`ମରିବା ଯାଏଁ ମୋ ଝିଅ ମୋଟି ହେବନି’

ଇଂଲଣ୍ଡ: ଆଜିକାଲି ଫିଟ୍‌ ରହିବା ପାଇଁ ସମସ୍ତେ ଚିନ୍ତିତ। ଲୋକେ ଫିଟ୍‌ ରହିବା ପାଇଁ କେତେ କ’ଣ କରନ୍ତି। କିଏ ଜିମ ଯାଉଛି ତ କିଏ ଯୋଗ କରୁଛି। ସେହିପରି ଆଉ କିଏ କିଏ ପୁରା ଷ୍ଟ୍ରିକ୍ଟ ଡାଏଟିଂ ମଧ୍ୟ ଫଲୋ କରୁଛନ୍ତି। ପିଲାଙ୍କ ଫିଟନେସ୍‌କୁ ନେଇ ବେଳେ ବେଳେ ବାପା-ମାଆ ଚିନ୍ତିତ ହୋଇପଡନ୍ତି। ତାଙ୍କ ଖାଦ୍ୟ ପେୟକୁ ନେଇ ତାଗିଦ ମଧ୍ୟ କରନ୍ତି । ନିକଟରେ ଏଭଳି  ଜଣେ ବାପାଙ୍କ ଖବର ସାମ୍ନାକୁ ଆସିଛି ଯିଏ ନିଜ ଛୁଆଙ୍କୁ ଫିଟ୍ ରଖିବା ପାଇଁ କଠୋର ନୀତି ଆପଣାଇଛନ୍ତି।

ଇଂଲଣ୍ଡରେ ବାସ କରୁଥିବା ୫୬ ବର୍ଷୀୟ ରାଚିଦ ଖାଡାଲା। ସେ ଫିଟ୍‌ନେସକୁ ନେଇ ପୁରା ପାଗଳ। ଏପରିକି ସେ ନିଜ ପିଲା ଛୁଆଙ୍କୁ ମଧ୍ୟ ଫିଟ୍ ରଖିବା ପାଇଁ କ୍ରୁର ନୀତି ଆପଣାନ୍ତି। କେବଳ ସେତିକି ନୁହେଁ ଝିଅ ମରିବା ଯାଏଁ ଯେପରି ମୋଟି ନହେବ ସେଥିପାଇଁ ସେ ଏକ ଚୁକ୍ତିନାମାରେ ଦସ୍ତକ୍ଷତ କରାଇନେଇଥିବା ଅଭିଯୋଗ ହୋଇଛି।

ଏହି ବ୍ୟକ୍ତି ଜଣଙ୍କ ନିଜ ଛୁଆଙ୍କୁ ଫିଟ୍ ରଖିବା ପାଇଁ ମାନସିକ  ଏବଂ ଶରୀରିକ ରୂପେ ନିର୍ଯାତନା ଦେଉଛନ୍ତି। ଖୋଦ୍ ତାଙ୍କ ୨୩ ବର୍ଷୀୟ ଝିଅ ଅମୀରା ଏନେଇ କୋର୍ଟରେ ଅଭିଯୋଗ କରିଛନ୍ତି। ଅଭିଯୋଗ ପାଇ ପୁଲିସ ତଦନ୍ତ ପରେ ତାଙ୍କ ନାଁରେ କୋର୍ଟରେ ମାମଲା ଚାଲିଛି।

ଅଭିଯୋଗରେ ଦର୍ଶାଯାଇଛି ଯେ, ଉକ୍ତ ବାପା ଘରେ ପିଲାଙ୍କୁ କଣ୍ଟ୍ରୋଲ କରିବା ପାଇଁ ଚେଷ୍ଟା କରନ୍ତି। ଏଥିସହ ଝିଅ କ’ଣ ପିନ୍ଧିବ, କ’ଣ ଖାଇବ ଏବଂ କାହା ସହ ମିଶିବ ସେ ସବୁ କିଛି ବାପା ହିଁ ନିଷ୍ପତ୍ତି ନେଉଛନ୍ତି। କେବଳ ସେତିକି ନୁହେଁ ଟିଭିରେ କେଉଁ ପ୍ରୋଗ୍ରାମ ଦେଖିବ ତାହା ବି ବାପା ହିଁ ନିର୍ଣ୍ଣୟ କରନ୍ତି। ଏସବୁ କଟକଣା ଯୋଗୁଁ ଘରେ ହିଁ ବନ୍ଦି ଭଳି ଅନୁଭବ କରୁଛନ୍ତି ପିଲାମାନେ । ସେ ଫିଟ୍‌ନେସକୁ ନେଇ ମଧ୍ୟ ଅଧିକ କଠୋର ହୋଇପଡନ୍ତି। ମରିବା ଯାଏଁ ମୋଟି ନହେବା ପାଇଁ ଚେଷ୍ଟା ଜାରି ରଖିବାକୁ ଝିଅଠାରୁ ଏକ ଚୁକ୍ତନାମାରେ ସାଇନ୍ କରାଇଥିବା ଅଭିଯୋଗରେ କୁହାଯାଇଛି।

ସୂଚନାଯୋଗ୍ୟ ଯେ, ପୂର୍ବରୁ ବାପାଙ୍କ ଅକଥନୀୟ ଅତ୍ୟାଚାର ସହି ନ ପାରି ବଡ ପୁଅ ଘର ଛାଡି ପଳାଯାଇଛି। ଏବେ ଘରେ ଝିଅ ଅମିରା ଏବଂ ସାନ ଭାଇ ଅଛନ୍ତି। ଏଦୁହିଁଙ୍କୁ ବାପା ଫିଟ୍‌ନେସକୁ ନେଇ ମରଣାନ୍ତକ ନିର୍ଯାତନା ଦେବା ସହ ଅତ୍ୟାଚର କରୁଥିବା ଦୁହେଁ ଅଭିଯୋଗ କରିଛନ୍ତି। ଅଭିଯୋଗ ପାଇ ପୁଲିସ ଉକ୍ତ କ୍ରୁର ବାପାଙ୍କୁ ଗିରଫ କରିଛି।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।