ମନ ମୋହୁଛି ସୁନେଲୀଙ୍କ ନୃତ୍ୟ

କନ୍ଧମାଳ (ଅଜିତ ନୟାକ): କନ୍ଧମାଳ ଜିଲ୍ଲା ବାଡ଼ାବାଙ୍ଗାର ଦିବ୍ୟାଙ୍ଗ ଝିଅ ସୁନେଲୀ ଦିଗାଲ। ତା’ବୟସ ୧୧ ବର୍ଷ। ସେ ଜନ୍ମରୁ ଦିବ୍ୟାଙ୍ଗ। ଚଲାବୁଲା କରିବା ତା’ ପାଇଁ ବହୁତ କଷ୍ଟକର। କିନ୍ତୁ ସେ ନୃତ୍ୟ କରିବାରେ ପୂରା ମାହିର। ଟିକେ ସଙ୍ଗୀତର ସ୍ୱର ତା କାନରେ ବାଜିଗଲେ ସେ ନୃତ୍ୟ ନ କରି ରହିପାରେ ନାହିଁ। ତା’ ନୃତ୍ୟ ଦେଖିଲେ ଯେ କେହି ବି ଖୁସି ହୋଇଯିବେ।

ସୁନେଲୀ ତା’ ବୟସ ହିସାବରେ ବଢ଼ି ପାରୁନାହିଁ। ସେ ଦେଖିବାକୁ କୁନି ଝିଅ ଭଳି। ସେ ନୃତ୍ୟ କରିବାକୁ ବେଶ୍ ଭଲପାଏ। ଶାରୀରିକ ଅସୁସ୍ଥତା କାରଣରୁ ସେ ସ୍କୁଲ ମଧ୍ୟ ଯାଇ ପାରୁନଥିଲା। କେବଳ ସେତିକି ନୁହେଁ ଦିବ୍ୟାଙ୍ଗ ହୋଇଥିଲେ ମଧ୍ୟ ତା’ ପାଇଁ ସରକାରୀ ସହାୟତା ସାତ ସପନ ଥିଲା। କିନ୍ତୁ ଓଟିଭିରେ ସୁନେଲୀର ନୃତ୍ୟ ଭିଡିଓ ପ୍ରସାରିତ ହେବା ପରେ ତା’ ନାଁ ସ୍କୁଲରେ ଲେଖା ହୋଇଥିଲା। ଏଥିସହ ସରକାରଙ୍କଠାରୁ ତାକୁ ଦିବ୍ୟାଙ୍ଗ ଭତ୍ତା ମଧ୍ୟ ମିଳିବାର ବାଟ ଫିଟିଥିଲା।

ଏଭଳି ଦିବ୍ୟାଙ୍ଗ କୁନି ପ୍ରତିଭା ସୁନେଲୀର ଆଉ ଏକ ନୃତ୍ୟ ଭିଡିଓ ଏବେ ସାମ୍ନାକୁ ଆସିଛି। ଏଥିରେ ସେ ପୂରା ମନ ଭରି ନାଚୁଛି। ଚାଲିବାରେ ଅକ୍ଷମ ଥିଲେ ବି ହାତ ଏବଂ ଅଣ୍ଟାକୁ ହଲାଇ ସଙ୍ଗୀତର ତାଳେ ତାଳେ ନାଚୁଛି ସୁନେଲୀ। ତା’ ନୃତ୍ୟ ଏବେ ସମସ୍ତଙ୍କ ମନ ମୋହୁଛି। ସୋଶାଲ ମିଡିଆରେ ଏହି ଦିବ୍ୟାଙ୍ଗ ଝିଅର ଭିଡିଓ ଭାଇରାଲ ହେବାରେ ଲାଗିଛି।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।