନଙ୍କ ପାଇଁ ଗୋଟିଏ ବି ଯୋଜନା ନାହିଁ। କୋଭିଡ୍ ମହାମାରୀ ସମୟରେ ଦାଦନ ଖଟିବାକୁ ଲୋକେ ଗଲେଣି । ଗାଁ ଖାଲି । ଗୋଟିଏ ବି ସ୍କୁଲ ଘର ହୋଇନାହିଁ। ପଶ୍ଚିମଓଡ଼ିଶା ବିକାଶ ପରିଷଦ ପାଇଁ ହଜାରେ କୋଟି ଦାବିକଲେ ମାତ୍ର ୨୦୦କୋଟି ଟଙ୍କା ମିଳୁଛି।

ସେହିପରି ବିଜେପି ବିଧାୟକ ମୁକେଶ ମହାଲିଙ୍ଗ କହିଛନ୍ତି ଯେ, ପଶ୍ଚିମଓନିଶାର ସବୁଠୁ ଅନୁନ୍ନତ ଜିଲ୍ଲା ହେଉଛି ଦେବଗଡ଼। କିନ୍ତୁ ବିଜେଡି ବିଧାୟକ ଥିବା ଉନ୍ନତ ବ୍ଲକକୁ ଅନୁଦାନ ମିଳୁଛି, ମାତ୍ର ଅନୁନ୍ନତ ବ୍ଲକକୁ ଟଙ୍କା ଦିଆଯାଉନି। ଦେବଗଡ଼ ଜିଲ୍ଲା ପାଇଁ ସେ ସ୍ୱତନ୍ତ୍ର ପ୍ୟାକେଜ୍ ଦେବାକୁ ଦାବି କରିଛନ୍ତି।

ଅନ୍ୟପକ୍ଷରେ ବିଭାଗୀୟ ମନ୍ତ୍ରୀ ପଦ୍ମନାଭ ବେହେରା ବିରୋଧୀଙ୍କ ଅଭିଯୋଗକୁ ଖଣ୍ଡନ କରି କହିଛନ୍ତି ଯେ, ପଶ୍ଚିମଓଡ଼ିଶା ବିକାଶ ପରିଷଦ ଗଠନ ପରଠାରୁ ୧୬୪୨.୫୨କୋଟି ଟଙ୍କାର ଅନୁଦାନ ଯୋଗାଇ ଦିଆଯାଇଛି। ୨୦୦୮-୦୯ ଆର୍ଥିକ ବର୍ଷରେ ୫୦କୋଟି ଟଙ୍କା ଅନୁଦାନ ଯୋଗାଇ ଦିଆଯାଉଥିବାବେଳେ ଏବେ ୨୦୦କୋଟି ଟଙ୍କା ଅନୁଦାନ ଦିଆଯାଉଛି। ଖୁବଶୀଘ୍ର ପରିଷଦର ପୁର୍ନଗଠନ ହେବ । ଖାଲିଥିବା ସଭ୍ୟ ପଦଗୁଡ଼ିକ ଖୁବଶୀଘ୍ର ପୂରଣ ହେବ। ପଶ୍ଚିମଓଡ଼ିଶା ବିକାଶ ପରିଷଦ କାର୍ଯ୍ୟାଳୟ ଖୋଲିବା ପାଇଁ ସର୍ବସମ୍ମତିକ୍ରମେ ପ୍ରସ୍ତାବ ଆସିପାରୁନଥିବାରୁ ଅଫିସ୍ ଖୋଲିପାରୁନି ବୋଲି ମନ୍ତ୍ରୀ ଶ୍ରୀ ବେହେରା କହିଛନ୍ତି।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।