ଚାଲାଣ ଭୟ, ହେଲମେଟ୍ ପିନ୍ଧିଲେ ପରିବା ବିକାଳି

ଭୋପାଳ: ଦୁଇ ଚକିଆ ଗାଡି ଚଳାଉଥିବା ଚାଳକଙ୍କ ପାଇଁ ହେଲମେଟ୍ ପିନ୍ଧିବା ବାଧ୍ୟତମୂଳକ। ଏହି ନିୟମକୁ ଚାରିଆଡେ କଡାକଡି କରାଯାଉଛି। ହେଲମେଟ୍‌କୁ ନେଇ ଚାରିଆଡେ ଜୋରଦାର ଚେକିଂ ସହ ସଚେତନା ମଧ୍ୟ ଚାଲିଛି। ଘନ ଘନ ଚାଲାଣ ମଧ୍ୟ କଟୁଛି। ଏହାରି ଭିତରେ ଚାଲାଣ ଭୟରେ ଜଣେ ପରିବା ବିକାଳି ମଧ୍ୟ ହେଲମେଟ୍ ପିନ୍ଧି ପକାଇଛନ୍ତି। ମଧ୍ୟପ୍ରଦେଶର ସିଧି ଜିଲ୍ଲାର ଏକ ମାର୍କେଟ୍‌ରେ ଦେଖିବାକୁ ମିଳିଛି ଏଭଳି କିଛି ଦୃଶ୍ୟ। ଯାହା ଏବେ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

ମଧ୍ୟପ୍ରଦେଶର ବିଭିନ୍ନ ଅଞ୍ଚଳରେ ଏବେ ହେଲମେଟ ବ୍ୟବହାରକୁ ନେଇ ସଚେତନତା କାର‌୍ୟ୍ୟକ୍ରମ ଚାଲିଛି। ଏହାସହ ବିଭିନ୍ନ ସ୍ଥାନରେ ହେଲେମେଟ ଚେକିଂ ମଧ୍ୟ ଚାଲିଛି। ଏହାକୁ ଦେଖି ଠେଲା ଗାଡିରେ ପରିବା ବିକୁଥିବା ଜଣେ ଯୁବକ ଛାନିଆ ହୋଇପଡିଛନ୍ତି।

ସିଧି ଜିଲ୍ଲାର ଏକ ପରିବା ମାର୍କେଟ୍‌ରେ ହଠାତ୍ ହେଲମେଟ ଚେକିଂ ପାଇଁ ପହଞ୍ଚିଥିଲେ ପୁଲିସ ଟିମ୍। ଗାଡି ଚାଳକଙ୍କୁ ଅଟକାଇ ପୁଲିସ କାଗଜପତ୍ର ସାଙ୍ଗକୁ ହେଲମେଟ୍ ଚେକିଂ କରୁଥିଲା। ଏହାକୁ ଦେଖି ଠେଳା ଗାଡିରେ ପରିବା ବିକୁଥିବା ଜଣେ ଯୁବକ ଡରି ଯାଇଥିଲେ। କାଳେ ତାଙ୍କଠାରୁ ବି ଜରିମାନା ଆଦାୟ ହେବ ତେଣୁ ବିକଳରେ ସେ ହେଲମେଟ୍ ପିନ୍ଧି ପକାଇଥିଲେ। ଏହା ଦେଖି ସେଠାରେ ଥିବା କିଛି ଲୋକ ଚକିତ ହୋଇପଡିଥିଲେ। କିଛି ଯୁବକ ବୁଝାସୁଝା କରିବା ପରେ ପରିବା ବେପାରୀ ହେଲମେଟ କାଢିଥିଲେ।

ଏହି ପୂରା ଘଟଣାର ଭିଡିଓକୁ ସୁବେଦାର ଭାଗୱନ୍ତ ପ୍ରସାଦ ପାଣ୍ଡେ ଶେଆର କରିଛନ୍ତି। ଭିଡିଓର କ୍ୟାପସନରେ ଲେଖିଛନ୍ତି ଯେ, ଭୟ ନୁହେଁ ସଚେତନତା ଆବଶ୍ୟକ।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।