ସର୍ବସମ୍ମୁଖରେ ପ୍ରପୋଜ କଲେ, ଆଉ ତା’ପରେ…

ଇସଲାମାବାଦ: ସର୍ବସମ୍ମୁଖରେ ଆଣ୍ଠେଇ ହାତରେ ଗୋଲାଫ ଫୁଲ ଧରି ଯୁବତୀ ଜଣଙ୍କ ନିଜ ପ୍ରେମିକଙ୍କୁ ପ୍ରେମ ନିବେଦନ କରିଛନ୍ତି। ଆଉ ଯୁବକ ଜଣଙ୍କ ମଧ୍ୟ ଖୁସି ହୋଇ ନିଜ ପ୍ରେମିକାଙ୍କ ହାତରୁ ଗୋଲାପ ଫୁଲ ଗ୍ରହଣ କରି ପ୍ରେମକୁ ସ୍ୱୀକାର କରିଛନ୍ତି। ଏହା ସିନେମାରେ ହିରୋ ହିରୋଇନକୁ ପ୍ରେମ କରିବାକୁ ନିବେଦନ କରିବା ଭଳି ଦୃଶ୍ୟ ସହିତ ସମାନ। ଯାହାକୁ ଲୋକାମାନେ ବେଶ ପସନ୍ଦ କରି ସୋଶାଲ ମିଡିଆରେ ନିଜର ମତ ରଖୁଛନ୍ତି। ଆଉ ଶୁଭେଚ୍ଛା ବି ଜଣାଉଛନ୍ତି। କିନ୍ତୁ ଏହି ଦୁଇ ପ୍ରେମୀ ଯୁଗଳଙ୍କୁ ଏଭଳି ସର୍ବସମ୍ମୁଖରେ ପ୍ରେମ ନିବେଦନ କରିବା ମହଙ୍ଗା ପଡ଼ିଛି।

ଏହି ଭାଇରାଲ ଭିଡିଓଟି ପାକିସ୍ତାନର ଲାହୋର ବିଶ୍ୱବିଦ୍ୟାଳୟର। ଯୁବତୀ ଜଣଙ୍କ ଆଣ୍ଠେଇ ନିଜ ପ୍ରେମିକକୁ ଗୋଲାପ ଫୁଲର ଏକ ପୁଷ୍ପଗୁଚ୍ଛ ଦେଇ ନିଜର ପ୍ରେମକୁ ଜାହିର କରିବାକୁ ଚେଷ୍ଟା କରିଥିଲେ। ଏହା ପରେ ଯୁବକ ଜଣଙ୍କ ମଧ୍ୟ ତାଙ୍କ ପ୍ରେମିକାଙ୍କ ପାଖରୁ ଫୁଲ ତୋଡ଼ା ଗ୍ରହଣ କରି ଆଲିଙ୍ଗନ କରୁଥିବାର ଦେଖିବାକୁ ମିଳିଛି। ଲାହୋର ବିଶ୍ୱବିଦ୍ୟାଳୟର ଏହି ଦୃଶ୍ୟ ସୋଶାଲ ମିଡିଆରେ ଭାଇରାଲ ହେବା ପରେ ବିଶ୍ୱବିଦ୍ୟାଳୟର ପ୍ରଶାସନ ଏହି ଦୁଇ ବିଦ୍ୟାର୍ଥୀଙ୍କୁ ବରଖାସ୍ତ କରିଛି। ଶୁକ୍ରବାର ବିଶ୍ୱବିଦ୍ୟାଳୟର ପ୍ରଶାସିନକ ବିଭାଗ ଏକ ଚିଠି ଜରିଆରେ ଉଭୟ ଛାତ୍ରଙ୍କୁ ବରଖାସ୍ତ କରିଛି।

ବରଖାସ୍ତ କରିବା ପୂର୍ବରୁ ଲାହୋର ବିଶ୍ୱବିଦ୍ୟାଳୟ ଏହି ପ୍ରସଙ୍ଗରେ ଏକ ବିଜ୍ଞପ୍ତି ପ୍ରକାଶ କରିଥିଲା। ବିଶ୍ୱବିଦ୍ୟାଳୟର ଅନୁଶାସନ କମିଟି ଏହାକୁ ନେଇ ବୈଠକ କରିଥିଲା। ପରେ ଉଭୟ ବିଦ୍ୟାର୍ଥୀ ନିୟମ ଉଲ୍ଲଂଘନ କରିଥିବା କୁହାଯାଇଛି। ଏ ନେଇ ଉଭୟଙ୍କୁ ନିଜର ପକ୍ଷ ରଖିବାକୁ ବିଶ୍ୱବିଦ୍ୟାଳୟ କହିଥିଲା। ହେଲେ ଏହି ଦୁଇ ପ୍ରେମପକ୍ଷୀ ନିଜର ପ୍ରେମ ବାବଦରେ ସ୍ପଷ୍ଟୀକରଣ ଦେବାକୁ ଉଚିତ ମନେ କରି ନାହାନ୍ତି। ତେଣୁ ସେମାନେ କମିଟି ଆଗରେ ହାଜର ହୋଇନଥିଲେ। ଏହା ପରେ ବିଶ୍ୱବିଦ୍ୟାଳୟ ଉଭୟଙ୍କୁ ବରଖାସ୍ତ କରିଛି। ଏବେ ଏହାକୁ ନେଇ ଲାହୋରରୁ ଲଣ୍ଡନ ସବୁଠି ଚର୍ଚ୍ଚା ଆରମ୍ଭ ହୋଇଛି। ଏମିତିକି ପାକିସ୍ତାନର କିଛି ଲୋକ ସୋଶାଲ ମିଡିଆରେ ମତ ରଖି ବିଶ୍ୱବିଦ୍ୟାଳୟର ବରଖାସ୍ତ ନିଷ୍ପତ୍ତିକୁ ଭୁଲ୍ ବୋଲି କହିଛନ୍ତି।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।