ସମୁଦ୍ର ଭିତରେ ୧୦ ବର୍ଷ ହେବ ସ୍ତ୍ରୀଙ୍କୁ ଖୋଜୁଛନ୍ତି ସ୍ୱାମୀ

ଟୋକିଓ: ବିବାହ ପରେ ସ୍ୱାମୀ ସ୍ତ୍ରୀଙ୍କ ବନ୍ଧନ ଅତୁଟ ହୋଇଯାଏ। କୁହାଯାଏ ସତ ଜନ୍ମ ପାଇଁ ବାନ୍ଧି ହୋଇଯା’ନ୍ତି ସେମାନେ। ମରିବା ଯାଏଁ ପରସ୍ପରଙ୍କ ହାତ ଛାଡନ୍ତି ନାହିଁ ଉଭୟ। ସୁଖ ହେଉ ଅବା ଦୁଃଖ ସବୁବେଳେ ସାଥୀରେ ରୁହନ୍ତି। ତେବେ ସାତ ଜନ୍ମର ସାଥୀଟିଏ ଯେତେବେଳେ ଭିଡ ଭିତରେ ହଜିଯାଏ ସେତେବେଳେ ପାଗଳ ହୋଇଯା’ନ୍ତି ଉଭୟ। ଚାରିଆଡେ ପରସ୍ପରକୁ ଖୋଜିବୁଲନ୍ତି ସେମାନେ। ଏଭିଳି ହିଁ ଜଣେ ସ୍ୱମୀ ଅଛନ୍ତି, ଯିଏକି ପାଗଳ ଭଳି ଦୀର୍ଘ ୧୦ ବର୍ଷରୁ ଉର୍ଦ୍ଧ୍ୱ ହେବ ନିଜ ସ୍ତ୍ରୀକୁ ସମୁଦ୍ର ଭିତରେ ଖୋଜି ବୁଲୁଛନ୍ତି। ଏହି ଖବର ଏବେ ସୋଶାଲ ମିଡିଆରେ ଭାଇରାଲ ହୋଇଛି।

ଜାପାନର ୟାସୁ ଟାକାମାଟସୁ। ତାଙ୍କ ବୟସ ୬୪ ବର୍ଷ। ଏହି ବ୍ୟକ୍ତି ଜଣକ ଗଲା ୧୦ ବର୍ଷ ହେବ ନିଜ ପତ୍ନୀଙ୍କୁ ସମୁଦ୍ର ଭିତରେ ଖୋଜି ବୁଲୁଛନ୍ତି। ୨୦୧୧ରେ ଜାପାନରେ ଆସିଥିବା ଭୟଙ୍କର ସୁନାମୀରେ ୟାସୁଙ୍କ ପତ୍ନୀ ଭାସିଯାଇ ନିଖୋଜ ହୋଇଯାଇଥିଲେ। ସେବେଠାରୁ ସେ ନିଜ ପତ୍ନୀଙ୍କୁ ଖୋଜୁଛନ୍ତି।

ନିଜ ପତ୍ନୀଙ୍କୁ ଖୋଜିବା ଚକ୍କରରେ ୟାସୁ ଅଣ୍ଟର ୱାଟର ଡାଇଭିଂ ମଧ୍ୟ ଶିଖି ସାରିଲେଣି। ଏଥିପାଇଁ ତାଙ୍କୁ ଲାଇସେନ୍ସ ମଧ୍ୟ ମିଳିଛି। ସେ ଗତ ସାତ ବର୍ଷ ହେଲା ଏକୁଟିଆ ସମୁଦ୍ର ଭିତରେ ଅଣ୍ଡର ୱାଟର ଡାଇଭିଂ କରୁଛନ୍ତି। ସମୁଦ୍ର ଭିତରେ  ନିଜ ପତ୍ନୀ ସହ ଜଡିତ ଯେକୌଣସି ବି ଜିନିଷ ହେଉ ନା କାହିଁକି ତାକୁ ପାଇବା ଆଶାରେ ସେ ଏଭଳି କରୁଛନ୍ତି।

ସେପଟେ ଜାପାନ ପ୍ରଶାସନ ଗତ କିଛି ବର୍ଷ ହେବ ଦେଢ଼ ହଜାର ନିଖୋଜ ଲୋକଙ୍କୁ ଖୋଜୁଛି। ଏଥିପାଇଁ ଅଣ୍ଡରୱାଟର ସର୍ଚ୍ଚ ଅପରେସନ ଜାରି ରଖିଛି। ଅନ୍ୟପଟେ ୬୪ ବର୍ଷୀୟ ୟାସୁ ବ୍ୟକ୍ତିଗତ ଭାବେ ଏହି ସନ୍ଧାନରେ ଯୋଡି ହୋଇଛନ୍ତି। ସେ ପ୍ରତି ମାସରେ ସ୍ଥାନୀୟ ପ୍ରଶାସନ ସହିତ ଯୋଗାଯୋଗ କରୁଛନ୍ତି। ତା’ପରେ ଏହି ସନ୍ଧାନ ଅଭିଯାନରେ ସେ ଭାଗ ନିଅନ୍ତି। ଗତ ୧୦ ବର୍ଷ ମଧ୍ୟରେ ତାଙ୍କୁ ସମୁଦ୍ର ଭିତରୁ କପଡା, କିଛି ଫଟୋ ଆଲବମ ଏବଂ ଅନେକ ଗୁଡିଏ ଜିନିଷ ମିଳିସାରିଲାଣି, କିନ୍ତୁ ସେଥିରୁ କୌଣସି ଟି ବି ତାଙ୍କ ପତ୍ନୀଙ୍କର ନୁହେଁ ବୋଲି ସେ କହିଛନ୍ତି।

୨୦୧୧ରେ ଜାପାନରେ ଭୟଙ୍କର ସୁନାମୀ ଆସିଥିଲା। ଘଣ୍ଟା ପ୍ରତି ୭୦୦ କିଲୋମିଟର ବେଗରେ ୧୩୩ ଫୁଟ ଲମ୍ବର ତରଙ୍ଗ ଜାପାନର ଉତ୍ତର-ପୂର୍ବ ଉପକୂଳକୁ ଥରାଇ ଦେଇଥିଲା। ଏଥିରେ ଫୁକୁସିମା ଆଣବିକ କାରଖାନା ମଧ୍ୟ କ୍ଷତିଗ୍ରସ୍ତ ହୋଇଥିଲା। ଭୟଙ୍କର ସୁନାମୀରେ ୧୫ ହଜାରରୁ ଅଧିକ ଲୋକ ପ୍ରାଣ ହରାଇଥିଲେ। ହଜାର ହଜାର ଲୋକ ନିଖୋଜ ମଧ୍ୟ ହୋଇଥିଲେ। ୨ ଲକ୍ଷ ୩୦ ହଜାରରୁ ଅଧିକ ଲୋକଙ୍କୁ ଜୀବନ ବଞ୍ଚାଇବା ପାଇଁ ନିଜ ବାସ ସ୍ଥାନ ଛାଡି ବାହାରକୁ ଯିବାକୁ ପଡିଥିଲା।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।