ଦୁଇ ଯୁବତୀଙ୍କୁ ମହଙ୍ଗା ପଡ଼ିଲା ବାଇକ୍ରେ ଷ୍ଟଣ୍ଟ ଦେଖାଇବା, କଟିଲା ୨୮ ହଜାର ଟଙ୍କାର ଚାଲାଣ
ଗାଜିଆବାଦ: ସୋଶାଲ ମିଡିଆ ପ୍ଲାଟଫର୍ମ ଇନଷ୍ଟାଗ୍ରାମରେ ଭିଡିଓ ଭାଇରାଲ କରିବା ଦୁଇ ଜଣ ଯୁବତୀଙ୍କୁ ମହଙ୍ଗା ପଡ଼ିଛି। ସେମାନେ ବାଇକରେ ବସି ରାସ୍ତାରେ ବିପଦଜନକ ଢଙ୍ଗରେ ଷ୍ଟଣ୍ଟ କରିଥିଲେ। ଏହାର ଭିଡିଓକୁ ସେମାନେ ଇନଷ୍ଟାରେ ଅପଲୋଡ୍ କରିବା ପରେ ଲକ୍ଷଲକ୍ଷ ଲୋକ ଲାଇକ କରିଥିଲେ। ଏଥିସହ ଏହା ଭାଇରାଲ ମଧ୍ୟ ହୋଇଥିଲା। କିନ୍ତୁ ଏଭଳି ବିପଦଜନକ ଷ୍ଟଣ୍ଟ ପାଇଁ ପୁଲିସ୍ ଚାଲାଣ କାଟିଛି। ଏବେ ଉଭୟଙ୍କ ୨୮ ହଜାର ଟଙ୍କାର ତଣ୍ଡ ଗଣିବାକୁ ପଡ଼ିବ।
ଶନିବାର ଥଟ୍ଟାମଜାରେ ଦୁଇ ଯୁବତୀ ବାଇକ୍ରେ ଷ୍ଟଣ୍ଟ ପ୍ରଦର୍ଶନ କରିଥିଲେ। ଜଣେ ଯୁବତୀ ବୁଲେଟ ଚଳାଉଥିବା ବେଳେ ଆଉ ଜଣେ ତାଙ୍କ କାନ୍ଧରେ ବସି ବିଭିନ୍ନ ଷ୍ଟଣ୍ଟ ଦେଖାଇଥିଲେ। ଭିଡିଓକୁ ଆଧାର କରି ପୁଲିସ୍ ସେମାନଙ୍କ ନାଁରେ ବିଭିନ୍ନ ଆଇନ ଉଲ୍ଲଙ୍ଘନ କରିଥିବାରୁ ଚାଲାଣ କାଟିଛି। ଏଥିରେ ହେଲମେଟ୍ ନ ପନ୍ଧିବା ପାଇଁ ମଧ୍ୟ ଫାଇନକୁ ଲାଗୁ କରାଯାଇଛି।
ପୁଲିସ୍ ଷ୍ଟଣ୍ଟ ବେଳର ଫଟୋ ସହ ଚାଲାଣ ପଠାଇଛି। ଏଥିରେ ଗୋଟିଏ ରୟାଲ ଏନଫିଲ୍ଡ ଗାଡ଼ିକୁ ସ୍ନେହା ରଘୁବଂଶୀ ଚଳାଉଥିବା ବେଳେ ତାଙ୍କ କାନ୍ଧରେ ଶିଭାଙ୍ଗି ଦାବାସ ବସିଛନ୍ତି। ଉଭୟ ଏକା ଭଳି ନାଲି ରଙ୍ଗର ଟି-ଶର୍ଟ ଓ ବ୍ଲାକ ଡେନିମସ ପିନ୍ଧିଛନ୍ତି। ଷ୍ଟଣ୍ଟ ପାଇଁ ସ୍ନେହା ଓ ଶିଭାଙ୍ଗି ଦୁଇଟି ଗାଡ଼ିର ବ୍ୟବହାର କରିଥିଲେ ବୋଲି ପୁଲିସ୍ କହିଛି।
ଏଥିପାଇଁ ପୁଲିସ୍ ଦୁଇଟି ଯାକ ଗାଡ଼ିର ମାଲିକ ମଞ୍ଜୁ ଦେବୀ ଓ ସଞ୍ଜୟ କୁମାରଙ୍କ ନାଁରେ ଚାଲାଣ ପଠାଇଛି। ମଞ୍ଜୁ ଦେବୀଙ୍କ ନାଁରେ ୧୧ ହଜାର ଟଙ୍କା ଓ ସଞ୍ଜୟ କୁମାରଙ୍କ ନାଁରେ ୧୭ ହଜାର ଟଙ୍କାର ଚାଲାଣ କଟିଛି। ବୁଲେଟରେ ଷ୍ଟଣ୍ଟ ଦେଖାଉଥିବା ଦୁଇ ଜଣ ଯାକ ଯୁବତୀ ପେଶାରେ ରେସଲର।
View this post on Instagram
ଶିଭାଙ୍ଗି କହିଛନ୍ତି, “ଆମେ ଷ୍ଟଣ୍ଟ ପାଇଁ ଅଭ୍ୟାସ କରୁଥିଲୁ। ଶନିବାର ମଧୁବନ ବାପୁଧାମ ନିକଟରେ ଏହାର ଶୁଟିଂ କରିଥିଲୁ। ଏହାପରେ ଆମେ ଭିଡିଓକୁ ଇନଷ୍ଟାଗ୍ରାମରେ ପୋଷ୍ଟ କରିଥିଲୁ। ତେବେ ପୁଲିସ୍ ଭିଡିଓକୁ ଆଧାର କରି ଚାଲାଣ ପଠାଇଛି। ଆମେ କେବଳ ମଜାରେ ଖୋଲା ସ୍ଥାନରେ ଏହାର ଶୁଟିଂ କରିଥିଲୁ। ଆମେ ଜାଣି ନଥିଲୁ ଯେ ଏହାକୁ ନେଇ ଏତେ ବିବାଦ ହେବ। ଘଟଣା ପରେ ଘର ଲୋକ ମଧ୍ୟ ଆଉ ବାଇକ ଚଳାଇବାକୁ ଆମକୁ ଦେଉନାହାନ୍ତି।”
ପୁଲିସ୍ କହିଛି ଯେ ଆମେ ଦୁଇଟି ଭିଡିଓ ପାଇଛୁ। କିଛି ଦିନ ବ୍ୟବଧାନରେ ଦୁଇଟି ଯାକ ଭିଡିଓ ଶୁଟିଂ ହୋଇଥିଲା। ଏହି କାରଣରୁ ବାଇକର ଦୁଇ ମାଲିକଙ୍କ ନାଁରେ ଚାଲାଣ କଟିଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।