ଟୋଲ୍ ଫି’କୁ ନେଇ ବିଚାରପତିଙ୍କୁ ପାଠ ପଢ଼ାଇଲେ ଟୋଲ୍ ମ୍ୟାନେଜର

ନୂଆଦିଲ୍ଲୀ: ସୋଶାଲ ମିଡିଆରେ କେଉଁ ଖବର କେତେବେଳେ ଟ୍ରେଣ୍ଡ କରିବ କେହି କହିପାରିବେନି। ମୁଖ୍ୟତଃ ମସାଲାଦାର ଖବର ନହେଲେ ପ୍ରେରଣା ଯୋଗ୍ୟ ଖବର ହୋଇଥିଲେ ତାହା ସମସ୍ତଙ୍କ ନଜରକୁ ଆସିଥାଏ। ଲୋକେ ମଧ୍ୟ ଏହାକୁ ଭରପୁର ଦେଖିଥାନ୍ତି। ଏବେ ଏହିଭଳି ଏକ ଭିଡିଓ ସୋଶାଲ ମିଡିଆରେ ଟ୍ରେଣ୍ଡ ହୋଇଛି। ଯାହାକୁ ସବୁବର୍ଗର ଲୋକେ ସାବାସି ଦେଉଛନ୍ତି।

ଏହି ଭିଡିଓରେ ଜଣେ ଟୋଲ୍ ମ୍ୟାନେଜର ବିଚାରପତିଙ୍କୁ ଟୋଲ୍ ନଦେବାର କାରଣ ପଚାରିବାର ସହିତ ତାଙ୍କୁ ଟିଉସନ କରିଛନ୍ତି। ଆଉ ବାଧ୍ୟ ହୋଇ ସଂପୃକ୍ତ ବିଚାରପତି ଟୋଲ୍ ଫି ଦେଇଛନ୍ତି। ବିଚାରପତି ଜଣଙ୍କ ୮୦ ଟଙ୍କା ଟୋଲ୍ ଫି ଦେବେନି ବୋଲି କହିଥିଲେ। କାରଣ ସେ ବିଚାରପତି। ଏହା ପରେ ଟୋଲ୍ ମ୍ୟାନେଜର କାର ପାଖକୁ ଆସିଥିଲେ ଏବଂ କହିଥିଲେ ବିଚାରପତି ହେଲେ ମଧ୍ୟ ସେ କାହିଁକି ଟଙ୍କା ଦେବେ।

ଟୋଲ୍ ମ୍ୟାନେଜର ବିଚାରପତିଙ୍କୁ କହିଥିଲେ ଯେ ଆପଣ ହାଇକୋର୍ଟର ବିଚାରପତି ନୁହଁନ୍ତି, ବରଂ ଜିଲ୍ଲା କୋର୍ଟର। ତେଣୁ ଆଇନ ଅନୁସାରେ ଆପଣଙ୍କୁ ଟୋଲ୍ ଫି ଦେବାକୁ ହେବ। ଆଉ ଶେଷରେ ବିଚାରପତି ଜଣଙ୍କ ଟୋଲ୍ ଦେଇଥିଲେ।

ଭିଡିଓରେ ଟୋଲ ମ୍ୟାନେଜର ବିଚାରପତିଙ୍କ ସହ କଡ଼ାକଡ଼ି ଭାବରେ କଥା ହେଉଥିବାର ଦେଖିବାକୁ ମିଳିଛି। ତେବେ ଭିଡିଓଟି ପ୍ରାୟ ୬ ମାସ ପୁରୁଣା ବୋଲି ଜଣାପଡ଼ିଛି। ୫ ସେପ୍ଟେମ୍ବର ୨୦୨୦ରେ ଏହି ଭିଡିଓ ରେକର୍ଡିଂ ହୋଇଥିବା ଜଣାପଡ଼ିଛି। ୟୁପିର ବରେଲି ଏବଂ ମୋରାଦାବାଦର ଏହି ଭିଡିଓ ବୋଲି ଜଣାପଡିଛି।

ଭିଡିଓରେ ଟୋଲ ମ୍ୟାନେଜର କହୁଛନ୍ତି, ‘ଯଦି ଆପଣ ନିୟମ ଜାଣିଛନ୍ତି, ତେବେ ମୁଁ ମଧ୍ୟ ନିୟମ ଜାଣିଛି। ଆପଣଙ୍କ ଭଳି ବିଚାରପତିଙ୍କ ପାଇଁ ସାଧାରଣ ଲୋକଟେ ଆଇନର ଜାଲରେ ଫନ୍ଦି ହୋଇଯାଉଛି। ହାଇକୋର୍ଟର ବିଚାରପତି ବିନା ଟୋଲ ଫିରେ ଯିବେ ହେଲେ ଆପଣ ନୁହଁନ୍ତି।

ଏହାପରେ ବିଚାରପତି ଜଣଙ୍କ ଟୋଲ ଫି ନଦେବାକୁ ନେଇ କହିଛନ୍ତି ଯେ ସେ ରାଜସ୍ଥାନରେ କୌଣସି ଟୋଲରେ ପଇସା ଦେଇ ନାହିଁ। ଏହାପରେ ଟୋଲ ମ୍ୟାନେଜର କହିଥିଲେ ଏଠି ଦେବାକୁ ହେବ। ଆପଣ ଆପଣଙ୍କ ପଦବୀର ଅପବ୍ୟବହାର କରିଛନ୍ତି। ଏଠି ୮୦ ଟଙ୍କା ଦେବାକୁ ହେବ। ନିୟମଠାରୁ ବଡ଼ କୋର୍ଟ ନୁହେଁ। ଆପଣଙ୍କ ଭଳି ଲୋକମାନେ ଦେଶକୁ ନଷ୍ଟ କରୁଛନ୍ତି।

ଏହି ଭିଡିଓଟି ସାମ୍ନାକୁ ଆସିବା ପରେ ସୋଶାଆଲ ମିଡିଆରେ ଟୋଲ ମ୍ୟାନେଜରଙ୍କୁ ଖୁବ୍ ପ୍ରଶଂସା କରୁଛନ୍ତି। ଆଉ ଜିଲ୍ଲା ବିଚାରପତିଙ୍କୁ ଟୋଲ୍ ମ୍ୟାନେଜର ଉଚିତ ଜବାବ ଦେଇଛନ୍ତି ବୋଲି ସେ କହିଛନ୍ତି। ଆଇଏଏସ ଅରବିନ୍ଦ ପାଢ଼ୀ ମଧ୍ୟ ଏହି ଭିଡିଓ ଉପରେ ନିଜର ମତାମତ ରଖିଛନ୍ତି। ଟୋଲ ମ୍ୟାନେଜର ଜଣଙ୍କ ଯେଉଁଭଳି ଭାବରେ ଭିଭିଆଇପିଙ୍କୁ ପ୍ରଶ୍ନ କରିଛନ୍ତି ତାହା ପ୍ରଶଂସନୀୟ। ଆଇନରୁ ଉର୍ଦ୍ଦରେ କେହି ନୁହନ୍ତି ବୋଲି ସେ କହିଛନ୍ତି।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।