ଧୋନିଙ୍କ ନିଦ ହଜାଇଲେ ୨୨ ବର୍ଷୀୟ ବୋଲର

ଚେନ୍ନାଇ: ଆଇପିଏଲର ୧୪ଶ ସଂସ୍କରଣ ପାଇଁ ଚେନ୍ନାଇ ସୁପର୍ କିଙ୍ଗସ୍ ଜୋରଦାର ଅଭ୍ୟାସ ଚଳାଇଛି। ଚେନ୍ନାଇର ଚେପକ ଷ୍ଟାଡିୟମରେ ଟିମର ପ୍ରାକ୍ଟିସ୍ ସେସନ୍ ଚାଲିଛି, ଯେଉଁଥିରେ ଖେଳାଳିମାନେ ଝାଳବୁହା ପରିଶ୍ରମ କରୁଛନ୍ତି। ଫ୍ରାଞ୍ଚାଇଜି ଟିମର କ୍ୟାପଟେନ୍ ମହେନ୍ଦ୍ର ସିଂ ଧୋନିଙ୍କର ଏକ ଭିଡିଓ ଶେଆର୍ କରିଛି, ଯେଉଁଥିରେ ତାଙ୍କୁ ଲମ୍ବା ଲମ୍ବା ଶଟ୍ ଖେଳୁଥିବାର ଦେଖିବାକୁ ମିଳିଛି। ଏବେ ଧୋନିଙ୍କର ଆଉ ଏକ ଭିଡିଓ ଖୁବ୍ ଭାଇରାଲ ହେବାରେ ଲାଗିଛି।

ଭିଡିଓରେ ଦେଖିବାକୁ ମିଳିଛି ଯେ ଚେନ୍ନାଇ ଟିମର କ୍ୟାପଟେନ୍ ଧୋନିଙ୍କୁ ୨୨ ବର୍ଷୀୟ ପେସ୍ ବୋଲର ହରିଶଙ୍କର ରେଡ୍ଡି କ୍ଲିନ୍ ବୋଲ୍ଡ କରୁଛନ୍ତି। ରେଡ୍ଡିଙ୍କ ବଲରେ ଏତେ ସ୍ପୀଡ୍ ଥିଲା ଯେ ଧୋନି କିଛି ବୁଝିପାରିନଥିଲେ ଏବଂର ବଲ୍ ଲେଗ୍ ଷ୍ଟମ୍ପକୁ ଉଡ଼ାଇ ନେଇଥିଲା। ଭିଡିଓରେ ଆହୁରି ଦେଖିବାକୁ ମିଳିଛି ହରିଶଙ୍କର କେଉଁଭଳି ରନ୍-ଅପରେ ଆସୁଛନ୍ତି ଏବଂ ଧୋନିଙ୍କୁ ବୋଲିଂ କରୁଛନ୍ତି।

ଯୁବ ପେସର୍ ହରିଶଙ୍କର ନିଜର ଇନଷ୍ଟାଗ୍ରାମ ଆକାଉଣ୍ଟରେ ଏକ ଫଟୋ ଶେଆର୍ କରିଛନ୍ତି, ଯେଉଁଥିରେ ସେ ଧୋନିଙ୍କ ସହ ଛିଡ଼ା ହୋଇଛନ୍ତି। ସେ କ୍ୟାପସନରେ ଲେଖିଛନ୍ତି, ‘ଡ୍ରିମ୍ ପିକ୍’ ଅର୍ଥାତ୍ ‘ସ୍ୱପ୍ନର ଫଟୋ’। ଏହି ଫଟୋରେ ଉଭୟଙ୍କୁ ହସୁଥିବାର ଦେଖିବାକୁ ମିଳିଛି। ଦୁହେଁ ମଧ୍ୟ ସିଏସକେ ଜର୍ସି ପିନ୍ଧିଛନ୍ତି।

ହରିଶଙ୍କର ୨୦ଲକ୍ଷ ଟଙ୍କାରେ ଚେନ୍ନାଇ ସୁପର୍ କିଙ୍ଗସ୍ ଟିମରେ ସାମିଲ ହୋଇଛନ୍ତି। ଏହି ବୋଲର ଆନ୍ଧ୍ର ପ୍ରଦେଶ ପକ୍ଷରୁ ବିଜୟ ହଜାରେ ଟ୍ରଫି ଏବଂ ସୟଦ ମୁସ୍ତାକ୍ ଅଲୀ ଟ୍ରଫିରେ ଦମଦାର ବୋଲିଂ କରିଥିଲେ। ସେ ବିଜୟ ହଜାରେ ଟ୍ରଫିରେ ଗୁଜରାଟ ବିପକ୍ଷରେ ୬୦ ରନ୍ ଦେଇ ୩ଟି ୱିକେଟ ନେଇଥିଲେ। ସେହିପରି ଝାଡ଼ଖଣ୍ଡ ବିପକ୍ଷରେ ୩୦ ରନ୍ ଦେଇ ୪ଟି ୱିକେଟ ହାସଲ କରିଥିଲେ। ସେ ଏପର୍ଯ୍ୟନ୍ତ ୫ଟି ଲିଷ୍ଟ-ଏ ମ୍ୟାଚରେ ୮ ୱିକେଟୋ ନେଇଛନ୍ତି। ସେହିପରି ୧୩ ଟି-୨୦ ମ୍ୟାଚରେ ସେ ୧୯ ୱିକେଟ ନେଇସାରିଛନ୍ତି।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।