ସବୁଠୁ ପ୍ରଦୂଷିତ ରାଜଧାନୀ ଦିଲ୍ଲୀ

ନୂଆଦିଲ୍ଲୀ: ବିଶ୍ୱର ସବୁଠୁ ଅଧିକ ପ୍ରଦୂଷିତ ରାଜଧାନୀ ହେଉଛି ନୂଆଦିଲ୍ଲୀ। ଏଭଳି ଏକ ତଥ୍ୟ ଏବେ ସାମ୍ନାକୁ ଆସିଛି। ଯାହା ସମସ୍ତଙ୍କୁ ଚିନ୍ତାରେ ପକାଇଦେଇଛି।  ଏକ ରିପୋର୍ଟ ଅନୁସାରେ ବିଶ୍ୱର ସବୁଠାରୁ ପ୍ରଦୂଷିତ ରାଜଧାନୀ ମଧ୍ୟରେ ଦିଲ୍ଲୀର ନାଁ ଆଗରେ ରହିଛି । ସ୍ୱିସ୍ ସଙ୍ଗଠନ ପକ୍ଷରୁ ଜାରି କରାଯାଇଥିବା ଏୟାର କ୍ୱାଲିଟି ରିପୋର୍ଟ-୨୦୨୦ରେ ଏନେଇ ଉଲ୍ଲେଖ ରହିଛି।  ସେହିପରି ବିଶ୍ୱର ସବୁଠାରୁ ଅଧିକ ପ୍ରଦୂଷିତ ୩୦ଟି ସହର ମଧ୍ୟରେ ଭାରତର ୨୨ଟି ସହର ରହିଛି।

ୱାର୍ଲ୍ଡ କ୍ୟାପିଟାଲ ସିଟି ରାଙ୍କିଙ୍ଗରେ ଦିଲ୍ଲୀ ସବୁଠୁ ଉପରେ ରହିଛି। ଏହାପରେ ଢାକା ଏବଂ ଉଲାନବଟାର ରହିଛି। ଏହି ରିପୋର୍ଟ ଅନୁଯାୟୀ, ୨୦୧୯ ଅପେକ୍ଷା ୨୦୨୦ରେ ଦିଲ୍ଲୀରେ ବାୟୁର ଗୁଣବତ୍ତାରେ ୧୫ ପ୍ରତିଶତ  ସୁଧାର ଆସିଛି।  ଏହା ସତ୍ତ୍ୱେ ଦିଲ୍ଲୀ ସବୁଠାରୁ ପ୍ରଦୂଷିତ ସହର ତାଲିକାର ୧୦ମ ସ୍ଥାନରେ ରହିଛି। ଏଥିସହ ବିଶ୍ୱର ସବୁଠାରୁ ପ୍ରଦୂଷିତ ରାଜଧାନୀର ମାନ୍ୟତାକୁ ମଧ୍ୟ ବଜାୟ ରଖିଛି। ଗୁଣବତ୍ତାରେ ସୁଧାର ଆସିଥିଲେ ମଧ୍ୟ ଭାରତରେ ବାୟୁ ପ୍ରଦୂଷଣ ସ୍ଥିତି ବିପଦଜନକ ରହିଥିବା ରିପୋର୍ଟରେ କୁହାଯାଇଛି।

ଭାରତର ବାୟୁ ପ୍ରଦୂଷଣର ମୁଖ୍ୟ ଉତ୍ସ ହେଉଛି ପରିବହନ, ରନ୍ଧନ ପାଇଁ ବ୍ୟବହାର ହେଉଥିବା ଜାଳେଣି, ଶିଳ୍ପ, ନିର୍ମାଣ, ବର୍ଜ୍ୟବସ୍ତୁ ଦହନ ଏବଂ ସମୟ ସମୟରେ ନଡା ଜଳାଇବା ଆଦି ସାମିଲ ରହିଛି। ଦିଲ୍ଲୀରେ ୨୦ରୁ ୩୦ ପ୍ରତିଶତ ବାୟୁ ପ୍ରଦୂଷଣ ପଞ୍ଜାବରେ ନଡ଼ା ଜଳିବା କାରଣରୁ ହୋଇଥାଏ ବୋଲି ଆକଳନ କରାଯାଉଛି।

ଦିଲ୍ଲୀ ଛଡ଼ା ସବୁଠୁ ଅଧିକ ପ୍ରଦୂଷିତ ଅଞ୍ଚଳ ତାଲିକାରେ ଗାଜିଆବାଦ, ବିଲନ୍ଦସହର, ନଏଡା, ଜଲାଲପୁର, ଗ୍ରେଟର ନଏଡା, କାନପୁର, ଲକ୍ଷ୍ନୌ, ମେରଟ, ଆଗ୍ରା, ମୁଜାଫରନଗର, ହିସାରା, ଭିୱଣ୍ଡି, ଫରିଦାବାଦ, ଫତେହାବାଦ, ଗୁରୁଗ୍ରାମ ଓ ଯମୁନା ନଗର ପ୍ରମୁଖ ରହିଛି।

ଏହି ରିପୋର୍ଟ ଅନୁଯାୟୀ ବିଶ୍ୱର ସବୁଠୁ ପ୍ରଦୂଷିତ ୫୦ ଦେଶ ମଧ୍ୟରେ ବାଙ୍ଗଲାଦେଶ, ଚୀନ, ପାକିସ୍ତାନ ଓ ଭାରତ ରହିଛି। ଦେଶ ରାଙ୍କିଙ୍ଗରେ ବାଙ୍ଗଲାଦେଶର ସ୍ଥିତି ସବୁଠାରୁ ଖରାପ ରହିଛି। ଏହାପରେ ଦ୍ୱିତୀୟ ସ୍ଥାନରେ ପାକିସ୍ତାନ ଏବଂ ତୃତୀୟ ସ୍ଥାନରେ ଭାରତ ରହିଛି। ସେହିପରି ଚାଇନାର ଜିନ୍‌ଜିଆଙ୍ଗ ସହର ସବୁଠୁ ଅଧିକ ପ୍ରଦୂଷିତ ବୋଲି ଉଲ୍ଲେଖ ରହିଛି।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।