‘ଗାୟତ୍ରୀ ମନ୍ତ୍ର’ରେ କୋଭିଡ ଚିକିତ୍ସା ସମ୍ଭବ କି? ଗବେଷଣା କରିବାକୁ ସରକାରଙ୍କ ନିର୍ଦ୍ଦେଶ

ନୂଆଦିଲ୍ଲୀ: ‘ଗାୟତ୍ରୀ ମନ୍ତ୍ର’ କରୋନା ପାଇଁ ବଡ଼ ସଞ୍ଜିବନୀ କି? ଦୀର୍ଘ ବର୍ଷେ ହେବ ସାରା ବିଶ୍ୱ କୋଭିଡ ମହାମାରୀର ଯନ୍ତ୍ରଣାରେ ଦହଗଞ୍ଜ ହେଉଥିବା ବେଳେ କେନ୍ଦ୍ର ସରକାର ‘ଗାୟତ୍ରୀ ମନ୍ତ୍ର’ ଉପରେ ଗବେଷଣା କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଉତ୍ତରାଖଣ୍ଡ-ହରିଦ୍ୱାର ସ୍ଥିତ ଏମ୍ସ ଋଷିକେଶରେ ଏହା ଉପରେ ଗବେଷଣା କରିବା ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି।ଏଥିପାଇଁ ୪୦ ଜଣ କରୋନା ସଂକ୍ରମିତଙ୍କୁ ଚିହ୍ନଟ କରିବାକୁ କୁହାଯାଇଛି।

ଗବେଷଣା ପାଇଁ ଚିହ୍ନଟ ହୋଇଥିବା ୪୦ ଜଣ କରୋନା ଆକ୍ରାନ୍ତଙ୍କୁ ଦୁଇଟି ଗ୍ରୁପରେ ବିଭକ୍ତ କରାଯାଇଛି। ଗୋଟିଏ ‘‘ ଗ୍ରୁପ ଅନ୍ୟଟି ‘ବି‘ ଗ୍ରୁପ। ସମସ୍ତ ଗ୍ରୁପରେ ୨୦ ଜଣ ଲେଖାଏଁ ସଦସ୍ୟ ରହିବେ। ‘‘ ଗ୍ରୁପର ସଦସ୍ୟଙ୍କୁ ସାଧାରଣ ଚିକିତ୍ସା ସହିତ ‘ଗାୟତ୍ରୀ ମନ୍ତ୍ର’ ଜପିବାକୁ ଦିଆଯିବ। ଏହା ସହିତ ସେମାନେ ସକାଳେ ଏବଂ ସଂଧ୍ୟାରେ ଘଣ୍ଟାଏ ଲେଖାଁଏ ପ୍ରାଣାୟମ କରିବେ। ସେହିପରି ‘ବି‘ ଗ୍ରୁପର ସଦସ୍ୟ କୋଭିଡ ଚିକିତ୍ସା ହେବେ। ଏମାନେ କୌଣସି ପ୍ରାଣାୟମ କିମ୍ୱା ଗାୟତ୍ରୀ ମନ୍ତ୍ର ଜପିବେ ନାହିଁ।

୧୪ ଦିନ ପରେ ଉଭୟ ଗ୍ରୁପର ମେଡିକାଲ ରିପୋର୍ଟ ସଂଗ୍ରହ କରାଯିବ। ତାପରେ ଏହି ରିପୋର୍ଟକୁ ତର୍ଜମା କରାଯିବ। ଏହି ଗବେଷଣା କେନ୍ଦ୍ର ସରକାରଙ୍କ ‘ଡିପାର୍ଟମେଣ୍ଟ ଅଫ୍ ସାଇନ୍ସ ଆଣ୍ଡ ଟେକ୍ନୋଲଜି’ ଏମ୍ସ ଜରିଆରେ କରାଉଛି। ଏମ୍ସର ପ୍ରିନସିପାଲ ଡକ୍ଟର ରୁଚି ଦୁଆ ଏହା ଉପରେ ନଜର ରଖିବେ। ଡକ୍ଚର ରୁଚି ଏବେ ଏମ୍ସ ଋଷିକେଶର ପୁଲମୋନାରୀ ମେଡିସିନର ଆସିଷ୍ଟାଣ୍ଟ ପ୍ରଫେସର ରହିଛନ୍ତି। ଏହି ପରୀକ୍ଷା ଏବେ ଆରମ୍ଭ ହୋଇଯାଇଥିବା ସୂଚନା ମିଳିଛି। ଏହି ପ୍ରୋଜେକ୍ଟ ଫେବୃଆରୀ ୫ରେ ପଞ୍ଜିକରଣ ହୋଇଥିବା ଜଣାପଡ଼ିଛି। ସମସ୍ତ ରିପୋର୍ଟ ଏମ୍ସ ଋଷିକେଶ ଦାଖଲ କରିବା ପରେ  ଡିପାର୍ଟମେଣ୍ଟ ଅଫ୍ ସାଇନ୍ସ ଆଣ୍ଡ ଟେକ୍ନୋଲଜି ଚୂଡ଼ାନ୍ତ ରିପୋର୍ଟ ସାର୍ବଜନୀନ କରିବ ବୋଲି ଜଣାପଡ଼ିଛି।

ଏହି ସଂକ୍ରମିତ ବ୍ୟକ୍ତିମାନେ ହସ୍ପିଟାଲ, ଘରେ କିମ୍ୱା ଏମ୍ସ ଋଷିକେଶରେ ରହିବାର ବ୍ୟବସ୍ଥା ହୋଇଛି। ଯେଉଁମାନେ ଗାୟତ୍ରୀ ମନ୍ତ୍ର ଜପିବେ ସେମାନେ ଭିଡିଓ କନଫେରନସିଂ ମାଧ୍ୟମରେ ଯୋଡ଼ି ହୋଇ ରହିବେ। କିଭଳି ଗାୟତ୍ରୀ ମନ୍ତ୍ର ଜପିବେ ଏବଂ ପ୍ରାଣାୟମ କରିବେ ସେଥିପାଇଁ ଭିଡିଓ, ଫଟୋ ସେମାନଙ୍କୁ ଦିଆଯାଇଥିବା ସୂଚନା ରହିଛି।

କାହିଁକି ଗାୟତ୍ରୀ ମନ୍ତ୍ର ଉପରେ ଗବେଷଣା?

SARS-COV2 ହେଉଛି ଏମିତି ଏକ ଭାଇରସ ଯାହାକି ପ୍ରଥମେ ମଣିଷ ଶରୀରରେ ଥିବା ଶ୍ୱାସନଳୀକୁ ଟାର୍ଗେଟ କରେ। ଗାୟତ୍ରୀ ମନ୍ତ୍ର ହେଉଛି ହିନ୍ଦୁମାନଙ୍କର ସବୁଠାରୁ ପବିତ୍ର ମନ୍ତ୍ର। ପୂର୍ବରୁ ଅନେକ ରୋଗରୁ ମୁକ୍ତି ପାଇବା ପାଇଁ ପ୍ରାଣାୟାମ ଏବଂ ଗାୟତ୍ରୀ ମନ୍ତ୍ରର ଭୂମିକା ରହିଛି। ତେଣୁ ଏବେ ଏହି ମହାମାରୀ ବିରୋଧରେ ଲଢ଼େଇ ପାଇଁ ଗାୟତ୍ରୀ ମନ୍ତ୍ର ଏବଂ ପ୍ରାଣାୟମ କେତେ ସଫଳ ହେଉଛି ଗବେଷକ ଜାଣିବାକୁ ଚେଷ୍ଟା କରିଛନ୍ତି।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।