ବେଆଇନ ଚାଲାଣ ପାଇଁ ସିକ୍ରେଟ କ୍ୟାବିନ୍, ସ୍ପଷ୍ଟିକରଣ ରଖିଲେ ଆନନ୍ଦ ମହିନ୍ଦ୍ରା

ନୂଆଦିଲ୍ଲୀ: ବେଆଇନ ଚୋରା ଚାଲାଣ ରୋକିବା ପାଇଁ ପୁଲିସ ଯେତିକି ଶକ୍ତ ହେଉଛି ଚୋରମାନେ ସେତିକି ନୂଆ ନୂଆ ଉପାୟ ବାହାର କରୁଛନ୍ତି। ସେମାନେ ପୁଲିସ ଆଖିରେ ଧୂଳି ଦେବାରେ ମାହିର। ସବୁ ଗଳା ବାଟ ଜାଣନ୍ତି ସେମାନେ।  କିଭଳି କେଉଁ ବାଟ ଦେଇ ବେଆଇନ ଚୋରା ଚାଲାଣ ହୋଇପାରିବ, ସେଥିପାଇଁ ନୂଆ ନୂଆ ଉପାୟ ମଧ୍ୟ ବାହାର କରନ୍ତି। ଚୋରମାନଙ୍କ ଏଭଳି ଉପାୟକୁ ଦେଖି ବଡ ବଡ ବ୍ୟବସାୟୀମାନେ ମଧ୍ୟ ଚକିତ ହୋଇପଡନ୍ତି।  ନିକଟରେ ଏଭଳି ଏକ ଘଟଣା ସାମ୍ନାକୁ ଆସିଛି। ଅପରାଧୀମାନେ ମଦ ଚୋରା ଚାଲାଣ ପାଇଁ ନୂଆ ପନ୍ଥା ଆପଣାଇଛନ୍ତି । ଏହାର ଭିଡିଓକୁ ବିଶିଷ୍ଟ ଉଦ୍ୟୋଗପତି ଆନନ୍ଦ ମହିନ୍ଦ୍ରା ଟୁଇଟ କରିଛନ୍ତି।

ଆନନ୍ଦ ମହିନ୍ଦା ଗୁରୁବାର ଦିନ ଏକ  ଭିଡିଓ ଟୁଇଟ କରି କ୍ୟାପସନରେ ସେ ଲେଖିଛନ୍ତି ‘ସଇତାନ ସମଝଦାର’। ଏହି ଭିଡିଓରେ ଅପରାଧୀମାନେ ଗାଡ଼ିରେ କିଭଳି ମଦ ଚୋରା ଚାଲାଣ ପାଇଁ ସିକ୍ରେଟ କ୍ୟାବିନ ତିଆରି କରିଛନ୍ତି ତାକୁ ଦର୍ଶାଯାଇଛି। ଏହି ଭିଡିଓଟି ଏବେ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

ସୂଚନା ମୁତାବକ, ପ୍ରାୟ ଦେଢ଼ ମିନିଟ୍‌ର ଏହି ଭିଡିଓରେ ଏକ ଡାଲା ଅଟୋରେ ପୁଲିସ ଆଖିରେ ଧୂଳି ଦେବା ପାଇଁ ସିକ୍ରେଟ କ୍ୟାବିନ ତିଆରି ହୋଇଛି। ଏହି ଡାଲା ଅଟୋକୁ ପୁଲିସ ଜବତ କରିବା ସହ ତା’ର ଲୋଡିଂ ପ୍ଲେଟରେ ତିଆରି ହୋଇଥିବା ସିକ୍ରେଟ କ୍ୟାବିନ ଭିତରୁ ବିପୁଳ ପରିମାଣର ମଦ ଜବତ କରିଛି। ଏହି ସିକ୍ରେଟ କ୍ୟାବିନ ଭିତରେ ମଦ ରଖି ଭ୍ୟାନ ମାଲିକ ଚୋରା ଚାଲାଣ କରୁଥିଲା, ଯାହାକୁ ପୁଲିସ ଗିରଫ କରିଛି।

ଭିଡିଓକୁ ଶେଆର କରି ଆନନ୍ଦ ମହିନ୍ଦ୍ରା ଏହି ଇନୋଭେଟିବ ଆଇଡିଆ ପ୍ରୟୋଗ କରିଥିବା ବ୍ୟକ୍ତିଙ୍କୁ ଦୁଷ୍ଟ ଚତୁର ବୋଲି ବର୍ଣ୍ଣନା କରିଛନ୍ତି। ଏଥିସହ ସେ ବେଆଇନ୍ ଚାଲାଣକୁ ନେଇ ସ୍ପଷ୍ଟୀକରଣ ମଧ୍ୟ ରଖିଛନ୍ତି। ସେ କହିଛନ୍ତି, ମହିନ୍ଦ୍ରା କମ୍ପାନୀର ଡିଜାଇନର୍‌ମାନେ ଏଭଳି ଚିନ୍ତାଧାରାକୁ ନେଇ କାମ କରନ୍ତି ନାହିଁ। ସେମାନେ କେବେ ମଧ୍ୟ ଏଭଳି ଡିଜାଇନ ତିଆରି କରିବା ପାଇଁ ଚିନ୍ତା କରିପାରିବେ ନାହିଁ।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।