ହରଭଜନ କହିଲେ, ‘ଏମିତି ପୁଅର ବଞ୍ଚିବାର ଅଧିକାର ନାହିଁ’

ନୂଆଦିଲ୍ଲୀ: ମା’ ବହୁ କଷ୍ଟ କରି ତା’ର ପୁଅକୁ ପାଳନ ପୋଷଣ କରି ବଡ଼ କରିଥାଏ। ବୃଦ୍ଧା ବୟସରେ ପୁଅ ତା’ର ସାହାର ହେବ ବୋଲି ଆଶା କରିଥାଏ। କିନ୍ତୁ ସେହି ପୁଅ ଦିନେ ରାକ୍ଷସ ପାଲଟି ତା’ ଜନ୍ମକଲା ମା’କୁ ଶକ୍ତ ଚାପୁଡ଼ା ମାରେ। ଚାପୁଡ଼ାଟି ଏତେ ଶକ୍ତ ଥିଲା ଯେ ମା’ ତଳେ ପଡ଼ିଗଲା ଏବଂ ଆଉ ଉଠିପାରିନଥିଲା। ଯାହା ଫଳରେ କିଛି କ୍ଷଣ ଭିତରେ ମା’ର ପ୍ରାଣବାୟୁ ଉଡ଼ିଗଲା। ଏମିତି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଦିଲ୍ଲୀର ବିନ୍ଦାପୁରରେ। ମା’କୁ ଚାପୁଡ଼ା ମାରୁଥିବାର ଭିଡିଓ ସୋଶାଲ ମିଡିଆରେ ଖୁବ୍ ଭାଇରାଲ୍ ହୋଇଛି। ଏହି ହିଂସ୍ର ଘଟଣାକୁ ନେଇ ମନ୍ତବ୍ୟ ରଖିଛନ୍ତି ଭାରତର ଭେଟେରାନ୍ ଅଫ୍ ସ୍ପିନର୍ ହରଭଜନ ସିଂହ।

ହରଭଜନ ଟ୍ୱିଟ୍ କରି କହିଛନ୍ତି, ମା’ଠାରୁ ବଡ଼ ଆଉ କିଛି ନାହିଁ ଏବଂ ଯଦି କେଉଁ ପୁଅ ମା’ ଉପରକୁ ହାତ ଉଠାଏ, ତାହେଲେ ସେ ମଣିଷ ହୋଇନଥିବ । ଏଭଳି ଦୃଶ୍ୟ ଦେଖି ବହୁତ ଦୁଃଖ ଲାଗେ। ମୋ ମତରେ ଏଭଳି ପୁଅର ବଞ୍ଚିବାର କୌଣସି ଅଧିକାର ନାହିଁ। ଦୟାକରି ଏହି ଲଜ୍ଜାଜନକ ଘଟଣା ଉପରେ ଦିଲ୍ଲୀ ପୁଲିସ୍ ଧ୍ୟାନ ଦେଉ। ହରଭଜନ ଏହି ଟ୍ୱିଟକୁ ଦିଲ୍ଲୀ ପୁଲିସ୍ ଓ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ଟ୍ୟାଗ କରିଛନ୍ତି।

ଘଟଣାଟି ମାର୍ଚ୍ଚ ୧୫ ତାରିଖରେ ଘଟିଥିଲା। ଦିଲ୍ଲୀର ବିନ୍ଦାପୁରରେ ପାର୍କିଂ ବିବାଦରେ ରଣବୀନ ନାମକ ଜଣେ ବ୍ୟକ୍ତି ତା’ର ୭୬ ବର୍ଷୀୟା ବୃଦ୍ଧା ମା’ ଅବତାର କୌରଙ୍କୁ ଏତେ ଜୋରରେ ଚାପୁଡ଼ା ମାରିଥିଲେ ଯେ ମହିଳା ଜଣକ ତଳେ ପଡ଼ିଯାଇଥିଲେ। ଏହା ପରେ ବୃଦ୍ଧାଙ୍କୁ ହସ୍ପିଟାଲ ନିଆଯାଇଥିଲା, ଯେଉଁଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ପରିବାର ଲୋକେ ପ୍ରାରମ୍ଭିକ ଏହି ଘଟଣାକୁ ଲୁଚାଇବାକୁ ପ୍ରୟାୟ କରିଥିଲେ, କିନ୍ତୁ ସିସିଟିଭି ଫୁଟେଜ୍ ଭାଇରାଲ୍ ହେବା ପରେ ପୁଲିସ୍ ଚେଇଁ ଉଠିଥିଲା।

ଏହି ଘଟଣାରେ ପୁଲିସ୍ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଦେଇଛି। ଦିଲ୍ଲୀ ପୁଲିସ୍ ମଧ୍ୟ ଅଭିଯୁକ୍ତ ପୁଅକୁ ଗିରଫ କରିଛି। ସିସିଟିଭିରେ ଦେଖିବାକୁ ମିଳିଛି ଯେ ବୃଦ୍ଧାଙ୍କ ସହ ତାଙ୍କ ପୁଅ ଓ ବୋହୂର ଯୁକ୍ତିତର୍କ ହେଉଛି। ଏହାରି ଭିତରେ ରାକ୍ଷସ ପୁଅ ପୂରା ସବୁ ଶକ୍ତି ଲଗାଇ ତା’ର ବୃଦ୍ଧା ମା’ର ମୁହଁକୁ ଜୋରରେ ଚାପୁଡ଼ା ମାରୁଛି, ଯାହା ପରେ ମହିଳା ଜଣକ ତଳେ ଟଳି ପଡ଼ିଲେ। ମା’ ଟଳି ପଡ଼ିବା ପରେ ତାଙ୍କ ବୋହୂ ତାଙ୍କୁ ଉଠାଇବାକୁ ପ୍ରୟାସ କରୁଥିବା ସିସିଟିଭିରେ ଦେଖିବାକୁ ମିଳିଛି। କିନ୍ତୁ ପୁଅ ଦୂରରେ ଛିଡ଼ା ହୋଇ ଏସବୁ ଦେଖୁଥାଏ।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।